Home Top News ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ: ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ନୀତି

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ: ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ନୀତି

96

ପୁରୀ ୨୧-୬ (ଓଡ଼ିଆ ପୁଅ) ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ନୀତି ଅନୁଷ୍ଠିତ ହେବା ସହ ଜଳକ୍ରୀଡା ନୀତି ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ସକାଳ ଧୂପ ପୂଜା ବଢ଼ିଲା ପରେ ଦକ୍ଷିଣ ଘରେ ଶ୍ରୀ ମଦନମୋହନ ବେଶ ହୋଇଥାନ୍ତି। ଭୋଗ ବଢିବା ପରେ ମହାଲକ୍ଷ୍ମୀ (ଶ୍ରୀଦେବୀ) ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି ଓ ସେଠାରେ ଦେବୀଙ୍କର ମହାସ୍ନାନ, ମାଜଣା, ବନକଲାଗି ଓ ଅଳଙ୍କାର ଲାଗି ହୋଇ ବେଶ ବଢ଼ିଥାଏ। ଏହି ସମୟରେ ଜଣେ ସେବକ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୋଇଥାନ୍ତି ଓ ମାଙ୍କ ହାତ ଛୁଆଁ କରି ଲକ୍ଷ୍ମୀଙ୍କ ମନୋଭାବକୁ ଲେଖନ କରି ଜୟବିଜୟ ଦ୍ଵାର ଠାରେ ବିଜେ ହୋଇଥିବା ଶ୍ରୀ ମଦନମୋହନଙ୍କ ନିକଟକୁ ଚିଟାଉ ପ୍ରେରଣ କରିଥାନ୍ତି। ସେଠାରେ ସେବକମାନେ ଉପସ୍ଥିତ ରହି ବଚନିକା ପାଠ କରିଥାନ୍ତି ଓ ଶ୍ରୀ ମଦନମୋହନ ରଥରେ ବିଜେ ହୋଇ ବିମଳାଙ୍କ ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି।

ମହାଲକ୍ଷ୍ମୀ ଦାସୀମାନଙ୍କ ଗହଣରେ ଗ୍ରାମଦେବୀ (ବିମଳାଙ୍କ) ପୂଜା ପାଇଁ ଭିତରକୁ ବିଜେ କରି ସେଠାରେ ପୂଜା ସାରି ଫେରିବା ବାଟରେ ଶ୍ରୀ ମଦନମୋହନ ଦେବୀଙ୍କୁ ହରଣ କରିଥାନ୍ତି। ବାଟରେ ଶିଶୁପାଳ ରାସ୍ତା ଅବରୋଧ କରୁଥିବାରୁ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ବାନ୍ଧି ଦେଇଥାନ୍ତି ଓ ପରେ ବଡ଼ଭାଇ ବଳରାମ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରିଥାନ୍ତି ଏବଂ ଏହାପରେ ଦେବୀ ମହାଲକ୍ଷ୍ମୀ ଓ ପ୍ରଭୁ ଶ୍ରୀ ମଦନମୋହନ ବିବାହ ମଣ୍ଡପକୁ (ମାଜଣା ମଣ୍ଡପକୁ) ବିଜେ କରିଥାନ୍ତି। ପରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟାଧୂପ ପୂଜା ବଢିବା ପରେ ସେବକମାନେ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମାପନ କରିଥାନ୍ତି ଓ ପରେ ଉଭୟ ବରକନ୍ୟା ସିଂହାସନକୁ ବିଜେ କରିଥାନ୍ତି।

ଏହି ଦିନ ଭିତର ଚନ୍ଦନ ଯାତ୍ରା ନୀତି ଅନୁଯାୟୀ ଜଳକ୍ରୀଡ଼ା ନିମନ୍ତେ ଶ୍ରୀ ଦୋଳଗୋବିନ୍ଦ ଓ ଭୂଦେବୀ, ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.