Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ୩୫୦ମଞ୍ଜୁର ସରକାରୀ ଡାକ୍ତରଙ୍କ ମଧ୍ୟରୁ ୨୧୨ ନାହାନ୍ତି, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୪୧ ରୁ ୧୦୦...

ଜିଲ୍ଲାରେ ୩୫୦ମଞ୍ଜୁର ସରକାରୀ ଡାକ୍ତରଙ୍କ ମଧ୍ୟରୁ ୨୧୨ ନାହାନ୍ତି, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୪୧ ରୁ ୧୦୦ ଡାକ୍ତର ପଦବୀ ଖାଲି

13

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟସେବା କିନ୍ତୁ ଏବେ ନାହିଁ ନାହିଁ ଚାଲିଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ପଦବୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ ଏଣ୍ଡ ପିଏଚ୍‌ଓ)ପଦବୀଟି ଗତ ୩ମାସ ହେବ ଖାଲି ପଡିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ ତଥା ସୁପରିଟେଣ୍ଡାଂଟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଟି ମଧ୍ୟ ୪ମାସରୁ ଅଧିକ ହେବ ଖାଲି ପଡିଛି । କେବଳ ଏତିକି ନୁହେଁ ଜିଲ୍ଳା ସ୍ୱାସ୍ଥ୍ୟସେବା ର ପ୍ରମୁଖ ଦାୟିତ୍ୱ ତୁଲାଉଥିବା ସରକାରୀ ଡାକ୍ତର ପଦବୀ ପ୍ରାୟ ୬୦ରୁ ଅଧିକ ଏଠି ଖାଲି ପଡିଛି । ଫଳରେ ରୋଗୀ ସେବା ଖାଲି ବିପର୍ଯ୍ୟସ୍ତ ହୋଇପଡିନି ବରଂ ପୁରା ଧିମେଇ ଯାଉଛି । ବିଶେଷ କରି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରୋଗୀଙ୍କୁ ସେବା ମିଳି ପାରୁନାହିଁ । ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବା ହେଡ୍‌କ୍ୱାଟର ହସ୍ପିଟାଲଟି ଉପରେ ସମଗ୍ର ଜିଲ୍ଲାବାସୀଙ୍କ ସହ ପଡୋଶୀ ତଥା ଜିଲ୍ଲା ଉପକଣ୍ଠରେ ଥିବା ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡା ଜିଲ୍ଲାର ବହୁ ଅଂଚଳରୁ ଲୋକେ ଚିକିତ୍ସା ପାଇଁ ଆସିଥାନ୍ତି । ସ୍ୱାସ୍ଥ୍ୟ ବିଭାଗ ତଥ୍ୟାନୁଯାୟୀ, ଦୈନିକ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ୪୫୦ରୁ ଅଧିକ ବିଭିନ୍ନ ବର୍ଗର ରୋଗୀ ଦାଖଲ ହେବାକୁ(ଆଇପିଡି)କୁ ଆସୁଥିବା ବେଳେ ବର୍ହିବିଭାଗ(ଓପିଡି)କୁ ଦୈନିକ ୧୪୦୦ରୁ ଅଧିକ ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି । ଏପରିସ୍ଥଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ମଞ୍ଜୁର ଡାକ୍ତର ପଦବୀ ସଂଖ୍ୟା ହେଉଛି ୧୪୧ । ତେବେ ଏଠାରେ ୧୦୦ଡାକ୍ତର ପଦବୀ ଖାଲି ପଡିଛି । କେବଳ ମାତ୍ର ୪୧ଜଣ ଡାକ୍ତରଙ୍କ ହାତରେ ରୋଗୀ ସେବା ଚାଲିଛି । ଏଥିରୁ ପ୍ରଶାସନିକ ପଦବୀରେ ୫ରୁ ଅଧିକ ଡାକ୍ତର ପ୍ରତ୍ୟେକ୍ଷ ଭାବେ ରୋଗୀସେବାରେ ନାହାନ୍ତି । କହିବାକୁ ଗଲେ ୩୦ରୁ ୩୫ଜଣ ଡାକ୍ତର ନିୟମିତ ରୋଗୀସେବାରେ ନିୟୋଜିତ ରହୁଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ୫୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ମାନଙ୍କରେ ୬୦ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଛି । ଜିଲ୍ଲାକୁ ସରକାରୀ ମଞ୍ଜୁର ଡାକ୍ତର ପଦବୀ ସଂଖ୍ୟା ୩୫୦ଥିବା ବେଳେ ୨୧୨ଡାକ୍ତର ପଦବୀ ଖାଲି ପଡିଛି । ଜିଲ୍ଲାରେ ୧୩୮ଜଣ ଡାକ୍ତର ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାରେ ଥିବା ୭ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ସିଏଚ୍‌ସି-ବରପଦା, ତିହିଡି, ଚାନ୍ଦବାଲି, ଆଗରପଡା, ଭଣ୍ଡାରିପୋଖରୀ, ଧାମନଗର ଓ ବାସୁଦେବପୁର ରହିଛି । ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ମଧ୍ୟରୁ ଚାନ୍ଦବାଲି, ବାସୁଦେବପୁର ଓ ଆଗରପଡା ସିଏଚ୍‌ସିରେ ଦୀର୍ଘବର୍ଷ ହେବ ସୁପରିଟେଣ୍ଡାଂଟ ପଦବୀ ଖାଲି ପଡିଛି । ଅତିରିକ୍ତ ଦାୟିତ୍ୱରେ ଅନ୍ୟ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇ ସ୍ୱାସ୍ଥ୍ୟସେବା ତୁଲାଯାଉଛି । ସେହିଭଳି ଜିଲ୍ଲାରେ ୩ଟି ୟୁପିଏଚ୍‌ସି(ଅର୍ବାନ ପ୍ରାଇମେରୀ ହେଲଥ୍ ସେଂଟର)ରହିଛି । ଭଦ୍ରକ ସହର ର ବାଗୁରାଇ, ଚରମ୍ପା ଓ ପୁରୁଣାବଜାର ଠାରେ ଏହି ଡାକ୍ତରଖାନା ରହିଛି । ତେବେ ଏହି ୩ଟି ୟୁପିଏଚ୍‌ସି ରୁ ୨ଟିରେ ସୁପରିଟେଣ୍ଡାଂଟ ପଦବୀ ଖାଲି ରହିଛି । ସେହିଭଳି ଧୂଷୁରୀ ଓ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟକୁ ସରକାର ଏରିଆ ହସ୍ପିଟାଲ ମାନ୍ୟତା ଦେଇଥିବା ବେଳେ ଧୂଷୁରୀରେ ୬ମାସ ପାଇଁ ସୁପରିଟେଣ୍ଡାଟଂ ଉଚ୍ଚଶିକ୍ଷା ଲାଗି ଛୁଟିରେ ଥିବାରୁ ରୋଗୀସେବା ବ୍ୟାହତ ହୋଇ ପଡିଛି । ସୂଚନାନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଗତ ମଇ ମାସ ୩୧ତାରିଖ ରୁ ଅବସରଗ୍ରହଣ କରିଥିବା ବେଳେ ଏହି ପଦବୀ ସେବେଠାରୁ ଖାଲି ରହିଛି । ସେହିଭଳି ଡିଏମଓ ତଥା ଜିଲ୍ଲା ସୁପରିଟେଣ୍ଡାଂଟ ପଦବୀରେ ଥିବା ଡାକ୍ତର ସନ୍ତୋଷ କୁମାର ଜେନା ଗତ ଅପ୍ରେଲ ମାସରୁ ଅବସର ଗ୍ରହଣ କରିବା ପରେ ଏହି ପଦବୀଟି ଖାଲି ରହିଛି । ସେହିଭଳି ଜିଲ୍ଲା ମେଲେରିଆ ଅଫିସର ପଦବୀରେ ଥିବା ଡାକ୍ତର ମୂରଲିଧର ନାୟକ ଗତ ଫେବୃଆରୀ ମାସରୁ ଅବସର ଗ୍ରହଣ କରିବା ପରେ ଏହି ପଦବୀଟି ବି ଖାଲି ରହିଛି । ସେହିଭଳି ଗତ ଦେଢବର୍ଷରୁ ଅଧିକ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜଣେ ଚର୍ମରୋଗ ବିଶେଷଜ୍ଞ ଓ ଗତ ୪ମାସରୁ ଅଧିକ ହେବ ଅନ୍ୟ ଜଣେ ଚର୍ମରୋଗ ବିଶେଷଜ୍ଞ ବିନା ଛୁଟି(ଅନଅଥରାଇଜ ଲିଭ୍‌)ରେ ଛୁଟିରେ ରହିଥିବାରୁ ଜିଲ୍ଲାବାସୀ ଚର୍ମରୋଗ ରୁ ଉପଶମ ହେବାକୁ ବାଧ୍ୟ ହୋଇ ଘରୋଇ ଡାକ୍ତରଙ୍କ ପାଖକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି । ତେବେ ବିନା ଛୁଟିରେ ରହି ୨ଜଣ ଚର୍ମରୋଗ ଡାକ୍ତର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରୁନାହାନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଭଳି ଶୋଚନୀୟ ଅବସ୍ଥାର ସୁଧାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ଦୃଷ୍ଟି ଦେବାକୁ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.