Home ଜିଲ୍ଲା ପରିକ୍ରମା ଡେପୁଟେସନରେ ଯାଇ ମେଡିକାଲକୁ ଫେରିବାକୁ ଭୁଲିଗଲେ ଡାକ୍ତର, ୪ ବର୍ଷ ହେଲା ଡାକ୍ତର ବିହୀନ ଆନନ୍ଦପୁର...

ଡେପୁଟେସନରେ ଯାଇ ମେଡିକାଲକୁ ଫେରିବାକୁ ଭୁଲିଗଲେ ଡାକ୍ତର, ୪ ବର୍ଷ ହେଲା ଡାକ୍ତର ବିହୀନ ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର, ଭୋଗୁଛନ୍ତି ୫ ହଜାର ଲୋକ

6

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୪ ବର୍ଷ ଧରି ଜଣେ ସ୍ଥାୟୀ ଏମବିବିଏସ ଡାକ୍ତର ବିନା ଚାଲିଆସୁଛି। ଡେପୁଟେସନରେ ଯାଇଥିବା ଡାକ୍ତର ମିତାଲି ଶ୍ରୀବାସ୍ତବ ମେଡିକାଲକୁ ଫେରିନଥିବାରୁ ସମଗ୍ର ଅଂଚଳର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭାଙ୍ଗି ପଡ଼ିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କେବଳ ଆନନ୍ଦପୁର ପଂଚାୟତ ନୁହେଁ, ବରଂ ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଂଚାୟତ ଓ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତଳିହା ପଂଚାୟତର ପ୍ରାୟ ୫ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ଡାକ୍ତର ନଥିବାରୁ ସାଧାରଣ ଜ୍ୱର, କାଶ, ଡାଏରିଆ, ଛୋଟମୋଟ ଦୁର୍ଘଟଣା ମଧ୍ୟ ଏଠାରେ ଚିକିତ୍ସା ହୋଇପାରୁନାହିଁ। ୧୯୮୯ ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତମାନ ଜଣେ ମାତ୍ର ଆୟୁଷ ଡାକ୍ତରଙ୍କ ଭରସାରେ ଚାଲୁଛି। ଆପାତକାଳୀନ ସ୍ଥିତିରେ ରୋଗୀମାନେ ମେଡିକାଲକୁ ଆସି ନିରାଶ ହୋଇ ଫେରୁଛନ୍ତି। ଫଳରେ ରୋଗୀମାନେ ବାଧ୍ୟ ହୋଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କରୋନା ପୂର୍ବରୁ ଏଠାରେ ଏମବିବିଏସ ଡାକ୍ତର ମିତାଲି ଶ୍ରୀବାସ୍ତବ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ଓ ଲୋକେ ତାଙ୍କ ଉପରେ ନିର୍ଭର କରୁଥିଲେ। କିନ୍ତୁ କରୋନା ସମୟରେ ସେ ଡେପୁଟେସନରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତାଙ୍କ ଫରେ କୌଣସି ବ୍ୟବସ୍ଥା ନହେବାରୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିହୀନ ହୋଇ ରହିଛି। ସରକାର “ସୁସ୍ଥ ଓଡ଼ିଶା”ର ନାରା ଦେଉଥିବାବେଳେ, ତିନିଟି ପଞ୍ଚାୟତର ସୀମାନ୍ତ ଅଂଚଳରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦା ସୁଧାକର ସେଠୀ କହିଛନ୍ତି, ଡାକ୍ତର ନଥିବାରୁ ଗରିବ ଲୋକେ ସବୁଠାରୁ ଅଧିକ ପ୍ରଭାବିତ। ଯଦି ଶୀଘ୍ର ଏଠାରେ ଜଣେ ଏମବିବିଏସ ଡାକ୍ତର ନିଯୁକ୍ତି ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ। ଅଂଚଳବାସୀଙ୍କ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଆନନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବାକୁ ସାଧାରଣରେ ଦାବି ହୋଇଛି। ତେବେ ଏନେଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ମନ୍ମୟ ସାମନ୍ତ ସିଂହାରଙ୍କୁ ପଚାରିବାରୁ କୁହନ୍ତୁ ମେଡିକାଲରେ ଡାକ୍ତର କମ ଥିବାରୁ ମିତାଲି ଶ୍ରୀବାସ୍ତବଙ୍କୁ ଡେପୁଟେଶନରେ ରଖାଯାଇଛି ବୋଲି କହିଛନ୍ତି। ତେବେ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ଯେ ଶ୍ରୀବାସ୍ତବଙ୍କୁ ଶୀଘ୍ର ମୂଳ ସ୍ଥାନକୁ ଫେରାଇଆଣିବାକୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.