Home ଜିଲ୍ଲା ପରିକ୍ରମା ଟେଣ୍ଡର ହୋଇ କାମ ହେଉନି ନିର୍ମାଣ ସରି ମଧ୍ୟ ଉଦଘାଟନ ହେଉନି, ରାଜନୈତିକ ସ୍ୱେଛାଚାରିତା ପାଖରେ...

ଟେଣ୍ଡର ହୋଇ କାମ ହେଉନି ନିର୍ମାଣ ସରି ମଧ୍ୟ ଉଦଘାଟନ ହେଉନି, ରାଜନୈତିକ ସ୍ୱେଛାଚାରିତା ପାଖରେ ଅଟକିଛି ଜିଲ୍ଲବାସୀଙ୍କ ବିକାଶ

33

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୈତିକ ସ୍ୱେଛା ଚାରିତା ପାଖରେ ଅଟକିଛି ଭଦ୍ରକ ଜିଲ୍ଲା ବାସୀଙ୍କ ବିକାଶ । ଶାସନ ବଦଳିବା ସହିତ ଭଦ୍ରକ ଜିଲ୍ଲାରେ ବିକାଶ ଏକପ୍ରକାର ଠପ ହୋଇ ଯାଇଛି । ନୂତନ ଯୋଜନା କାର୍ଯ୍ୟକାରୀ ହେବା ଦୁରକୁ ଥାଉ ପୂର୍ବରୁ ଟେଣ୍ଡର ସରିଥିବା କାର୍ଯ୍ୟ ଆରମ୍ଭ ହୋଇ ପାରୁନି କିମ୍ଭା ନିର୍ମାଣ ସରିଥିବା ପ୍ରକଳ୍ପ ଉଦଘାଟନ ହୋଇ ପାରୁନି । ଯାହାକୁ ନେଇ କେବଳ ଜିଲ୍ଲବାସୀ ନୁହଁନ୍ତି ଭଦ୍ରକ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ସରକାରଙ୍କ ଅମଳରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟ ରେ ଆରମ୍ଭ ହୋଇଥିବା ଭଦ୍ରକ ଜିଲ୍ଲା ହସ୍ପିଟାଲ ଇତିମଧ୍ୟରେ ନିର୍ମାଣ ଶେଷ ହୋଇ ସାରିଥିଲେ ମଧ୍ୟ ଆଦ୍ୟାବଧି ତାହା ଉଦଘାଟନ ହୋଇ ପାରୁ ନାହିଁ । ସେହିଭଳି ଭଦ୍ରକ ବାଘୁରାଇ ନିକଟରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସହର ର ଏକମାତ୍ର ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଶେଷ ହୋଇ କିଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇ ଥିଲେ ମଧ୍ୟ ଆଜି ସୁଦ୍ଧା ଏହାର ଉଦଘାଟନ ଦୁରକୁ ଥାଉ ଷ୍ଟାଡିୟମ କୁ ବିଜୁଳି ସଂଯୋଗ ହୋଇପାରୁନି । ସେହିଭଳି ଏହି କମ୍ପେ୍ଲକ୍ସ ରେ ପ୍ରାୟ ୧୧ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସୁଇମିଙ୍ଗ ପୁଲ ଏବଂ ୧୦ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ଭଦ୍ରକ ପୁରୁଣା ବଜାର ଅଂଚଳରେ ଐତିହାସିକ ସଦାବର୍ତ ମଠ ଜାଗାରେ ୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମିନି ଷ୍ଟାଡିୟମ ପାଇଁ ଟେଣ୍ଡର ସରି କାର୍ଯ୍ୟାଦେଶ ଜାରି ହୋଇଥିଲେ ମଧ୍ୟ ଆଦ୍ୟାବଧି ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ ହୋଇ ପାରୁନି । ଯାହାକୁ ନେଇ ଗତ ବିଧାନସଭା ଅଧିବେଶନ ରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କୁହାଯାଇଛି ଜାଗା ଜମି ଅଡୁଆ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ତେବେ ଅସଲ କଥା କ୍ଷମତାସୀନ ଦଳର ନେତୃବର୍ଗଙ୍କ ଅସହଯୋଗ ଯୋଗୁ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି କ୍ଷ କାରଣ ନିର୍ମାଣ ସରିଥିବା ଅଥବା କାର୍ଯ୍ୟାଦେଶ ଥାଇ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଏହାର ଶ୍ରେୟ ପୂର୍ବ ସରକାରଙ୍କ ଅମଳର ଜିଲ୍ଲା ନେତୃତ୍ୱଙ୍କ ସପକ୍ଷରେ ଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ପୂର୍ଣାଙ୍ଗ ହୋଇଥିବା ପ୍ରକଳ୍ପ ଉଦଘାଟନ ହୋଇନପାରିବା କ୍ଷେତ୍ରରେ ହେଉ ଅଥବା ପୂର୍ବ ସରକାରଙ୍କ ଅମଳରେ କାର୍ଯ୍ୟାଦେଶ ହୋଇ କାର୍ଯ୍ୟ ଆରମ୍ଭ ହୋଇ ନପାରିବା କ୍ଷେତ୍ରରେ ହେଉ ପ୍ରକଳ୍ପ ଗୁଡିକୁ ଜାଣି ଶୁଣି ବିଳମ୍ବିତ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଭଦ୍ରକବାସୀ । ସରକାର କ୍ରୀଡାର ବିକାଶ ପାଇଁ ପ୍ରତି ବ୍ଲକ ରେ ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ କୁ ଅଗ୍ରାଧିକାର ଦେଉଥିବା କଥା ଗତ ବିଧାନସଭା ଅଧିବେଶନରେ ଧାମନଗର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି । ତଦନୁଯାଇ ଭଦ୍ରକ ସହର ସଂଲଗ୍ନ ବାଘୁରାଇ ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସରି ମଧ୍ୟ ଉଦଘାଟିତ ହୋଇ ପାରୁ ନଥିବା ବେଳେ ଏହି କମ୍ପେ୍ଲକ୍ସ ରେ କାର୍ଯ୍ୟାଦେଶ ସରି ନିର୍ମାଣ ଅପେକ୍ଷାରେ ପଡିରହିଥିବା ୧୧. ୭ କୋଟି ଟଙ୍କାର ସୁଇମିଙ୍ଗ ପୁଲ ଏବଂ ୧୦. ୭୭ କୋଟି ଟଙ୍କାର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନପାରିବା ପଛରେ ରାଜନୈତିକ ଅସହିଷ୍ଣୁତା ଚିତ୍ର ସ୍ପଷ୍ଟ ହୋଇଛି । କାରଣ ଏହି ସମନ୍ୱିତ ପ୍ରକଳ୍ପ ପାଇଁ ଯେଉଁ ଆପ୍ରୋଚ ରୋଡ଼ ଡିପିଆର ପ୍ରସ୍ତୁତ ହୋଇଥିଲା ବର୍ତମାନର ସରକାର ତାକୁ ଖାରଜ କରି ଅନ୍ୟ ଏକ ଆପ୍ରୋଚ ରୋଡ଼ ପ୍ରସ୍ତାବ ରଖୁଥିବା କୁହାଯାଉଛି । ଯାହାକି ରାଜନୈତିକ ଦୃଷ୍ଟିରୁ ଗ୍ରହଣୀୟ ହେଉଥିଲେ ମଧ୍ୟ ସାଧାରଣ ଜନସ୍ୱାର୍ଥ ଦୃଷ୍ଟିରୁ ଗ୍ରହଣୀୟ ହୋଇପାରୁ ନଥିବା କୁହାଯାଇଛି । ଫଳରେ କାର୍ଯ୍ୟାଦେଶ ଥାଇ ମଧ୍ୟ ପ୍ରକଳ୍ପ ବିଳମ୍ବିତ ହେଉଥିବା କୁହା ଯାଉଛି । ଏହାକୁ ରାଜନୈତିକ ବିବାଦ କୁହାଯିବ ନା ଜିଲ୍ଲାବାସୀଙ୍କ ଦୁର୍ଭାଗ୍ୟ ତାହା ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.