Home Top News ତିନି ଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ : ମୋଦି ସରକାର ଦେଉଥିବା...

ତିନି ଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ : ମୋଦି ସରକାର ଦେଉଥିବା ମାଗଣା ଚାଉଳ ଗରିବଙ୍କ ପାଖରେ ପହଁଚୁ, ଏହା ଆମର ଦାୟିତ୍ୱ-ଧର୍ମେନ୍ଦ୍ର ପ୍ରଧାନ

33

– ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭାର୍ଥୀଙ୍କୁ ଚାଉଳ ବଂଟନ କାର୍ଯ୍ୟକ୍ରମରେ ସାମିଲ ହେଲେ
– ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ଓ ବାସ୍ତବ ସ୍ଥିତି ନୀରିକ୍ଷଣ କଲେ
– ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପଂଚାୟତର ହିତାଧିକାରୀଙ୍କ ସହ ଆଲୋଚନା
– ଗରିବ କଲ୍ୟାଣ ଯୋଜନାର ଲାଭାର୍ଥୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି
– ଦେଶରେ କେହି ବି ଭୋକିଲା ନ ରୁହନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏ ସ୍ଲୋଗାନ ବାସ୍ତବରେ ସାର୍ଥକତା ହୋଇଛି
– ୱାର୍ଲଡ ବ୍ୟାଙ୍କ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଶଂସା କରିଛି
– ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ବରପଦା ସ୍ଥିତ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ
– ଢେଙ୍କାନାଳର ପ୍ରମୁଖ କାର୍ଯ୍ୟକର୍ତା ସହ ଆଲୋଚନା
– ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଘରେ ଘରେ ପହଁଚାଇବା ପାଇଁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ

ଢେଙ୍କାନାଳ/ଭୁବନେଶ୍ୱର, ଏପ୍ରିଲ ୧୩ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୋଦି ସରକାର ଗରିବ ଓ ଅସହାୟଙ୍କ ପାଇଁ ଦେଉଥିବା ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ ସମୟରେ ପହଁଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପଂଚାୟତରେ ‘ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର’ରେ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ଚାଉଳ ବଂଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ପାଳନ ହେଉଥିବା ‘ସାମାଜିକ ନ୍ୟାୟିକ ପକ୍ଷ’ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ତିନି ଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ଗ୍ରାମ ପଂଚାୟତରେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମେତ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ଓ ବାସ୍ତବ ସ୍ଥିତି ନୀରିକ୍ଷଣ କରିବା ସହ ଲାଭାର୍ଥୀ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଉଛି ମୋଦି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା। ଦେଶର ୮୦ କୋଟି ଏବଂ ଓଡ଼ିଶାର ୩.୨୫ କୋଟି ଅର୍ଥାତ୍ ପ୍ରାୟ ୮୦ ଭାଗ ଲୋକ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ପାଇ ଏହି ଯୋଜନାରେ ଉପକୃତ ହେଉଛନ୍ତି। ଏଥିପାଇଁ ଭାରତ ସରକାର ସାଢ଼େ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଯୋଜନାରେ ହିତାଧିକାରୀମାନେ କୋଭିଡ଼ ମହାମାରୀର ପ୍ରାରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପାଇ ବେଶ୍ ଖୁସି ଅଛନ୍ତି ଓ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଶୀର୍ବାଦ ଓ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କରୋନାର କଠିନ ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ଚାଉଳକୁ ସମ୍ପୂର୍ଣ୍ଣ ମାଗଣା କରିଦେଲେ। ଦେଶରେ କେହି ବି ଭୋକିଲା ନ ରୁହନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଲୋଗାନ ବାସ୍ତବରେ ସାର୍ଥକତା ହେଉଛି। ଏହା ମୋତେ ଖୁସି ଦେଇଛି। ୱାର୍ଲଡ ବ୍ୟାଙ୍କ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ମହତ୍ୱକାଂକ୍ଷୀ ଯୋଜନାକୁ ପ୍ରଶଂସା କରିଛି।

ପ୍ରଧାନମନ୍ତ୍ରୀ ଦେଶର ୧୧୭ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲାରେ ସାମିଲ କରାଯାଇଛି। ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ଢ଼େଙ୍କାନାଳ ରହିଛି। ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମୋଦି ସରକାରଙ୍କ ମୂଳମନ୍ତ୍ର ହୋଇଛି। ଢ଼େଙ୍କାନାଳ ସମେତ ସମଗ୍ର ରାଜ୍ୟରେ ଗରିବ ଓ ଅସହାୟଙ୍କୁ ସଠିକ୍ ସମୟରେ ମୋଦି ସରକାର ଦେଉଥିବା ଚାଉଳ ଓ ଅନ୍ୟ କଲ୍ୟାଣକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ପହଁଚୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍। ଏଥିପାଇଁ ସମସ୍ତେ ମିଳିମିଶି ଗରିବଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି। ଏହାର ଦାୟିତ୍ୱ କେବଳ ଯିଏ ଜିତୁଛି କିମ୍ବା ଯିଏ ଲଢ଼ୁଛି ତାହାର ନୁହେଁ। ଯେଉଁମାନେ ଏହାର ଲାଭାର୍ଥୀ ହେବେ ଏହାକୁ ସେମାନଙ୍କ ସହ ଯୋଡ଼ିବା ପାଇଁ ପ୍ରଚେଷ୍ଟା ହେବା ଦରକାର।

ଢ଼େଙ୍କାନାଳ ଜିଲ୍ଲା ପ୍ରତି ପ୍ରଧାନମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସର ସବୁ ଲାଭ ପହଁଚାଯାଇଛି। ଆକାଂକ୍ଷୀ ଜିଲ୍ଲା ଭାବରେ ଅଂଚଳର ରାସ୍ତାଘାଟ, ରେଳ, ଶିଳ୍ପ, ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଢ଼େଙ୍କନାଳକୁ ଏକ ସମୃଦ୍ଧ ଓ ସଶକ୍ତ ଅଂଚଳ ଭାବରେ ଗଢ଼ିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ ଢେଙ୍କାନାଳ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରଦର୍ଶନ କରିଥିଲେ। ଏହା ପରେ ବରପଦା ସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ(ଆଇଟିଆଇ)କୁ ବୁଲି ଦେଖିଥିଲେ। ଏହି ଦୁଇ ଅନୁଷ୍ଠାନରେ ୱାର୍କସପ, ପାଠାଗାର ବଲୁିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଟେକ୍ନୋଲୋଜିକୁ ଦେଖିଥିଲେ। ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଛାତ୍ରଛାତ୍ରୀଙ୍କ ସହ ଚର୍ଚ୍ଚା ଆଲୋଚନା କରିବା ସହ ଉଦ୍ୟମୀ ହେବାକୁ ପ୍ରୋତ୍ସାହିତ କରିଥିଲେ। ଶେଷରେ ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ପ୍ରମୁଖ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇଥିଲେ। ଘର ଘର ବୁଲି ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ପହଁଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.