Home ଓଡ଼ିଶା ଜୟପୁରରେ ରାହୁଲ ଗାନ୍ଧୀ ; ଓଡିଶା ଗରୀବ ନୁହେଁ, ଲୋକେ ଗରୀବ-ରାହୁଲ

ଜୟପୁରରେ ରାହୁଲ ଗାନ୍ଧୀ ; ଓଡିଶା ଗରୀବ ନୁହେଁ, ଲୋକେ ଗରୀବ-ରାହୁଲ

842

କୋରାପୁଟ ; ତା୦୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଜୟପୁରଠାରେ ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଗସ୍ତରେ ଆସି ଫେରିଯାଇଛନ୍ତି।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜୟପୁରଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ଏଥିରେ ଶ୍ରୀ ଗାନ୍ଧୀ ଯୋଗଦେଇ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଶୁଭେଛା ଜଣେଇଥିଲେ।କଂଗ୍ରେସ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ ଆଣିବେ ବୋଲି ପ୍ରକାଶ କରିଥିଲେ।ଓଡିଶା ଗରୀବ ନୁହେଁ ଏଠାରେ ଲୋକେ ଗରୀବ ଅଟନ୍ତି ବୋଲି ପ୍ରକାଶ କରିଥିଲେ।ଉପସ୍ଥିତ ମହିଳାମାନଙ୍କ ସହ ସେ ସିଧା କଥାବାର୍ତ୍ତା ହୋଇଥିଲେ।କେତେଜଣ ମହିଳା ମଦ ବନ୍ଦ କରିବାକୁ ନିବେଦନ କରିଥିଲେ।ଏହାପରେ ଜୟପୁରର ଏକାମ୍ବ୍ରଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି ଏକ କାଷ୍ଠର ଉପହାର ଶ୍ରୀ ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ।ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ନିମନ୍ତେ ଅନେକ ପ୍ରତିଶୃତି ଦେଇଥିଲେ।କଂଗ୍ରେସ ସରକାର ଆସିଲେ ଉଚ୍ଚତର ଓ ବୈଷୟିକ ଶିକ୍ଷା ନିମନ୍ତେ ମହିଳାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।ଗରୀବ ପରିବାରକୁ ବାହାଘର ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସହ ବିଧବା ଭତା ୨ ହଜାର ଟଙ୍କା କରାଯିବ ବୋଲି ସେ ସୂଚନା ଦେଇଥିଲେ।ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପ୍ରତି ପଂଚାୟତରେ ଏକ ସ୍ୱତନ୍ତ ମହିଳା ଅଧିକାରୀ ନିଯୁକ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ।ମହିଳା ଛୋଟ ବ୍ୟବସାୟୀମାନଙ୍କ ନିମନ୍ତେ ଫାଇନାସିଆଲ କର୍ପୋରେସନ ସ୍ଥାପନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।ଛତିଶଗଡ ଭଳି ଓଡିଶାରେ କଂଗ୍ରେସ ସରକାର ଆସିଲେ କୃଷିରୁଣ ଛାଡ କରାଯିବ ସହ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୫୦୦ ଟଙ୍କା କରାଯିବ ବୋଲି ସେ ପ୍ରକାଶ କରିଥିଲେ।ଗରୀବ ବ୍ୟକ୍ତିମାନଙ୍କ ନିମନ୍ତେ ନ୍ୟୁନତମ ଆୟକୁ ସୁନିଶ୍ଚିତ କରାଯାଇ ବ୍ୟାଙ୍କକୁ ସିଧାସଳଖ ଅର୍ଥ ଯିବ ବୋଲି ସେ ପ୍ରକାଶ କରିଥିଲେ। ରାଫେଲ ଡିଲରେ ଦୁର୍ନିତି ହୋଇଥିବା ସେ ଅଭିଯୋଗ କରିବା ସହ ହାଲରେ ଯଦି ନିର୍ମାଣ ହୋଇଥାନ୍ତା ତେବେ ଓଡିଶାର ୩୦ ହଜାର ଯୁବକ ଚାକିରୀ ପାଇଥାନ୍ତେ ବୋଲି ସେ ପ୍ରକାଶ କରିଥିଲେ।ଜମି ଅଧିଗ୍ରହଣ ବିଲକୁ କେନ୍ଦ୍ର ସରକାର ରଦ୍ଦ କରିବାକୁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟରେ ଭିତିରି ବୁଝାମଣା ଥିବା ସେ ପ୍ରକାଶ କରିଥିଲେ।ଓଡିଶାରେ ଖଣିଜ ସଂପଦ ଭରପୂର ଥିବା ସତ୍ୱେ କାହିଁକି ଏଠାକାର ଲୋକେ ଗରୀବ ବୋଲି ସେ ପ୍ରଶ୍ନ କରିଥିଲେ।ଓଡିଶାରେ ନବୀନ ପଟନାୟକ ସରକାର ଚଳାଉନାହାନ୍ତି ଏଠାରେ ୪ ରୁ ୫ ଜଣ ସରକାରୀ ଅଧିକାରୀ ଶାସନ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ଓଡିଶାରେ କଂଗ୍ରେସ ସରକାର ଆସିଲେ ସିଧାସଳଖ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ଜଣେଇପାରିବେ ବୋଲି ସେ ସୂଚନା ଦେଇଥିଲେ।ଯିଏ ଜଗନ୍ନାଥଙ୍କ ଜମି ଖାଇ ଯାଉଛି ସେ ସାଧାରଣ ଲୋକଙ୍କ ପାଇଁ କଣ କରିବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞନ ପଟନାୟକ ବିଜେଡି ସରକାରଙ୍କ କଟାକ୍ଷ କରିଥିଲେ।ଦୁର୍ନିତି ବୃଦ୍ଧି ପାଉଥିବାରୁ ରାଜ୍ୟରେ ବିକାଶ ହୋଇପାରୁନାହିଁ ବୋଲି ସେ ପ୍ରକାଶ କରିଥିଲେ।ଆସନ୍ତା ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ।ଛତିଶଗଡରେ କଂଗ୍ରେସ ସରକାର ଆସିବାର ୨ ମାସ ମଧ୍ୟରେ ୧୮ ଟି ଇସ୍ତାହାର ପୂରଣ କରାଯାଇଛି ବୋଲି ଛତିଶଗଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିି.ଏସ, ସିଂହଦେଓ ପ୍ରକାଶ କରିଥିଲେ।ଓଡିଶାରେ କଂଗ୍ରେସକୁ ୭୫ ଟି ସିଟ ପ୍ରଦାନ କରି କଂଗ୍ରେସ ସରକାର କରିବାକୁ ସେ ଆହ୍ୱାନ ଦେଇଥିଲେ।ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରାରମ୍ଭରେ କେବଳ କଂଗ୍ରେସ ସରକାର ହିଁ ବିଗତଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିକାଶ କରି ପାରିଥିଲା ବୋଲି ମତବ୍ୟକ୍ତ କରିଥିଲେ।ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।କେବଳ କଂଗ୍ରେସ ହିଁ ବିକାଶ କରିପାରିବ ତେଣୁ ରାଜ୍ୟରେ କଂଗ୍ରେସକୁ ଭୋଟ ଦେବା ସହ ଲୋକସଭା କ୍ଷେତ୍ରରେ କଂଗ୍ରେସକୁ ବିପୁଳ ଭୋଟରେ ବିଜୟୀ କରିଲେ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝି ନିଜ ଭାଷଣରେ ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପୂର୍ବତନ ପ୍ରଦେଶ କମିଟି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ,  ଜଗନ୍ନାଥ ପଟନାୟକ,  ରାମଚନ୍ଦ୍ର ଖୁଟିଂଆ, ଭକ୍ତ ଦାସ, ସର୍ବଭାରତୀୟ କଂଗ୍ରେସର ମହିଳା ସଭାନେତ୍ରୀ ସୁସ୍ମିତା ଦେବ, ଲକ୍ଷ୍ମିପୁର ବିଧାୟକ କୈଳାସ କୁଲସିକା,  ପୂର୍ବତନ ସାଂସଦ ନକୁଲ ନାୟକ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ପ୍ରମୁଖଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ।ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ତଥା ବିଜେପି ପ୍ରବକ୍ତା ଜ୍ଞାନେନ୍ଦ୍ର ବେଉରା କଂଗ୍ରେସରେ ଯୋଗଦେଇଥିଲେ।ଡାବୁଗାଁ ବିଧାୟକ ଭୁଜବଳ ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର କାଡାମ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସାଧାରଣ ସଭାରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୧ ଲକ୍ଷ କଂଗ୍ରେସ କର୍ମି ଯୋଗ ଦେଇଥିବାରୁ ଆୟୋଜକଙ୍କ ମଧ୍ୟରେ ଖୁସି ଖେଳିଯାଇଥିଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.