ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରିଫ୍ ବର୍ଷ ୨୨-୨୩ ସରକାରୀ ମୂଲ୍ୟରେ ସରକାରୀ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଧାନ କିଣା କାର୍ଯ୍ୟର ସୁପରିଚାଳନା ପାଇଁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ଼.ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ପରିଷଦର ସି.ଡ଼ି.ଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଯୋଗ ଦେଇଥିଲେ।
ଆସନ୍ତା ଡ଼ିସେମ୍ବର ୨୮ ରୁ ଭଦ୍ରକ ଜିଲା୍ଲରେ ଧାନମଣ୍ଡି ଖୋଲିବା ପାଇଁ ବୈଠକରେ ଅନୁମୋଦିତ ହେଲା। ୯୬ ଟି ପାକ୍ସ ବା ସୋସାଇଟି ଓ ୫୭ଟି ମହିଳା ସ୍ୱୟଂ ସହାୟିକା ଦଳ ସମୁଦାୟ ୧୫୩ଟି ମଣ୍ଡିରେ ଧାନ କିଣା ଯିବା ନେଇ ସୂଚନା ଦିଆଯାଇଥିଲା ଚଳିତ ବର୍ଷ ଧାନକିଣା ପାଇଁ ସାଧାରଣ ଏଫ୍.ଏ.କ୍ୟୁ ମାନର ଧାନ ପାଇଁ ସରକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ଓ ଗ୍ରେଡ଼୍ ଏ (ଏଫ୍.ଏ.କ୍ୟୁ) ପାଇଁ ୨୦୬୦ଟଙ୍କା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି। ପୂର୍ବରୁ ଧାନ ମିଲର୍ମାନେ ମଣ୍ଡିରୁ ଧାନ ନେଉଥିଲାବେଳେ ଚଳିତ ବର୍ଷ ମଣ୍ଡିରୁ ମିଲର ମାନଙ୍କ ପାଖକୁ ଧାନ ପରିବହନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନଙ୍କୁ ନିୟୋଜିତ କରାଯିବ। ଧାନ ବିକିବା ପାଇଁ ଜିଲ୍ଲାରେ ସମୁଦାୟ ୯୦, ୫୨୩ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ବାସୁଦେବପୁର ବ୍ଲକ ର ସର୍ବାଧିକ ଚାଷୀ ୧୭, ୨୫୦ଜଣ ଓ ଧାମନଗର ବ୍ଲକର ସର୍ବନିମ୍ନ ୭, ୦୧୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ଦଫାରେ ୨୩, ୫୨, ୩୫୨.୯୪ କ୍ୱିଣ୍ଟାଲ ଧାନ କ୍ରୟ ନେଇ ଜିଲ୍ଲା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରାଯାଇଛି।୨ୟ ଓ ୩ୟ ଦଫାରେ ଆହୁରି ଧାର୍ଯ୍ୟଲକ୍ଷ୍ୟ ଆସିପାରେ ବୋଲି ସୂଚନା ଦିଆଯାଇଥିଲା। ଗତ ବର୍ଷ ଧାନ କିଣାର ପରିମାଣ ଅନୁଯାୟୀ ଧାନକିଣା କେନ୍ଦ୍ର ଗୁଡ଼ିକୁ ୮୦% ଟାର୍ଗେଟ୍ ପ୍ରଦାନ ପାଇଁ ସରକାରଙ୍କ ସୂଚନା ଥିଲେ ବି ବର୍ତ୍ତମାନ ୬୦% ଟାର୍ଗେଟ୍ ପ୍ରଦାନ କରାଯାଇ ବକେୟା ୨୦%କୁ ପରେ ଧାନ କିଣାର ଆବଶ୍ୟକତା ଓ ଉତ୍ତମ ପରିଚାଳନା କରୁଥିବା କେନ୍ଦ୍ରମାନଙ୍କୁ ପ୍ରଦାନ କରାଯିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି କୁ ବୈଠକରେ ଗ୍ରହଣ କରାଯାଇଥିଲା।
ଜିଲ୍ଲାରେ ଧାନଚାଷ ଅଞ୍ଚଳ ଓ ଧାନ ର ଉପଲବଧି ନେଇ ଅବସ୍ଥିତ କେନ୍ଦ୍ର ଗୁଡ଼ିକୁ ବିଚାର କରାଯାଇ ଟାର୍ଗେଟ୍ ପ୍ରଦାନ ଉପରେ ଗୁରୁତ୍ୱ ଦେବା ପାଇଁ ମତ ପ୍ରକାଶ ପାଇଥିଲା। ଧାନକିଣା କାର୍ଯ୍ୟ ନେଇ ସୋସାଇଟିର କର୍ମଚାରୀମାନଙ୍କ ଠାରୁ ମହିଳା ଦଳ କମ୍ ଅଭିଜ୍ଞ ଥିବାରୁ ଚଳିତ ବର୍ଷ ସେମାନଙ୍କୁ ତାଲିମ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ୮୦% କ୍ଷୁଦ୍ର ଚାଷୀ ଓ ୨୦% ବୃହତ୍ ଚାଷୀଙ୍କ ଠାରୁ ଧାନକ୍ରୟ କରାଯିବ। ଚାଷୀମାନଙ୍କ ଧାନ କେମିତି ଏଫ୍.ଏ.କ୍ୟୁ. ମାନର ହୋଇପାରିବ ସେ ନେଇ ସରକାରୀ ସ୍ତରରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଧାନ କିଣା ନେଇ ଗତ ବର୍ଷ ଦେଖାଦେଇଥିବା ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାର ସୁପରିଚାଳନା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ଧାନକ୍ରୟ ଅବଧି ମଧ୍ୟରେ ବା ପୂର୍ବରୁ ଆବଶ୍ୟକ ଅନୁଯାୟୀ ବୈଠକ ଆୟୋଜନ ପାଇଁ ସିଦ୍ଧାନ୍ତ ନିଆଗଲା। ଟୋକନ ଅବଧି ସମାପ୍ତିପରେ ଚାଷୀ ଧାନ ବିକ୍ରି କରି ନପାରିବା, ଧାନ ବିକ୍ରୟ ର ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଆକାଉଣ୍ଟରେ ପ୍ରାପ୍ୟ ଅର୍ଥ ପାଇବାକୁ ନିୟମ ଥିଲେ ସେଥିରେ ଅନେକ ବିଳମ୍ବ ହେବା, ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ନାମ ପଞ୍ଜିକରଣ କରି ପାରି ନଥିବା ଚାଷୀଙ୍କ ଧାନ ବିକ୍ରି ସମସ୍ୟା, ମଣ୍ଡିରୁ ଧାନ ନେଇ ଶହେ ଶତକଡ଼ା ଚାଉଳ ଦେଇସାରିଥିଲେ ବି ଅଦ୍ୟାବଧି ମିଲରମାନଙ୍କୁ ପ୍ରାପ୍ୟ ନମିଳିବା, ଧାନ ବିକ୍ରି ପାଇଁ ଚାଷୀଙ୍କ ଠାରେ ବ୍ୟାଗ୍ ନପହଞ୍ôଚବା, ଧାନର ପ୍ରକୃତ ମାନ ପରୀକ୍ଷା କରାଯାଇ କଟନୀ ଛଟନୀ ବନ୍ଦ କରାଯିବା, ଧାନ କ୍ରୟ ପାଇଁ ଧାନ ମଣ୍ଡିରେ ଉପକରଣ, ଗୋଡ଼ାଉନ୍ ସୁବିଧା, ରାସ୍ତା ଆଦି ସର୍ବନିମ୍ନ ସୁବିଧା ଉପଲବ୍ଧ ହେବା, ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଧାନକିଣାର ତଥ୍ୟ ସଂଗ୍ରହ କରିବା ଆଦି ଦିଗରେ ସୁପରିଚାଳନା ପାଇଁ ବିଚାରବିମର୍ଷ କରାଯାଇ ପଦକ୍ଷେପ ନିଆଯିବାକୁ ବୈଠକରେ ପ୍ରକାଶ କରାଯାଇଥିଲା। ଜିଲ୍ଲାରେ ଥିବା ସମୁଦାୟ ୧୦୮ଟି ସୋସାଇଟି ରୁ ୨୩ଟିରେ ଗୋଡ଼ାଉନ୍ର ସୁବିଧା ଅଛି। ୨୬ଲକ୍ଷ ଟଙ୍କା ଲେଖାଏଁ ଅଟକଳରେ ୨୦ଟି ଗୋଡ଼ାଉନ୍ ନିର୍ମାଣାଧୀନ ଅଛି। ୩ବର୍ଷ ଅବଧି ମଧ୍ୟରେ ସବୁ ସୋସାଇଟିର ଗୋଡ଼ାଉନ୍ ନିର୍ମାଣ ନେଇ ନିର୍ଦ୍ଦେଶ ଥିବା ସଂପୃକ୍ତ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ସହକାରୀ ଯୋଗାଣ ଅଧିକାରୀ ଶରତ ବେହେରା ଧାନ କିଣା ବ୍ୟବସ୍ଥା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ସଂପୃକ୍ତ ବିଭାଗୀୟ ଅଧିକାରୀ ଚାଷୀ ପ୍ରତିନିଧି, ମିଲର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।