Home ଜିଲ୍ଲା ପରିକ୍ରମା ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ ମାମଲା, ୨ ଲକ୍ଷ ଟଙ୍କା କ୍ଷତିପୂରଣ ଜମା କରିବାକୁ ଭଦ୍ରକ...

ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ ମାମଲା, ୨ ଲକ୍ଷ ଟଙ୍କା କ୍ଷତିପୂରଣ ଜମା କରିବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ

9

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ୍ ନିଜ ହେପାଜତରେ ଟ୍ରେନ୍‌ରେ ଆଣୁଥିବାବେଳେ ସେ ଖସିପଡି ମୃତ୍ୟୁବରଣ କରିବା ଘଟଣାରେ ମା’ ବାସନ୍ତୀ ପୁହାଣ ଦାଏର କରିଥିବା ଆବେଦନର ଶୁଣାଣିରେ ଉଚ୍ଚ ନ୍ୟାୟାଳୟ ୨ ଲକ୍ଷ ଟଙ୍କା ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ (ଡିଏଲ୍‌ଏସଏ) ନିକଟରେ ୧ ସପ୍ତାହ ମଧ୍ୟରେ ଜମା କରିବା ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅମ୍ରିତ ପୁହାଣ ନାମକ ଜଣେ ଯୁବକ ଜଣେ ଯୁବତୀକୁ ଅପହରଣ କରିଥିବା ଅଭିଯୋଗରେ ଭଦ୍ରକ ପୁଲିସ୍ ଯୁବତୀଙ୍କ ପରିବାର ସହିତ ସୂଦୁର ଗୋଆ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତେବେ ୨୦୧୮ ଏପ୍ରିଲ ୧୬ ତାରିଖରେ ଟ୍ରେନ୍‌ରେ ଭଦ୍ରକ ପୁଲିସ୍ ଅମ୍ରିତକୁ ଭଦ୍ରକ ଆଣୁଥିବାବେଳେ ସନ୍ଦେହ ଜନକ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ପରବର୍ତୀ ଅବସ୍ଥାରେ ପଶ୍ଚିମବଂଗ ବେଲଦା ଟ୍ରେନ୍ ଲାଇନ୍ ନିକଟରୁ ତାର ଶବ ମିଳିଥିଲା। ତେବେ ଟ୍ରେନ୍‌ରୁ ଖସି ତାର ମୃତ୍ୟୁ ହୋଇଥିବା ବିଷୟ ପୁଲିସ୍ କହିଥିଲା। ଏହି ଘଟଣାରେ ମୃତ ଯୁବକଙ୍କ ମା’ ବାସନ୍ତୀ ପୁହାଣଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରାଯିବା ପରେ ଅଦାଲତଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ୨୦୨୪ ଫେବୃୟାରୀ ୮ ରେ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଘଟଣାର ତଦନ୍ତ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନଥିବା ପ୍ରସଙ୍ଗକୁ ଉଚ୍ଚ ନ୍ୟାୟାଳୟ ବିଚାରକୁ ନେଇ ଏହି ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ୧୦ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ। ତେବେ ଏହି କ୍ଷତିପୂରଣ ପ୍ରଦାନ ଆବେଦନକାରୀଙ୍କ ବଦଳରେ ଜିଲା ଆଇନ୍ ସେବା ପ୍ରାଧିକରଣରେ ଜମାଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ଉକ୍ତ କ୍ଷତିପୂରଣ ଅର୍ଥରାଶି ଭଦ୍ରକ ଏସ୍‌ପିଙ୍କ ପକ୍ଷରୁ ଜିଲା ଆଇନ୍ ସେବା ପ୍ରାଧିକରଣ ନିକଟରେ ଏକ ସପ୍ତାହ ଭିତରେ ଜମା କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.