Home ଜିଲ୍ଲା ପରିକ୍ରମା ଡାକ୍ତରଙ୍କ ସହ ଜିଲାପାଳଙ୍କ ଆଲୋଚନା ବୈଠକ, ରୋଗୀଙ୍କ ପ୍ରତି ଉତମ ଆଚରଣ ପ୍ରଦର୍ଶନ କର

ଡାକ୍ତରଙ୍କ ସହ ଜିଲାପାଳଙ୍କ ଆଲୋଚନା ବୈଠକ, ରୋଗୀଙ୍କ ପ୍ରତି ଉତମ ଆଚରଣ ପ୍ରଦର୍ଶନ କର

8

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଗଣମାଧ୍ୟମ, ସୋସିଆଲ ମିଡିଆ ଓ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ପରେ ଜିଲାପାଳ ଗତକାଲି ବୁଧବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତର ଓ ହସ୍‌ପିଟାଲର ଅନ୍ୟ ଅଧିକାରୀମାନଙ୍କୁ ଡକାଇ ଗୁରୁମନ୍ତ୍ର ଦେଇଛନ୍ତି । ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜ ଡ୍ୟୁଟିରେ ଅବହେଳା ନକରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଡାକ୍ତରମାନେ ଦ୍ୱିତୀୟ ଈଶ୍ୱର। ରୋଗୀଙ୍କୁ ଭଲ ଆଚରଣ ଦର୍ଶାଇ ସେବା ଯୋଗାଇଦେଲେ ରୋଗ ଅଧା ଉପଶମ ହେବ। ଏଣୁ ଆଚରଣ ଓ ଉଚ୍ଚାରଣରେ ରୋଗୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ସହ ଉପଯୁକ୍ତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଠିକ୍ ସମୟରେ ନିଜ କାର୍ଯ୍ୟରେ ଯୋଗ ଦେବାକୁ ସମସ୍ତ କର୍ମଚାରୀମାନଙ୍କୁ ତାଗିଦ କରିବା ସହ ଗାଁ ଗାହଳିରୁ ଆସିଥିବା ରୋଗୀଙ୍କ ପ୍ରତି ସମବେଦନା ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ଅସ୍ଥିଶଲ୍ୟ ଓ ମହିଳା ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର କାର୍ଯ୍ୟ ଠିକ୍ ଭାବରେ ହେଉନଥିବାର ଅଭିଯୋଗ ତାଙ୍କ ପାଖକୁ ଆସୁଥିବାର ସେ ପ୍ରକାଶ କରିଥିଲେ। ତେବେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ପାଇଁ ସମସ୍ତ ଆବଶ୍ୟକ ଯନ୍ତ୍ରପାତି ଥିଲେ ମଧ୍ୟ ଇନ୍‌କ୍ଲାଂଟ ର ବ୍ୟବସ୍ଥା ନଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୁବଶୀଘ୍ର ଏଥିପାଇଁ ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ବୈଠକରେ ମତ ପ୍ରକାଶ କରିଥିଲେ। ସେହିପରି ମହିଳା ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର ସଂଖ୍ୟା ବୃଦ୍ଧି କରିବା ସହ ମା’ ଓ ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ମତ ପ୍ରକାଶ କରିଥିଲେ। ଆବଶ୍ୟକ ଯନ୍ତ୍ରପାତି ନଥିବାରୁ ଚକ୍ଷୁ ଅସ୍ତ୍ରୋପଚାର କାର୍ଯ୍ୟ ହୋଇପାରୁନାହିଁ। ତେବେ ଏହାକୁ ନେଇ ଜିଲାପାଳ ଶ୍ରୀ ରାଉତରାଏ ଅସ୍ତ୍ରୋପଚାରକୁ ନେଇ ଆବଶ୍ୟକ ପଡୁଥିବା ମାଇକ୍ରୋସ୍କୋପ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ଶୀଘ୍ର ଯୋଗାଇଦେବାକୁ ସେ ଟେଲିଫୋନ୍‌ରେ ରାଜ୍ୟ ବିଭାଗୀୟ ମୁଖ୍ୟଙ୍କ ସହ କଥାବାର୍ତା ହୋଇଥିଲେ। ସଦ୍‌ଭାବନା ଗୃହରେ ଜିଲାପାଳ ଶ୍ରୀ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିଡିଏମ୍‌ଓ ସୁଧୀରଞ୍ଜନ ନାୟକ, ଡିଏମ୍‌ଓ ଏମ୍‌ଏସ ମିନତୀ ଦାସ, ଅସ୍ତ୍ରୋପଚାର ବିଭାଗର ମୁଖ୍ୟ ଡିଏମ୍ ପଣ୍ଡା, ସୁବାଷ ବିଶ୍ୱାଳ, ପ୍ରସୂତି ବିଭାଗର ମୁଖ୍ୟ ସୌଦାମିନୀ ଧଳ, ଶିଶୁ ବିଭାଗ ମୁଖ୍ୟ ସୁଧାକୃଷ୍ଣ ସାହୁ, ଟିବି ଚେଷ୍ଟ ମୁଖ୍ୟ ମନୋରଂଜନ ପାଣିଗ୍ରାହୀ, ପ୍ୟାଥୋଲୋଜିଷ୍ଟ ବିମଳା ପଣ୍ଡା, ଡିପିଏମ୍ ବନବିହାରୀ ମିଶ୍ର, ହସ୍‌ପିଟାଲ ମ୍ୟାନେଜର ସମୀର ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଜିଲାପାଳଙ୍କର ଏହି ବୈଠକକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଭର୍ଚୁଆଲରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.