ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଅବସରର ଅବ୍ୟବହିତ ପୂର୍ବରୁ ଆଜି ଜିଲା ପ୍ରଶାସନ ତରଫରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି ବିଦାୟୀ କାଳୀନ ସମ୍ବର୍ଦ୍ଧନାକୁ ବରିଷ୍ଠ ସାମ୍ବାଦିକ ରବି ଖିଲାର ପରିଚାଳନା କରିଥିଲେ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ କହିଲେ ଯେ ଶ୍ରୀ ନାୟକ ସୂଚନା ଓ ଲୋକସଂପର୍କ ବିଭାଗର ଜଣେ ବିରଳ ବ୍ୟକ୍ତିତ୍ୱ। ଯିଏ ନିଜ ପାରିବାରିକ ଓ କାର୍ଯ୍ୟାଳୟ ଜୀବନରେ ନିଷ୍ଠା, ଆଦର୍ଶ ଓ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ସେ କଠିନ ଅଧ୍ୟବସାୟ କରି ନିଜ ପୁଅକୁ ଡାକ୍ତର କରାଇବା ଯେଭଳି ସଫଳତାର କାହାଣୀ, ଠିକ୍ ସେହିପରି ଭଦ୍ରକ ଜିଲାସ୍ତରୀୟ ସୂଚନା ଓ ଲୋକସଂପର୍କ ବିଭାଗର କାର୍ଯ୍ୟାଳୟକୁ ନୂତନ ଜୀବନ୍ୟାସ ଦେଇଥିବାରୁ ତାଙ୍କରି ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଏହି କାର୍ଯ୍ୟାଳୟଟି ଯେଭଳି ଜରାଜୀର୍ଣ୍ଣ ଓ ଦୁସ୍ତିତ ଭିତରେ ଥିଲା, ତାହା ନବୀକରଣ କରି ଏକ ଦୃଶ୍ୟମାନ କାର୍ଯ୍ୟାଳୟ କରିଥିବାରୁ ଜିଲାବାସୀଙ୍କର ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଶ୍ରୀ ନାୟକ ଜଣେ ଭଲ ଅଧିକାରୀ ଥିଲେ। ସମସ୍ତଙ୍କୁ ନେଇ ସେ ବେଶ୍ ପ୍ରଶଂସା ଭାଜନ ହୋଇପାରିଥିଲେ। ଅବସର ପରେ ବି ଆସନ୍ତା ଜିଲାସ୍ତରୀୟ ଉତ୍କଳ ଦିବସ ପାଳନକୁ ସେ ପରିଚାଳନା କରିବା ପାଇଁ ମୁଁ ତାଙ୍କୁ କହିଛି। ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ଜିଲା ପ୍ରଶାସନର ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କୁ ଡିଆଇପିଆରଓ ଭାବେ ନିଯୁକ୍ତି ଦିଆଯାଇଥିବା କଥା ସେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସରୋଜ ଦତ, ପିଡି ଡିଆରଡିଏ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ପୌରନିର୍ବାହୀ ଅଧିକାରୀ ତାପସ କୁମାର ସାମଲ ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କ ଦାୟିତ୍ୱ ନିର୍ବାହରେ କାର୍ଯ୍ୟଦକ୍ଷତା ଓ ନିଷ୍ଠାପରତା ସଂପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଜିଲାପାଳ ଶ୍ରୀ ରାଉତରାୟ ଅବସର ନେବାକୁ ଥିବା ସୂଚନା ଲୋକ ସଂପର୍କ ଅଧିକାରୀ ଶ୍ରୀ ନାୟକ ଓ ତାଙ୍କର ପତ୍ନୀ ଓ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାବ୍ୟତୀତ ସହରର ମହିଳା ସଂଗଠକ, ବରିଷ୍ଠ ନାଗରିକ ସଂଘ ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଏହି ସଭାରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।