Home ଜିଲ୍ଲା ପରିକ୍ରମା ତାଳପଦା ବୈକୁଣ୍ଠସାହିରେ କୋଠା ନିର୍ମାଣ କରି ସରକାରୀ ରାସ୍ତାକୁ ଅବରୋଧ କରିଛନ୍ତି ପ୍ରଧାନ ଶିକ୍ଷକ, ହାଇକୋର୍ଟଙ୍କ...

ତାଳପଦା ବୈକୁଣ୍ଠସାହିରେ କୋଠା ନିର୍ମାଣ କରି ସରକାରୀ ରାସ୍ତାକୁ ଅବରୋଧ କରିଛନ୍ତି ପ୍ରଧାନ ଶିକ୍ଷକ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦାବିରେ ତହସିଲଦାରଙ୍କୁ ଭେଟିଲେ ପଂଚାୟତବାସୀ

12

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ତାଳପଦା ପଂଚାୟତ ଅଧୀନ ବୈକୁଣ୍ଠସାହିରେ ଏକ ସରକାରୀ ରାସ୍ତାକୁ କୋଠାଘର ନିର୍ମାଣ କରି ଜଣେ ପ୍ରଧାନ ଶିକ୍ଷକ ଅବରୋଧ କରିଛନ୍ତି। ଏ ନେଇ ହାଇକୋର୍ଟରେ ଡବ୍ଲୁ.ପି(ସି) ନଂ ୩୧୩୨୫/୨୩ ମାମଲା ରୁଜୁ ହୋଇଛି। ହାଇକୋର୍ଟ ତାଳପଦା ଗ୍ରାମର ସୀତାକାନ୍ତ ଦଳେଇ, ମିନତୀ ଦଳେଇ ପ୍ରମୁଖଙ୍କ ଆବେଦନକୁ ଗ୍ରହଣ କରି ଆଗାମୀ ୪ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ୫.୧୦.୨୦୨୩ ରିଖରେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତତ୍କାଳୀନ ତହସିଲଦାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବାରୁ ଅଦ୍ୟାବଧି ସରକାରୀ ରାସ୍ତାରୁ ଅବରୋଧ ଉଚ୍ଛେଦ ହୋଇପାରି ନାହିଁ। କେବଳ ମାତ୍ର ତତ୍କାଳୀନ ତହସିଲଦାର ଜମିର ମାପଚୁପ କରି ସୀମିତ ରହିଥିଲେ। ଯେଉଁଥିପାଇଁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ସୋମବାର ପଂଚାୟତର ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳାମାନେ ତହସିଲଦାରଙ୍କ ନିକଟରେ ପହଂଚି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରି ଜବରଦଖଲ ଉଚ୍ଛେଦ କରିବାକୁ ଦାବି କରିଥିଲେ। ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ସପ୍ତାହକ ମଧ୍ୟରେ ମାପଚୁପ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପଂଚାୟତବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଘରକୁ ଫେରିଥିଲେ। ପ୍ରକାଶ ଯେ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଠାରୁ ବିଲଣା ଆର.ଡି. ରୋଡ଼ ଭାୟା ତାଳପଦା ଦେଇ ଏକ ସରକାରୀ ରାସ୍ତା ଯାଇଛି। ଏହି ରାସ୍ତାର ମଧ୍ୟଭାଗ ବୈକୁଣ୍ଠସାହି ଠାରେ ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ କୋଠାଘର ନିର୍ମାଣ କରି ରହୁଛନ୍ତି। ଏହି କୋଠାଘର ପାଇଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ। ଏପରିକି ରାସ୍ତା ନିର୍ମାଣ ପାଇଁ ଆସିଥିବା ସରକାରୀ ଅନୁଦାନ ମଧ୍ୟ ପଡ଼ି ରହିଛି। ଏଥି ସହିତ ସେହି ରାସ୍ତା ଦେଇ ବିଭିନ୍ନ ପଂଚାୟତକୁ ଲୋକମାନେ ଯାତାୟତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କାନ୍ତକବିଙ୍କ ପୀଠକୁ ଯିବା ପାଇଁ ମଧ୍ୟ କୋଠାଘର ପ୍ରତିବନ୍ଧକ ସାଜିଛି। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ପାଇଁ ୨କି.ମି. ରାସ୍ତା ଅତିକ୍ରମ କରୁଛନ୍ତି। ସେହି ରାସ୍ତାରେ କେନାଲ ଆଡ଼ି ଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ରହିଛି। ତେବେ ସରକାରୀ ରାସ୍ତାରେ ଥିବା କୋଠାଘରକୁ ଉଚ୍ଛେଦ କରାଯାଇ ରାସ୍ତା ନିର୍ମାଣ କରାଗଲେ ସ୍କୁଲ ପିଲାଙ୍କ ସହିତ ଜନସାଧାରଣ ସୁରୁଖୁରୁରେ ଯାତାୟତ କରିପାରିବେ ବୋଲି ପଂଚାୟତବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ତୁରନ୍ତ ଅବରୋଧମୁକ୍ତ କରାଯାଇ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପଂଚାୟତର ୱାର୍ଡ଼ସଭ୍ୟା ଜୟନ୍ତୀ ବେହେରା, ପଂଚାୟତବାସୀ ସୁବାସ ବେହେରା, ବିଦ୍ୟାଧର ଦାସ, ଦୁଃଖିଶ୍ୟାମ ଜେନା, ତାପସ ବେହେରା, ଧୀରେନ୍ଦ୍ର ମହାପାତ୍ର, ଗୋପବନ୍ଧୁ ବେହେରା, ଅନିତା ଦାସ, ଗୀତାରାଣୀ ଜେନା, ମନ୍ଦାକିନୀ ବେହେରା, ଅଂଜନା ଦଳେଇ, ମଂଜୁଲତା ନାୟକ, ଶାନ୍ତିଲତା ବେହେରା, ହେମଲତା ଦାସ, କ୍ରିଷ୍ଣା ବାରିକ ପ୍ରମୁଖଙ୍କ ସହିତ ବହୁ ପୁରୁଷ ଓ ମହିଳା ତହସିଲଦାରଙ୍କ ଠାରେ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆନଗଲେ ସେମାନେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.