ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗୋରୁହାଟ ପଡ଼ିଆରେ ୫ଜଣ ଆନ୍ତଃରାଜ୍ୟ ଡକାୟତ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବାକୁ ବିଳମ୍ବିତ ରାତିରେ ଯୋଜନା କରୁଥିଲେ। ଏହି ସମୟରେ ପୁଲିସଦୋଳସାହି, ଗାଜିପୁର ଓ ଅଲୀନଗର ଅଂଚଳରେ ରାତ୍ର ପେଟ୍ରୋଲିଂ କରୁଥିଲେ। ଡକାୟତି ଯୋଜନାର ଖବର ପାଇବା ପରେ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଚିତରଂଜନ ବାରିକ ସଦଳବଳେ ସେହି ସ୍ଥାନରେ ପହଂଚି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଡକାୟତି ଦଳ ପୁଲିସକୁ ଦେଖି ଦୌଡ଼ି ପଳାଇ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଡକୟତି ଯୋଜନା କରୁଥିବା ଡକାୟତମାନେ ହେଲେ ଦୋଳସାହି ଗ୍ରାମର ଅଜୟ ଦାସ (୨୨) ଓ ସଦାନନ୍ଦ ଦାସ (୨୭), ଗଂଜାମ ଜିଲା ଭଂଜନଗର ଗ୍ରାମର ଶିବରାମ ଜେନା (୨୬) ଓ ରାଜା ନାୟକ (୨୮), ଖୋର୍ଦ୍ଧା ଜିଲା ଟାଉନ ଥାନା ଅଧୀନ ଦେବାନିସାହିର ଚନ୍ଦନ ସାହୁ (୨୫) ବୋଲି ପୁଲିସ ପଚରା ଉଚୁରା ବେଳେ ଜାଣିବାକୁ ପାଇଥିଲା। ସେମାନଙ୍କ ଠାରୁ ପୁଲିସ ୨ଟି ଖଣ୍ଡା, ଲୁହାରଡ଼, ଛୁରୀ, ହାତୁଡ଼ି ସହିତ ଖାଲି ମଦବୋତଲ, ସିଗାରେଟ ପ୍ୟାକେଟ ଇତ୍ୟାଦି ଜବତ କରିଥିବା ଜଣାଯାଇଛି। ତେବେ ସେମାନେ ଗୁଆମାଳ ଗ୍ରାମର ଜଣକ ଘରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ଏହି ଡକାୟତମାନେପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଜଣାଯାଇଛି। ସେମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଯାତାୟତ କରୁଥିବା ଯାତ୍ରୀ, ଗାଡ଼ି, ରାସ୍ତାପାଶ୍ୱର୍ ଗ୍ରାମ ଓ ଘରେ ଡକୟତି କରିବାକୁ ସେମାନଙ୍କର ଯୋଜନା ଥିବା କହିଛନ୍ତି। ଏ ସମ୍ପର୍କରେ ପୁଲିସ ୮/୨୫ରେ ଏକ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି।