Home ଜିଲ୍ଲା ପରିକ୍ରମା ତଳମୁଣ୍ଡରେ ପହଂଚିପାରୁନି କେନାଲ ପାଣି, ଧୋକା ଦେଉଛି ବର୍ଷା, ହାତବାନ୍ଧି ବସିଛି ଚାଷୀ

ତଳମୁଣ୍ଡରେ ପହଂଚିପାରୁନି କେନାଲ ପାଣି, ଧୋକା ଦେଉଛି ବର୍ଷା, ହାତବାନ୍ଧି ବସିଛି ଚାଷୀ

6

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏଥର ମୌସୁମୀ ବର୍ଷ ଆରମ୍ଭରୁ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଆଷାଢ ଯାଇ ଶ୍ରାବଣ ମାସ ଶେଷ ହେବାକୁ ଯାଉଥିବାବେଳେ ବର୍ଷା ତାର ସ୍ୱାଭାବିକ ସ୍ଥିତି ବଜାୟ ରଖିପାରିନାହିଁ । ଫଳରେ ଭଦ୍ରକ ଜିଲାରେ ଚାଷକାର୍ଯ୍ୟ ସଂପୂର୍ଣ୍ଣ ପଛେଇଯାଇଛି । ଚାଷୀକୂଳ ହାତବାନ୍ଧି ବସିଥିବାବେଳେ କେନାଲର ପାଣି ଅନେକ ଅଂଚଳର ତଳମୁଣ୍ଡରେ ପହଂଚିପାରୁନଥିବାର ଅଭିଯୋଗ ହୋଇଛି । ବୈତରଣୀ ସିଷ୍ଟମର ହାଇଲେବୁଲ କେନାଲରୁ ଆସିଥିବା ୭ନଂ ଶାଖା ଦିନାରୀ ମାଇନରରେ ଆଶାନୁରୂପ ପାଣି ତଳ ଅଂଚଳକୁ ଆସୁନାହିଁ । ଭଦ୍ରକ ବ୍ଲକ୍ ଅଧୀନସ୍ଥ ଅନନ୍ତପୁର ନିକଟରୁ ମୂଳ ୭ନଂ କେନାଲରୁ ବାହାରିଛି ଏହି ଶାଖା କେନାଲ । ଦିନାରୀ ମାଇନର କୁହାଯାଉଥିବା ଏହି ଶାଖା କେନାଲଟି ଧାମନଗର ବ୍ଲକ୍‌ର ଲୁଣିଆ ପର୍ଯ୍ୟନ୍ତ ଲମ୍ବିଥିବା ସ୍ଥଳେ ଏବେ କିନ୍ତୁ ଆନନ୍ଦବଜାର ପର୍ଯ୍ୟନ୍ତ କାର୍ଯ୍ୟ କରୁଛି । ଅଢେଇ କିଲୋମିଟର ଦୂରତା ବିଶିଷ୍ଟ ଏହି କେନାଲ ଉପରେ ଶହ ଶହ ହେକ୍ଟର ଚାଷଜମି ପାଣି ଉପରେ ନିର୍ଭର କରନ୍ତି । ଏଥିପାଇଁ ଦିନାରୀ, ଅଜମତପୁର, ସରପୁର, ଲେଙ୍କାସାହି, ଓକରା, ଅର୍ଣ୍ଣପାଳ, ଗଂଜାମାଳ, ପୋଡପୋଡା, ବରଗଡା, କଷଟି ଭଳି ଅଂଚଳର ଚାଷୀମାନେ ପ୍ରତିବର୍ଷ ସରକାରଙ୍କୁ ଜଳକର ଦେଇଆସୁଛନ୍ତି । କିନ୍ତୁ ଚାଷୀ ଦରକାରବେଳେ ପାଣି ଟିକିଏ ପାଇପାରୁନାହିଁ । ଉପର ମୁଣ୍ଡରେ କେନାଲବନ୍ଧକୁ ବାରମ୍ବାର କାଟି ଦିଆଯାଉଛି । ଆବଶ୍ୟକତା ପୂରଣ ପରେ ମଧ୍ୟ ଉପର ମୁଣ୍ଡରେ ପାଣି ରଖାଯାଉଛି । ଚାଷୀଙ୍କ ଦାବୀ ପରେ ବିଭାଗ ପକ୍ଷରୁ ତଳ ଅଂଚଳକୁ ପାଣି ପହଂଚାଇବା ପାଇଁ କିଛିମାତ୍ରାରେ ଉଦ୍ୟମ ହୋଇଥିବାବେଳେ କେନାଲ ଉପର ମୁଣ୍ଡରେ ଥିବା ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ ପାଇଁ ଏହା ବାଧାପ୍ରାପ୍ତ ହୋଇଛି । ବିଭାଗ ପକ୍ଷରୁ ବନ୍ଧ ଘାଇରେ ମରାମତି କାର୍ଯ୍ୟ ହେଉଛି ସତ, କିନ୍ତୁ ତାହାକୁ ନଷ୍ଟ କରିଦିଆଯାଉଛି । ଏଭଳି ଅବସ୍ଥାରେ ତଳ ମୁଣ୍ଡରେ ଥିବା ଚାଷଜମି ଜଳସେଚିତ ହୋଇନପାରି ପଡିଆ ପଡିଛି । ସମୟ ବିତୁଥିବା ହେତୁ ଚାଷକାର୍ଯ୍ୟ ହେବା ନେଇ ଚାଷୀ ଆଶଙ୍କା ପ୍ରକାଶ କରିଛି । ଏଣୁ ଦିନାରୀ ମାଇନରରେ ପର୍ଯ୍ୟାପ୍ତ ପରିମାଣର ପାଣି ଉପଲବ୍ଧ କରାଇବା ପାଇଁ ରଘୁନାଥ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସେନାପତି, କେଶବ ଚନ୍ଦ୍ର ଦାସ, ଧନେଶ୍ୱର ଯେନା, କୈଳାସ ମଲ୍ଲିକ, ପଂଚାନନ ପତି ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.