କୋରାପୁଟ ୦୭-୦୧ (ଓଡିଆ ପୁଅ /ରଂଜନ ଦାସ)ଭୁବନେଶ୍ୱରସ୍ଥିତ ସିପେଟରେ ତାଲିମ ନେବାକୁ କୋରାପୁଟ ଜିଲ୍ଲାରୁ ୮୦ ଜଣ ବେରୋଜଗାର ଯୁବକ/ଯୁବତୀ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ .ଜିଲ୍ଲା ଖଣିଜ ପାଣ୍ଠିର ଭାରପ୍ରାପ୍ତ ଏପିଡି ହିମାଂଶୁ ଶତପଥି, ସିପେଟର ସବ୍ୟସାଚୀ ରାଉତ, ଏଚ.ଏନ.ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।ବେରୋଜଗାର ଯୁବକ ଓ ଯୁବତୀମାନଙ୍କ ନିଯୁକ୍ତିର ସୁଯୋଗର ଅଭାବ ରହିଥିଲା ତେଣୁ ଜିଲ୍ଲା ପ୍ରଶାସନର ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପ୍ରାଥମିକ ପର୍ଯ୍ୟାୟରେ ୮୦ ଜଣ ଯୁବକ ଓ ଯୁବତୀ ଭୁବନେଶ୍ୱରସ୍ଥିତ ସିପେଟରେ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ଲାଷ୍ଟିକ ଇଂଜିନିୟରିଂରେ ତାଲିମ ନେବାକୁ ଭୁବନେଶ୍ୱର ଯାତ୍ରା କରିଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ।ତାଲିମ ସରିବା ପରେ ଯୁବକ ଓ ଯୁବତୀମାନେ ଶତପ୍ରତିଶତ ସ୍ୱାବଲମ୍ବି ହେବା ସହ ନିଯୁକ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲାର ଖଣି ପ୍ରଭାବିତ ପଟ୍ଟାଙ୍ଗୀ, ସେମିଲିଗୁଡା, କୋରାପୁଟ, ନାରାୟଣପାଟଣା, ଦଶମନ୍ତପୁର, ଲକ୍ଷ୍ମିପୁର ଓ ଲମତାପୁଟ ବ୍ଲକର ୮୦ ଜଣ ଯୁବକ ଓ ଯୁବତୀ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।୨୪୦ ଜଣ ଯୁବକ ଓ ଯୁବତୀଙ୍କୂ ତାଲିମ ନେବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥି ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ୧ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।