Home ଓଡ଼ିଶା ଜୀବନ ଜୀବିକା ପାଇଁ ଆର୍ତ୍ତ ଚିତ୍କାର, ଜେଏସ୍‌ଡବ୍ଲୁ ଖଣି ଫାଟକ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଧାରଣା

ଜୀବନ ଜୀବିକା ପାଇଁ ଆର୍ତ୍ତ ଚିତ୍କାର, ଜେଏସ୍‌ଡବ୍ଲୁ ଖଣି ଫାଟକ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଧାରଣା

25

ଯୋଡା, ୨୩/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳବାସୀ ନିଜର ଜୀବନ ଜୀବିକା ରକ୍ଷା କରିବା ପାଇଁ ଏବେ ଚରମ ପନ୍ଥା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ମାସ ଧରି ଖଣି ବନ୍ଦ କାମ ଧନ୍ଦା ହରାଇ ଲୋକେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଖଣି ଖୋଲିଲେବି ସେମାନଙ୍କ ଜୀବନ ଜୀବିକା ରକ୍ଷା କରିବା ପାଇଁ କମ୍ପାନୀ ମାନଙ୍କ ପକ୍ଷରୁ କୌଣସି ତତ୍ପରତା ଦେଖାଦେଇନାହିଁ ।
ସୋମବାର ପୂର୍ବାହ୍ନରେ ଜଜାଙ୍ଗ, ଜୁରୁଡି, ପଳସା ଓ ଜଲହରି ୪ଟି ପଞ୍ଚାୟତର ଶହ ଶହ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ନିଜର ଜୀବନ ଜୀବିକା ରକ୍ଷା କରିବା ପାଇଁ ଜଜାଙ୍ଗସ୍ଥିତ ଜେଏସ୍‌ଡବ୍ଲୁ ଖଣି ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଶାନ୍ତି ସୃଙ୍ଖଳା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏହି ଖଣିଟି ପୂର୍ବରୁ ରୁଙ୍ଗଟା କମ୍ପାନୀର ଅଧିନରେ ଥିବା ବେଳେ ଏହି ଖଣି ଉପରେ ନିର୍ଭର କରି ସ୍ଥାନୀୟ ବାସିନ୍ଦାମାନେ ଜୀବିକା ନିର୍ବାହ କରିଆସୁଥିଲେ । ସରକାରଙ୍କ ନୂତନ ନୀତି ଅନୁଯାୟୀ ନିକଟରେ ଖଣିଟିକୁ ନିଲାମ ପ୍ରକ୍ରିୟାରେ ଜେଏସ୍‌ଡବ୍ଲୁ ହାତେଇନେଇଥିଲା । ଜେଏସ୍‌ଡବ୍ଲୁ ଖଣି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ବାହାରୁ ଲୋକ ଆଣି ଖଣି କାର୍ଯ୍ୟ ତୁଲାଇଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ଅଣଦେଖା କରୁଥିବା ସ୍ଥାନୀୟ ବାସିନ୍ଦମାନେ ଅଭିଯୋଗ କରିଛନ୍ତି । ସେମାନେ ଏହି ଖଣିରେ ଖଣିଜ ଉତ୍ତୋଳନ ନିମନ୍ତେ କିିଛି ଅଂଶରେ ଶ୍ରମିକ ନିଯୁକ୍ତି ଦିଆଯାଇ ସେମାନଙ୍କର ଜୀବନ ଜୀବିକା ରକ୍ଷା କରିବା ସହ ସ୍ଥାନୀୟ ଯୁବକ, ଯୁବତୀ, ଡ୍ରାଇଭର, ହେଲପରମାନଙ୍କୁ ଖଣି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦାବି କରିଛନ୍ତି । ପୂର୍ବରୁ ରୁଙ୍ଗଟା ଖଣିରେ କାର୍ଯ୍ୟ କରୁଥିବା ଛଟେଇ ଶ୍ରମିକମାନଙ୍କୁ ଏହି ଖଣିରେ ପୁନଃ ଥଇଥାନ ନିମନ୍ତେ ସେମାନେ ଦାବି ଜଣାଇଛନ୍ତି । ରୁଙ୍ଗଟା ସହିତ ହୋଇଥିବା ସମସ୍ତ ଚୁକ୍ତିନାମା ମୁତାବକ ଜଜାଙ୍ଗସ୍ଥିତ ରେଲୱେ ସାଇଡିଂରେ ଖଣିଜ ବୋଝେଇ କାର୍ଯ୍ୟ ୪ଟି ପଞ୍ଚାୟତକୁ ପ୍ରଦାନ କରିବା ପାଇଁ ସେମାନେ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ସେହିପରି ପାରିପାଶ୍ୱର୍ିକ ଉନ୍ନୟନ ନିମନ୍ତେ ସେମାନେ ୪ଟି ପଞ୍ଚାୟତକୁ ନେଇ ଏକ ୫୦ ସଜ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ପଞ୍ଚାୟତ ଅଧିନରେ ଥିବା ସ୍କୁଲ ଗୁଡିକରେ କମ୍ପାନୀ ପକ୍ଷରୁ ଶିକ୍ଷକ ନିଯୁକ୍ତି, ୪ଟି ପଞ୍ଚାୟତରେ ପାନୀୟ ଜଳ, ରାସ୍ତାଘାଟ ଏବଂ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ନିମନ୍ତେ ଏହି ଖଣି କର୍ତ୍ତୁପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି । ଏ ନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଶିଳ୍ପ ଓ ଖଣିଜ ମନ୍ତ୍ରୀ, ଖଣି ନିର୍ଦ୍ଦେଶକ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ଧାରଣାରେ ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ, ଜଲହରି ସରପଞ୍ଚ ମୀତା ମୁଣ୍ଡା, ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାଏକ, ପଳସା ସରପଞ୍ଚ ନିରୁପମା ନାଏକ ଓ ଜଜାଙ୍ଗ ସମିତି ସଭ୍ୟ ପ୍ରଦୀପ କୁମାର ବେହେରା, ଜୁରୁଡି ସମିତି ସଭ୍ୟା ଇନ୍ଦ୍ରା ପାତ୍ର, ଜଲହରି ସମିତି ସଭ୍ୟା ସାବିତ୍ରୀ ମୁଣ୍ଡା, ପଳସା ସମିତି ସଭ୍ୟା ତଥା ଯୋଡା ବ୍ଲକ ଅଧ୍ୟକ୍ଷା ସୁକୁମାରୀ ଦେହୁରୀ ପ୍ରମୁଖ ଏହି ଧାରଣାର ନେତୃତ୍ୱ ନେଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟହତ ରହିବ ବୋଲି ସେମାନେ ଗଣମାଧ୍ୟମରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.