Home ଓଡ଼ିଶା ଜୈବ ଇନ୍ଧନ ସମ୍ମିଳନୀ -୨୦୧୯ରେ କେନ୍ଦ୍ରମନ୍ତ୍ରୀ ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର...

ଜୈବ ଇନ୍ଧନ ସମ୍ମିଳନୀ -୨୦୧୯ରେ କେନ୍ଦ୍ରମନ୍ତ୍ରୀ ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ

127

– ଆଗାମୀ ୧୫ ବର୍ଷରେ ବିଶ୍ୱର ୧ ନଂ ଉର୍ଜା ଉପଭୋକ୍ତା ଦେଶ ହେବ ଭାରତ
– ଭାରତ ସରକାର ଶସ୍ତା ଏବଂ ସ୍ୱଚ୍ଛ ଇନ୍ଧନ ସମସ୍ତଙ୍କ ନିକଟରେ ପହଁଚାଇବା ପାଇଁ କାମ କରୁଛନ୍ତି
– ଜୈବ ଶକ୍ତି କ୍ଷେତ୍ର ମଜବୁତ୍ ହେଲେ ‘ଅନ୍ନଦାତା ବନିବେ ଉର୍ଜାଦାତା’

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ଠାରେ ସୋମବାର ସିଆଇଆଇ ପକ୍ଷରୁ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଭାରତ ସରକାରଙ୍କର ପ୍ରଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ‘ଫାର୍ମ ଟୁ ଫୁଏଲ’ ଉଦଘାଟନ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତି ଆମକୁ ପେଟ୍ରୋଲ ଡିଜେଲ୍ ପରି ଫସିଲ୍ ଉର୍ଜା ଆମଦାନୀକୁ କମ୍ କରିବାରେ ସହାୟକ ହେବ। ଏହାଦ୍ୱାରା ଆମର ଆମଦାନୀ କମ୍ ହୋଇ ଅର୍ଥନୀତି ମଜବୁତ୍ ହେବା ସହ ଚାଷୀ ଭାଇ ମାନଙ୍କର ମଧ୍ୟ ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ର ମାନଙ୍କ ଠାରୁ ଭିନ୍ନ ଅଟେ। ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଏବଂ ସୁସ୍ଥ ଇନ୍ଧନ ପହଁଚାଇବା ଦିଗରେ କାମ କରୁଛନ୍ତି। ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୧ ନମ୍ବର ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୟୁଏସ୍ ଏଲଏନଜି ଆମଦାନୀ ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏଥିରୁ ଭାରତର ପରିବେଶ ସହଯୋଗୀ ବା ସ୍ୱଚ୍ଛ ଇନ୍ଧନକୁ ବୃଦ୍ଧି କରିବାର ଯେଉଁ ଦାୟିତ୍ୱ ତାହା ପରିଲକ୍ଷିତ ହେଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେରିକା ଭଳି ଇଥାନଲ, ୨ଜି ଇଥାନଲ୍, ବାୟୋଡିଜେଲ୍ ଏବଂ କମ୍ପ୍ରେସଡ୍ ବାୟୋ ଗ୍ୟାସକୁ ନେଇ ଆମେ ଦୁନିଆର ଭୌଗଳିକ ସ୍ଥିତିକୁ ବଦଳାଇପାରିବା। ମୋଦି ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି। ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ। ସେହିପରି ୨ଜି ଇଥାନଲ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.