Home ଜିଲ୍ଲା ପରିକ୍ରମା ତଳଦପା ସ୍କୁଲ ପାଚିକାଙ୍କ ବହିଷ୍କାର ଦାବି, ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାର ଗଣଧାରଣା

ତଳଦପା ସ୍କୁଲ ପାଚିକାଙ୍କ ବହିଷ୍କାର ଦାବି, ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାର ଗଣଧାରଣା

3

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରସର ପଂଚାୟତ ଅଧୀନ ତଳଦପା ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ପାଚିକାଙ୍କ ବହିଷ୍କାର ଦାବିରେ ସ୍କୁଲର ଛାତ୍ରୀଛାତ୍ର, ଅଭିଭାବକ,ସ୍କୁଲ ପରିଚାଳନା କମିଟି(ଏସଏମସି) କର୍ମକର୍ତାମାନେ ମଙ୍ଗଳବାର ପୂର୍ବାହ୍ନରେ ତିହିଡି଼ସ୍ଥିତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଇଛନ୍ତି । ସ୍କୁଲରେ ବେଆଇନ ଭାବେ ନିଯୁକ୍ତ ପାଚିକାଙ୍କୁ ବହିଷ୍କାର କରି ନୂତନ ପାଚିକା ନିଯୁକ୍ତି ଦେବା, ବେଆଇନ ପାଚିକା ନିଯୁକ୍ତି ଦେଇଥିବା ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣା ଦେଇଥିବା ଜଣାଯାଇଛି । ବିଇଓ ସୂର୍ଯ୍ୟଶିଖା ମହାନ୍ତି ଛୁଟିରେ ଥିବାବେଳେ ଏବିଇଓ ଲଷ୍ମୀପ୍ରିୟା ମାଝୀ, ପଂଚାୟତ ସରପଂଚ ଚକ୍ରଧର ଦାସ, ସିଆରସିସି ଚନ୍ଦ୍ରଶେଖର ମୁଦୁଲି ପ୍ରମୁଖ ଗ୍ରାମବାସୀଙ୍କ ସହ ସମସ୍ୟର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସରକାରଙ୍କ ନିୟମାନୁଯାୟୀ ପାଚିକାଙ୍କ ବଦଳି ଦିଗରେ ପଦକ୍ଷେପ ନିଆଯିବ ବୋଲି ଏବିଇଓ ଶ୍ରୀମତି ମାଝୀ ପ୍ରତିଶ୍ରୁତି ଦେଇଥିଲେ ।ପରେ ପାଚିକାଙ୍କୁ ବହିଷ୍କାର କରିବାକୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଥିବା ଜଣାପଡିଛି।ମାତ୍ର ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ପାଇଁ ଦାବି କରିଥିଲେ । ମାତ୍ର ଏହା ନହେବାରୁ ଧାରଣା ଅବ୍ୟାହତ ଥିବା ଜଣାଯାଇଛି । ପ୍ରକାଶ ଯେ ,ତଳଦପା ପ୍ରାଥମିକ ସ୍କୁଲରେ ନିଯୁକ୍ତି ପାଇଥିବା ପାଚିକାଙ୍କୁ କେତେକ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିବା ନେଇ ସେମାନେ ଜିଲାପାଳ, ବିଇଓ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ସେହି ପାଚିକାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ । ମାତ୍ର କୌଣସି ପଦକ୍ଷେପ ନିଆ ନଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କେତେକ ଗ୍ରାମବାସୀ ଗତ ମାସ ୧୧ତାରିଖରେ ସ୍କୁଲକୁ ଯାଇ ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଗଣ୍ଡଗୋଳ ଉପୁଜିଥିଲା । ପରେ ଉଭୟ ପକ୍ଷରୁ ପୀରହାଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ୨ଟି ମକଦ୍ଦମା ରୁଜୁ କରିଥିଲା । ତେବେ ପୋଲିସ ଅଭିଯୁକ୍ତ ଗ୍ରାମବାସୀଙ୍କୁ ରାତିରେ ଗିରଫ କରିବାକୁ ତଳଦପା ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ପୋଲିସକୁ ୪ଘଂଟା ଅଟକ ରଖିବା ଭଳି ଘଟଣା ଘଟିଥିଲା । ତେବେ ପୋଲିସ ୨ଜଣ ଗ୍ରାମବାସୀଙ୍କୁ ଗିରଫ କରିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୀରହାଟ ଥାନା ସାମ୍ନାରେ ଧାରଣା ଦେଇଥିଲେ । ସେହି ସମୟରେ ପୋଲିସ ଓ ଗ୍ରାମବାସୀ ମଧ୍ୟ ମୁହାଁମୁହିଁ ହେବାରୁ ଉତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ଅନ୍ୟ ୨ଶିକ୍ଷକ ସ୍କୁଲକୁ ଯାଇନଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟଜଣେ ଶିକ୍ଷକଙ୍କୁ ସ୍କୁଲକୁ ପଠାଯାଇ ଶିକ୍ଷାଦାନ ଅବ୍ୟାହତ ରଖାଯାଇଥିଲା । ତେବେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବା ପରିବର୍ତେ ଶୁଖିଲା ଖାଦ୍ୟ ଦିଆ ଯାଇଥିଲା । ଇତିମଧ୍ୟରେ ପୂର୍ବରୁ କାର୍ଯ୍ୟରତ ୨ଜଣ ଶିକ୍ଷକ ସ୍କୁଲରେ ଯୋଗଦେଇ ଶିକ୍ଷାଦାନ କରୁଛନ୍ତି ଏବଂ ସୋମବାର ମଧ୍ୟାହ୍ନଭୋଜନ ମଧ୍ୟ ବଂଟନ ହୋଇଥିଲା । ତେବେ ସେହି ପାଚିକା ଜଣକ କାର୍ଯ୍ୟରେ ଯୋଗ ଦେବାରୁ ଗ୍ରାମବାସୀ ପୁନର୍ବାର ତାଙ୍କୁ ବିରୋଧ କରି ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ମିଳିତ ଧାରଣା ଦିଆଯାଇଥିବା ଜଣାଯାଇଛି । ଏସଏମସି ସଦସ୍ୟ ସୁଶୀଳ ମଳିକ, ନିରାକାର ମଳିକ, ନାରାୟଣ ଚନ୍ଦ୍ର ମଳିକ, ଶୀତୟା ମଳିକ, ପ୍ରତିମା ମଳିକ, ସୁବାସିନୀ ମାଝୀ, ଲିପି ଦାସ, ଗ୍ରାମ ପରିଚାଳନା କମିଟି ସଭାପତି ଯଦୁନାଥ ମଳିକ, କର୍ମକର୍ତା ଆଲୋକ ବେହେରା, ମାନଗୋବିନ୍ଦ ମଳିକ, ଦେବେନ୍ଦ୍ର ମଳିକ, ଅଲେଖ ମଳିକଙ୍କ ସମେତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଧାରଣାରେ ସାମିଲ ହୋଇଛନ୍ତି । ତେବେ ପାଚିକାଙ୍କୁ ବେଆଇନ ନିଯୁକ୍ତି ଦିଆ ଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଏବିଇଓ ଶ୍ରୀମତୀ ମାଝୀ ଓ ବୋଡ଼କ ନାୟକଣୀ ସ୍କୁଲର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ସେହି ସ୍କୁଲକୁ ଯାଇଥିଲେ । ମାତ୍ର ନିଯୁକ୍ତିର କାଗଜପତ୍ର ଯାଂଚ ପରେ ନିଯୁକ୍ତିରେ ଅନିୟମିତତା ହୋଇନଥିବା ସେମାନେ ବିଇଓଙ୍କୁ ରିପୋର୍ଟ ଦେଇଥିଲେ। ତେବେ ଧାରଣା ସମ୍ପର୍କରେ ଏବିଓ ଶ୍ରୀମତୀ ମାଝୀଙ୍କୁ ପଚାରିବରୁ ସେ କହିଛନ୍ତିଯେ,ପାଚିକା ନିଯୁକ୍ତି ଦେବା ବିଇଓଙ୍କ ପରିସରଭୁକ୍ତ ନୁହେଁ ।ସ୍କୁଲ ପରିଚାଳନା କମିଟି ପାଚିକା ନିଯୁକ୍ତି ଦେବାର ନିୟମ ରହିଛି ।ସ୍କୁଲ ପରିଚାଳନା କମିଟି ସୁପାରିଶରେ ପାଚିକା ନିଯୁକ୍ତି କରିପାରିବେ।ଧାରଣା କାରୀମାନେ ଧାରଣାରେ ନବସି ନିୟମ ଅନୁସାରେ ପାଚିକା ନିଯୁକ୍ତି କଲେ ସ୍କୁଲର ଶୈକ୍ଷିକ ବାତାବରଣ ଅକ୍ଷୁଣ୍ଣ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.