Home ଅନୁଗୁଳ ତାଳଚେର ପୌର ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ତାଳଚେର ପୌର ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

25

ତାଳଚେର ୧/୫ (ଓଡ଼ିଆ ପୁଅ) : ତାଳଚେର ପୌର ପରିଷଦ ପକ୍ଷରୁ ପ୍ରଥମ କାଉନସିଲ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ନଗରପାଳ ପବିତ୍ର ଭୁତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବ ନିର୍ବାଚିତ କାଉନସିଲରମାନଙ୍କୁ ନଗରପାଳ ଶ୍ରୀ ଭୁତିଆ ସ୍ୱାଗତ ଜଣାଇବା ସହ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦୁଇଟି ଅଳିଆ ଆବର୍ଜନା ବୁହା ଯାନ, ସାଙ୍ଗକୁ ଆବଶ୍ୟକ ସରଞ୍ଜାମ, ମଶା ତେଲ ଇତ୍ୟାଦି କ୍ରୟ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଏଥିସହ ଆଗକୁ ବର୍ଷା ଦିନ ଆସୁଥିବାରୁ ତା’ ପୂର୍ବରୁ ଡ୍ରେନ ଗୁଡିକର ପୁନଃରୁଦ୍ଧାର, ସହରବାସୀଙ୍କୁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସହରରେ ଥିବା କୂଅଗୁଡିକୁ ପୁନଃରୁଦ୍ଧାର କରାଯିବା ଓ ୨ଟି ଗାଡି ସହ ଟ୍ୟାଙ୍କର କ୍ରୟ କରିବା ଏବଂ ସ୍ୱାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେବାକୁ ଆଲୋଚନା ହୋଇଥିଲା। ସହରରେ ନୂତନ ଆଲୋକୀକରଣ ବ୍ୟବସ୍ଥା ପାଇଁ ପ୍ରତି ୱାର୍ଡରେ ଅନ୍ୟୁନ ୫ଟି ଲେଖାଏଁ ନୂତନ ଲାଇଟର ବ୍ୟବସ୍ଥା ଓ ଅନେକ ଦିନ ଧରି ଲିଭି ଯାଇଥିବା ଲାଇଟ ଗୁଡ଼ିକୁ ମରାମତି କରିବା ଉପରେ ନିଷ୍ପତି ନିଆଯାଇଥିଲା। ବିଶେଷ କରି ସହରବାସୀ ଙ୍କ ପାଇଁ ବୋଝ ସାଜିଥିବା ଅହେତୁକ ଭାବେ ବର୍ଦ୍ଧିତ ହୋଲଡିଂ ଟିକସ କୁ କିପରି ଲାଗୁ କରାନଯିବ ସେ ସମ୍ପର୍କରେ ସମସ୍ତ କାଉନସିଲର ସହ ନଗରପାଳ ଶ୍ରୀ ଭୁତିଆ ମଧ୍ୟ ବିରୋଧ କରିଥିଲେ। ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ କୁହାଯାଇଥିଲା। ସେହିପରି ବିଧବା, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତା ପାଇବା ପାଇଁ ବିଭିନ୍ନ ବ୍ୟାଙ୍କକୁ ଯାତାୟତ ଓ ଅନ୍ୟାନ୍ୟ ଅସୁବିଧା କାରଣରୁ ଏଣିକି ପୌର ପରିଷଦ ପକ୍ଷରୁ ଘରେ ଘରେ ବୁଲି ଭତା ପ୍ରଦାନ କରାଯିବା ପାଇଁ ନିଷ୍ପତି ହୋଇଥିଲା। ଏହି ପ୍ରଥମ ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରତିନିଧି ଅରବିନ୍ଦ ବାରିକ, ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ, ସମସ୍ତ ୨୧ଟି ୱାର୍ଡର କାଉନସିଲର ସମେତ ପୌର ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସକାଳ ୯ଟା ଠାରୁ ମଧ୍ୟାହ୍ନ ୧.୩୦ମି ପର୍ଯ୍ୟନ୍ତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା ଓ ଆଗାମୀ ଦିନରେ ସହରରେ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ନଗରପାଳ ଶ୍ରୀ ଭୁତିଆ ସଫଳ ବୈଠକ ପାଇଁ ଧନ୍ୟବାଦ ପ୍ରକଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.