Home ଓଡ଼ିଶା ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ(ସାନ୍ତା ଗ୍ରାମ) ଗ୍ରାମ ଗୁଡିକରେ ପାଳିତ ହେଲା ‘ପୁଷ ପରବ’

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ(ସାନ୍ତା ଗ୍ରାମ) ଗ୍ରାମ ଗୁଡିକରେ ପାଳିତ ହେଲା ‘ପୁଷ ପରବ’

62

ନବରଙ୍ଗପୁର ୮/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠିକାର ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ପର୍ବ ପର୍ବାଣୀ ମଧ୍ୟ ନିଆରା ଓ ଅତି ସରଳ।ବର୍ଷ ସାରା ଅନେକ ପର୍ବ ପର୍ବାଣୀ ପଡୁଥିଲେ ମଧ୍ୟ ଯେତେବେଳେ ଆଦିବାସୀ ମାନଙ୍କ ପର୍ବ ପର୍ବାଣୀ କଥା ପଡେ, ସେତେବେଳେ ମନ ରେ ଏକ କୌତୁହଳ ଦେଖାଦିଏ।ମଣ୍ଡେଇ, ଦଶହରା, ଦିଆଲି, ଟୋକିମାରା ପର୍ବ, ପୁଷପୁନି ଏମିତି ଅନେକ ପର୍ବ ପର୍ବାଣୀ ନବରଙ୍ଗପୁର ଜିଲ୍ଲା ବାସୀ ପାଳନ କରିଥାନ୍ତି। ଏହି ସବୁ ପର୍ବପର୍ବାଣୀ ଗୁଡିକ ମଧ୍ୟରେ କିଛି ପର୍ବ ସମଗ୍ର ଜିଲ୍ଲାବାସୀ ସାମୁହିକ ଭାବ ରେ ପାଳନ କରୁଥିବା ବେଳେ କିଛି ପର୍ବ ନିର୍ଦ୍ଧିଷ୍ଟ କିଛି ସମ୍ପ୍ରଦାୟ ର ଲୋକେ ଧୂମଧାମ ର ସହ ପାଳନ କରିଥାନ୍ତି।କନ୍ଧ, ପରଜା ସମ୍ପ୍ରଦାୟ ର ଲୋକେ ଟୋକିମାରା, ପୁଷପୁନି ପର୍ବ କୁ ଗୁରୁତ୍ୱ ଦେଇ ଧୁମଧାମ ରେ ପାଳନ କରିଥାନ୍ତି।କନ୍ଧ (ସାନ୍ତା )ସମ୍ପ୍ରଦାୟ ର ଲୋକେ ପୌଷ ମାସ ର ପୁର୍ଣିମା ତିଥି କୁ “ପୁଷପୁନି” ପର୍ବ ଭାବରେ ପାଳନ କରିଥାନ୍ତି।ଓଡିଶା ରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣୀ ମାନଙ୍କ ମଧ୍ୟରେ ଏହି ପର୍ବ ସାନ୍ତା ବା କନ୍ଧ ସମ୍ପ୍ରଦାୟ ର ମୁଖ୍ୟ ପର୍ବ।ଏହି ପର୍ବ ପାଇଁ ପ୍ରତ୍ୟେକ ଘରର ଝିଅବୋହୁ ମାନେ ଘର ଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରି ବିଭିନ୍ନ ରଙ୍ଗ ରେ ସଜେଇଥାନ୍ତି।ପୂର୍ଣ୍ଣମୀ ର ସାତ ଦିନ ପୂର୍ଵ ରୁ ପ୍ରତି ଗ୍ରାମରେ ବସବାସ କରୁଥିବା କନ୍ଧ ସମ୍ପ୍ରଦାୟ ର ଲୋକେ ଏକ ବୈଠକ କରି ପର୍ବ ପାଇଁ ଚାନ୍ଦା ଆଦାୟ କରନ୍ତି ଓ ପୂର୍ବ ପ୍ରସ୍ତୁତି ରେ ଲାଗି ଯାଆନ୍ତି।ପ୍ରତି ପରିବାର ର ଲୋକେ ଏହି ପର୍ବ ପାଇଁ ନୂତନ ବସ୍ତ୍ର ସବୁ ପରିଧାନ କରିଥାନ୍ତି।ଗ୍ରାମ ର ପ୍ରତ୍ୟେକ ପରିବାର ରୁ ଜଣେ ବ୍ୟକ୍ତି ଜଙ୍ଗଲ କୁ ଯାଇ କାଠ ସଂଗ୍ରହ କରି ଆଣି ଦେବୀ ଙ୍କ ପୀଠରେ ରଖନ୍ତି ଓ ସେହି ଠାରେ ସାତ ଦିନ ପର୍ଯ୍ୟନ୍ତ ନିଆଁ ଜାଳି ପ୍ରତି ପରିବାର ର ଜଣେ ଜଣେ ବ୍ୟକ୍ତି ଓ ମହିଳା ରାତିରେ ଦଳବଦ୍ଧ ହୋଇ ଶୋଇବାର ପରମ୍ପରା ରହିଛି।ହେଲେ ଆଜିକାଲି ଆଉ ସାତଦିନ ଧରି ଲୋକେ ଶୋଉନାହାନ୍ତି।କେବଳ ଦୁଇ ବା ତିନିଦିନ ଶୋଉଛନ୍ତି।ଯେଉଁ ପରିବାର ରୁ କାଠ ଆସେନାହିଁ ସେହି ପରିବାର କୁ ଦଣ୍ଡ ସ୍ୱରୂପ କିଛି ଅର୍ଥ ଜରିମାନା ଆକାର ରେ ଦଣ୍ଡିତ କରାଯାଏ।ରାତିରେ କନ୍ଧ ସମ୍ପ୍ରଦାୟ ର ଯୁବକ ଯୁବତୀ ମାନେ ନାଚଗୀତ ରେ ମସଗୁଲ ରୁହନ୍ତି।ଏହି ପର୍ବ ପାଳୁଥିବା ଭିତରେ ଯଦି କୌଣସି ପୁଅ କୌଣସି ଝିଅ କୁ ପସନ୍ଦ କରି ଫେରାର ହୁଅନ୍ତି ଓ ଉଭୟେ ଉଭୟ ଙ୍କୁ ପସନ୍ଦ କରୁଥାନ୍ତି ତେବେ ସେ ଦୁହିଁଙ୍କୁ ସ୍ୱାମୀ ସ୍ତ୍ରୀ ମାନ୍ୟତା ମଧ୍ୟ ମିଳିଯାଏ।ସାନ୍ତା ଗ୍ରାମ ମାନଙ୍କ ରେ ଏହି ପର୍ବ ର ରାତିରେ କନ୍ଧ ସମ୍ପ୍ରଦାୟ ର ଲୋକେ ଗ୍ରାମ ରେ ବୁଲି ଛେଳି, ମେଣ୍ଢା, କୁକୁଡ଼ା, ବତକ ଓ ପନିପରିବା ସବୁ ଚୋରୀ କରିଥାନ୍ତି।ପର୍ବ ଦିନ ସେମାନେ ଯାହା ବି ଚୋରୀ କରି ଆଣିବେ ସେସବୁକୁ ଗାଁ ମୁଣ୍ଡରେ ଥିବା ଦେବୀ ଙ୍କ ପୀଠ ରେ ଠୁଳ କରାଯାଏ ଓ ପୀଠ ରେ ଜାଳି ଥିବା ନିଆଁ ରେ ରୋଷେଇ କରି ପ୍ରତି ପରିବାର କୁ ବାଣ୍ଟି ଦିଆଯାଏ।ପର୍ବ ଦିନ ଯିଏ ଯାହା ବି ଚୋରୀ କଲେ ତାକୁ ଏହି ପରବ ପାଇଁ କ୍ଷମା ଦିଆଯାଏ। ପର୍ବ ସମୟରେ ଗ୍ରାମ କୁ କୌଣସି ଚିହ୍ନା କି ଅଚିହ୍ନା ଲୋକ ଯଦି ପ୍ରବେଶ କରନ୍ତି ତେବେ ତାକୁ ଶ୍ରଦ୍ଧା ର ସହ ଖଟିଆ ରେ ବୋହି ଗାଁ ମୁଣ୍ଡ ରେ ଥିବା ପୀଠ ପର୍ଯ୍ୟନ୍ତ ନିଆଯାଏ ଓ ସସମ୍ମାନେ ବସିବାକୁ ଆସନ ଦିଆଯାଏ ଓ ଖାଇବାକୁ ବିଭିନ୍ନ ଦ୍ରବ୍ୟ ଦିଆଯାଏ।ପ୍ରତି ପରିବାର ରେ ପର୍ବ ପାଇଁ ମାଣ୍ଡିଆ ଯାଉ ବା ଲନ୍ଦା ତିଆରି ହୁଏ।ସାନ୍ତା ମାନଙ୍କ ଦ୍ୱାରା ତିଆରି ଲନ୍ଦା ଏବଂ ପେଣ୍ଡମ ଗ୍ରାମ କୁ ଆସୁଥିବା ଅତିଥି ତଥା ନିମନ୍ତ୍ରିତ ବନ୍ଧୁବାନ୍ଧବ ଙ୍କୁ ପରଶି ଦିଆଯାଏ। କେଉଁ ଆଦିମ କାଳରୁ କନ୍ଧ ସମ୍ପ୍ରଦାୟ ରେ ଏହି ପରମ୍ପରା ପାଳିତ ହେଉଛି। ଡାବୁଗାଁର ବିଭିନ୍ନ ସାନ୍ତା ଗାଁ ଗୁଡିକ ରେ ମଧ୍ୟ ଏହି ପର୍ବ ଟି ହର୍ଷ ଉଲ୍ଲାସ ରେ ପାଳିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.