ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତରୁଣ ନବ ପ୍ରତିଭାମାନଙ୍କୁ ନେଇ ପ୍ରକାଶ ପାଉଥିବା ‘ତାରୁଣ୍ୟ ପ୍ରଭା’ର ଦ୍ୱିତୀୟ ସଂଖ୍ୟା ସାବନ ବଜାର ସ୍ଥିତ ସାବିତ୍ରୀ ସଦନରେ ଲୋକାର୍ପିତ ହୋଇ ଯାଇଛି । ଡ. ଗୋଲକ ବିହାରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଅତିଥିମାନେ ଯୋଗ ଦେଇ କହିଥିଲେ କି – ତରୁଣ ନବ ପ୍ରତିଭାମାନେ ଓଡ଼ିଆ ସାହିତ୍ୟର ଭବିଷ୍ୟତ । ସେମାନଙ୍କ ପ୍ରତିଭାକୁ ପାଠକମାନଙ୍କ ପାଖରେ ପହଞ୍ଚାଇବାରେ ‘ତାରୁଣ୍ୟ ପ୍ରଭା’ ପତ୍ରିକାଟିର ଭୂମିକା ଯଥେଷ୍ଟ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାରୁଣ୍ୟ ପ୍ରଭାର ସହସମ୍ପାଦିକା ସ୍ରୋତସ୍ୱିନୀ ପରିଡ଼ାଙ୍କ ସଂଚାଳନରେ ଅନୁଷ୍ଠିତ ଲୋକାର୍ପଣ ସଭାରେ ମୁଖ୍ୟଅତିଥି ଭାବେ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ. ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ପତ୍ରିକାର ଆଗାମୀ ଭବିଷ୍ୟତ ସଫଳତା କାମନା କରିଥିଲେ । କବି ଋତୁରାଜ ଅକ୍ଷୟ ସ୍ୱାଗତ ଭାଷଣ ଓ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସମ୍ପାଦକ କବି ଅରୂପାନନ୍ଦ ସମ୍ପାଦକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଉତ୍ସବରେ ମଧୁସ୍ମିତା ନାୟକ, ଦମୟନ୍ତୀ ନାଥ, ରମାକାନ୍ତ ନାଥ, ସରୋଜିନୀ ନାୟକ, ସର୍ବେଶ୍ୱର ସାହୁ, ରୂପକ ବିହାରୀ ରାୟ, ଅଂଶୁମାନ ସ୍ୱାଇଁ, ମୋନାଲିସା ସାହୁ, ସସ୍ମିତା ସାହୁ, ବିଜୟ ବହଳୀ, ରଜତ କୁମାର ସାହୁ, ଉପଦେଷ୍ଟା ବିଜୟ କୁମାର ଜେନା ପ୍ରମୁଖ ପତ୍ରିକା ସମ୍ବନ୍ଧରେ ନିଜନିଜର ମତପୋଷଣ କରିଥିଲେ । ପରିଶେଷରେ ସମ୍ପାଦକଙ୍କ ଧନ୍ୟବାଦ ଅର୍ପଣ ପରେ ଉତ୍ସବର ପରିସମାପ୍ତି ହୋଇଥିଲା ।