Home ଜିଲ୍ଲା ପରିକ୍ରମା ଜିଲ୍ଲାପରିଷଦର ଦଶମ ବୈଠକ, କୃଷି, ସ୍ୱାସ୍ଥ୍ୟ, ସାଧାରଣ ବଣ୍ଟନ ବିଭାଗର ଆଲୋଚନା

ଜିଲ୍ଲାପରିଷଦର ଦଶମ ବୈଠକ, କୃଷି, ସ୍ୱାସ୍ଥ୍ୟ, ସାଧାରଣ ବଣ୍ଟନ ବିଭାଗର ଆଲୋଚନା

29

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପରିଷଦର ଦଶମ ବୈଠକ ଆଜି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ ଦାସ, ଧାମନଗର ବିଧାୟକଙ୍କ ପ୍ରତିନିଧି ବୁଦ୍ଧଦେବ ଜେନା, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ପ୍ରମୁଖ ଯୋଗ ଦେଇ ଜିଲ୍ଲାର କୃଷି, ସ୍ୱାସ୍ଥ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଚଳିତ ଖରିଫ ୨୦୨୦ ଚାଷକାର୍ଯ୍ୟର ଧାର୍ଯ୍ୟ ଲକ୍ଷ୍ୟ ଓ ଅଗ୍ରଗତିରେ ଧାନଚାଷ ୧ଲକ୍ଷ ୬୧ହଜାର ୯୨ ହେକ୍ଟର, ପନିପରିବା ଚାଷ ୮୧୦୨ ହେକ୍ଟର, ତନ୍ତୁ ଜାତୀୟ ଫସଲ ୧୪୬ ହେକ୍ଟର, ମସଲା ଜାତୀୟ ୧୪୨୩ ହେକଟର ଓ ଧାନଆଦି ଶସ୍ୟ ୧ଲକ୍ଷ ୬୧ହଜାର ୧୬୪ ହେକ୍ଟରକୁ ମିଶାଇ ମୋଟ ୧ଲକ୍ଷ ୭୦ ହଜାର ୮୩୫ ହେକ୍ଟର ଜମିରେ ଫସଲ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଥିଲା । ଚାଷୀଙ୍କୁ ସଳଖ ରିହାତି ମାଧ୍ୟମରେ ମୋଟ ୭୫୯୧.୮ କୁଇଣ୍ଟାଲ ବିହନ ଚାଷୀଙ୍କୁ ଯୋଗାଣ ହୋଇଛି । ସେହିପରି ରବି ଋତୁ ପାଇଁ ମୋଟ ୪୧ ହଜାର ୩୩୨ ହେକ୍ଟର ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୫୧୧୮ ହେକ୍ଟର ଜମିରେ ଚାଷ ହୋଇଛି । ସେହିପରି ରବି ଋତୁ ପାଇଁ ମୋଟ ୨୨୪.୨୫ କୁଇଣ୍ଟାଲ ସଳଖ ରିହାତି ପ୍ରଦାନ ମାଧ୍ୟମରେ ବିହନ ଯୋଗାଣ ହୋଇଛି । କୃଷି ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତୱାରୀ ଅଗ୍ରଣୀ ଚାଷୀଙ୍କ ହ୍ୱାଟ୍‌ସଅପ୍ ଗ୍ରୁପ୍ କରି ତାହା ମାଧ୍ୟମରେ କୃଷି ତଥା ଆନୁସଙ୍ଗିକ ବିଭାଗର ବୈଷୟିକ ଜ୍ଞାନ ଲିଫ୍‌ଲେଟ୍ ଏବଂ ଭିଡିଓ ମାଧ୍ୟମରେ ପ୍ରଦାନ କରି ଅବଗତ କରାଯାଉଥିବା ସୂଚନା ଦିଆ ଯାଇଥିଲା । ବଳରାମ ଯୋଜନାରେ ଭୂମିହୀନଙ୍କୁ ଅର୍ଥ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ଋଣ ଦେବାର ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଥିଲା ।

ଚଳିତ ବର୍ଷ ଧାନ କିଣା କ୍ଷେତ୍ରରେ ଚାଷୀ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିବେ ଏବଂ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପାଇ ପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସ୍ୱାସ୍ଥ୍ୟ ବିଭାଗ ଆଲୋଚନାରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ ମୋଟ ୨୧୫ ପଦରୁ ୧୧୭ ପଦ ଖାଲି ପଡିଥିବା ନେଇ କହିଥିଲେ । ଆଗାମୀ ଜାନୁଆରୀ ମାସରେ ଜିଲ୍ଲାକୁ କୋବିଡ଼ ଭାକ୍ସିନ ଆସିବାକୁ ଥିବା ବେଳେ ଏହାର ସଫଳ ଉପଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିିିତ୍ସାଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ଯୋଗାଣ ବିଭାଗର ଆଲୋଚନାରେ ଜିଲ୍ଲାରେ ମୋଟ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୪୫,୮୫୭ କାର୍ଡରେ ୧ଲକ୍ଷ ୪୧ହଜାର ୭୦୪ ହିତାଧିକାରୀ ଓ ଜାତୀୟ ଖାଦ୍ୟ ଯୋଜନାରେ ୩ଲକ୍ଷ ୧୫ହଜାର ୪୯୨ କାର୍ଡରେ ୧୧ଲକ୍ଷ ୩୩ହଜାର ୫୯୮ଜଣ ହିତାଧିକାରୀ ଉପକୃତ ହେଉଥିବା କୁହାଯାଇଥିଲା । ଏ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.