Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସପ୍ତାହ – ୨୦୨୩ ପାଳିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସପ୍ତାହ – ୨୦୨୩ ପାଳିତ

33

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସାଧାରଣ ବିବିଧ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଆ ସପ୍ତାହ ପାଳନ ଉପଲକ୍ଷେ ଆଜି ସଦ୍‌ଭାବନା ସଭାଗୃହରେ ଓଡ଼ିଆ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅନୂପ କୁମାର ବେହେରା ଏବଂ ସହାୟକ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । “ଆମ ଭାଷା ଆମ ପରିଚୟ” ଶୀର୍ଷକ ବିଷୟ ଉପରେ ପ୍ରତିଯୋଗୀମାନଙ୍କର ବକ୍ତବ୍ୟ ବେଶ ପ୍ରଭାବଶାଳୀ ଥିଲା । ପ୍ରତିଯୋଗିତା ଶେଷରେ ଓଡ଼ିଶା ସପ୍ତାହ ପାଳନ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାତୃଭାଷା ମା’ର ଭାଷା, ଆମେ ଯେତେ ଉଚ୍ଚ ଶିକ୍ଷିତ ହେଲେ ବି ମାତୃଭାଷାକୁ କେବେ ଭୁଲିପାରିବା ନାହିଁ ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଚାରକ ଦାୟିତ୍ୱ ନିଭାଇଥିଲେ ଶ୍ରୀଯୁକ୍ତ ମଣ୍ଡଳ, ଶ୍ରୀଯୁକ୍ତ ସ୍ୱାଇଁ ଏବଂ ଶ୍ରୀଯୁକ୍ତ ବେହେରା ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ୧ମ ସ୍ଥାନ ନେଇଥିଲେ ନିଖିଲେଶ ଦତ୍ତ, ୨ୟ ହେଲେ ଶ୍ୟାମ ସୁନ୍ଦର ଜେନା, ୩ୟ ହେଲେ ହେମନ୍ତ କୁମାର ପ୍ରଧାନ ଓ ସାନ୍ତ୍ୱନା ମୂଳକ ପୁରସ୍କାର ନୀରଜା ଗୁଡ଼ପାଲାଙ୍କୁ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟକି ଏପ୍ରିଲ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ଓଡ଼ିଆ ସପ୍ତାହ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.