Home ଜିଲ୍ଲା ପରିକ୍ରମା ଟ୍ୟୁସନ୍‌ରୁ ଫେରୁଥିବା ଛାତ୍ରୀକୁ ଜୋର ଜବରଦସ୍ତ ଅପହରଣ ଅଭିଯୋଗ, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନୁହଁନ୍ତି ମା’

ଟ୍ୟୁସନ୍‌ରୁ ଫେରୁଥିବା ଛାତ୍ରୀକୁ ଜୋର ଜବରଦସ୍ତ ଅପହରଣ ଅଭିଯୋଗ, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନୁହଁନ୍ତି ମା’

71

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟ୍ୟୁସନ୍‌ରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ରାସ୍ତା ଉପରୁ ଜୋର ଜବରଦସ୍ତ କାର୍‌ରେ ଉଠାଇନେବା ଘଟଣାକୁ ନେଇ ତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ସ୍ଥାନୀୟ ଥାନା ପୁଲିସ୍ ଛାତ୍ରୀ ଜଣକ ସାବାଳିକା ଥାଇ ନିଜ ଇଚ୍ଛାରେ ଯାଇ ନୋଟାରୀରେ ବିବାହ କରିଥିବା ବିଷୟ କହୁଥିବାବେଳେ କନ୍ୟାର ମା’ ପକ୍ଷରୁ ତାଙ୍କ ଝିଅକୁ ଭୟଭୀତ କରାଇ ଏଭଳି କାର୍ଯ୍ୟ କରାଯିବା ସହ ବୟାନ ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୧୯ ତାରିଖ ଦିନ ଚାନ୍ଦବାଲି ଥାନା ଅଧୀନସ୍ଥ ମହୁଲିଆ ଛକ ନିକଟରେ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ କନ୍ୟା ମଧୁସ୍ମିତା ଟ୍ୟୁସନରୁ ଘରକୁ ଫେରୁଥିବାବେଳେ ମହୁଲିଆ ଛକ ନିକଟରେ ଏକ କାର୍‌ରେ କେତେକ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଅପହରଣ କରିଥିଲେ । ଏହି ଘଟଣା ପରେ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ସେହିଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କେବଳ ନାମକୁ ମାତ୍ର ଅପହରଣ ମାମଲା ରୁଜୁ କରି ହାତବାନ୍ଧି ବସିଥିଲା । ଏଥିନେଇ ପରିବାର ଲୋକେ ଗତ ୧୦ ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରୁନଥିଲେ । ତେବେ ଏହି ଘଟଣା ସଂପର୍କରେ ଆଜି ଯୁବତୀଙ୍କ ମା’ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ତାଙ୍କ କନ୍ୟା ଫୋନ୍ କରି ତାକୁ ମାରଧର ଓ ଧମକ ଦିଆଯାଉଥିବା ବିଷୟ କାନ୍ଦି କାନ୍ଦି କହିଥିଲା । ନିଜ ଇଚ୍ଛାରେ ଆସିଛି ବୋଲି ତାକୁ ପୁଲିସ୍ ଆଗରେ କହିବାକୁ ଚାପ ପକାଯାଉଥିଲା । ଏହି ଘଟଣା ପରେ ଥାନା ପକ୍ଷରୁ କନ୍ୟାର ମା’ କୁ ଥାନାକୁ ଡକାଯାଇ ସେ ସାବାଳିକା ଥାଇ ନିଜ ଇଚ୍ଛାରେ ବିବାହ କରିଥିବାର ଏକ ନୋଟାରୀ ମ୍ୟାରେଜ୍ କପି ଧରାଇ ଦିଆଯାଇଥିଲା । କିନ୍ତୁ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କନ୍ୟାର ପରିବାର ଲୋକେ । ତାଙ୍କ ମା’ଙ୍କ କହିବା ଅନୁଯାୟୀ ଏପର୍ଯ୍ୟନ୍ତ ପୁଲିସ୍ ତାଙ୍କ କନ୍ୟାଙ୍କୁ ତାଙ୍କ ସହ ଦେଖା କରାଇବା ନେଇ ଆଜିକାଲି କହିଚାଲିଛି । ଏପର୍ଯ୍ୟନ୍ତ ତାକୁ ସେମାନେ ଦେଖିନାହାଁନ୍ତି । ତେବେ ସିସିଟିଭି ଫୁଟେଜ୍ ଏବେ ହସ୍ତଗତ ହେବା ପରେ ସେଥିରେ ଥିବା ଦୃଶ୍ୟରୁ ଝିଅଟିକୁ ବଳପୂର୍ବକ କାର୍‌ରେ ନିଆଯାଉଥିବାର ଦେଖାଯାଇଛି । ଏହି ଘଟଣା ସଂପର୍କରେ ଚାନ୍ଦବାଲି ଥାନାଧିକାରୀ ଆଜି ଝିଅକୁ ଉଦ୍ଧାର କରାଯିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.