କେନ୍ଦ୍ରାପଡ଼ା, ୨୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଶୀତକାଳୀନ ଜାତୀୟ ସେବାସଂସ୍ଥାର ସ୍ୱତନ୍ତ୍ର ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ୨୭ଜଣ ଶିବିରାର୍ଥୀ ଯୋଗଦେଇ ଡେରାବିଶ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିଲେ। ଏଥିସହିତ ଚାଟେଶ୍ୱର ମନ୍ଦିର, ବାଣେଶ୍ୱର ମନ୍ଦିର, ଛତାବଟ ମହାପୁରୁଷ, ମା’ ବାସନ୍ତୀ ଦୁର୍ଗା ମନ୍ଦିର ପରିସର ଓ ଚାଟରା ଗାଁ ରାସ୍ତାକୁ ସଫେଇ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ କୋଭିଡ ମହାମାରୀ ଓ ତତ୍ ସମ୍ପର୍କିତ ନିରାକରଣ କାର୍ଯ୍ୟକ୍ରମ ଉପରେ ଜନସଚେତନତା ସୃଷ୍ଟି କରିଥିଲେ। ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଦିଲ୍ଲିପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଚାଟରାଚକଡା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗଣେଶ୍ୱର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥିନୀମାନଙ୍କୁ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ। ଜାତୀୟ ସେବା ସଂସ୍ଥା ଶିବିରର ଯୋଜନା ଅଧିକାରିଣୀ ତଥା ଇଂରାଜୀ ବିଭାଗ ଅଧ୍ୟାପିକା ଜ୍ୟୋତ୍ସ୍ନାମୟୀ ଶତପଥୀ ସେବା ଶିବିରର କାର୍ଯ୍ୟକ୍ରମ ଉପରେ ବିବରଣୀ ପାଠ କରିଥିଲେ। ଶିକ୍ଷା ବିଭାଗ କର୍ମଚାରୀ ଶ୍ରୀନିବାସ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିବିରାର୍ଥନୀ ସୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।