ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍ରେ ଏବେ ଚୋରା ମଦ, ଦେଶୀ ମଦ, ଗଂଜେଇ ଓ ବ୍ରାଉନ ସୁଗାର ଭଳି ବିଭିନ୍ନ ମାଦକଦ୍ରବ୍ୟର ବିପୁଳ ପ୍ରସାର ଚାଲିଥିବାବେଳେ ଜିଲା ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି। ଉଦାହରଣ ସ୍ୱରୂପ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ତାଳପଦା ପଂଚାୟତରେ ଏହିଭଳି ଚୋରା ମଦ ବନ୍ୟାର ସୁଅ ଛୁଟୁଛି। ଚମାରସାହିରେ ୩ଟି, ଗୋପ ମଝିସାହିରେ ୨ଟି, ଜେନାସାହିରେ ଗୋଟିଏ, ଆଗିରିଆ ଚମାରସାହିରେ ୪ଟା ଭଳି ଏହି ପଂଚାୟତରେ ୧୦ ରୁ ଉର୍ଦ୍ଧ୍ୱ ଦେଶୀ ମଦଭାଟିର କାରବାର ଚାଲିଛି। ଏହି ମଦ ମାଫିଆମାନେ ଆଖପାଖ ପଂଚାୟତ ଗୁଡିକୁ ଏହି ଚୋରା ଦେଶୀମଦ ଚାଲାଣ କରି ମାଲେ ମାଲେ ହେଉଛନ୍ତି। କେବଳ ମଦ ନୁହେଁ ବ୍ରାଉନସୁଗାର ଭଳି ମାଦକ ଦ୍ରବ୍ୟର ପ୍ରସାର ଏଠାରେ ତାର ଚେର ଲମ୍ବାଇଲାଣି। ମା’ ବଡମ୍ବା ଠାକୁଣାଣୀ ପୀଠଟି ଏବେ ଏହି ବ୍ରାଉନସୁଗାରର ଆଡ୍ଡାସ୍ଥଳୀ ପାଲଟିଛି। ଏହି ପଂଚାୟତରେ ନକଲି ଦେଶୀ ଓ ବିଦେଶୀ ମଦ ବିକ୍ରି ହେବା ଯୋଗୁଁ ଚୋରି, ରାହାଜାନୀ ଭଳି ବହୁ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି। ପରିବାରରେ ଅଶାନ୍ତି ଲାଗି ରହିବା ଫଳରେ ବହୁ ପିଲାମାନେ ପାଠପଢାରୁ ବଂଚିତ ହେଉଛନ୍ତି। କେବଳ ଜିଲା ଅବକାରୀ ବିଭାଗ ନୁହେଁ ପୁଲିସ୍ ମଧ୍ୟ ଏଠାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ କରିଛନ୍ତି କାନ୍ତକବି ପ୍ରଗତିଶୀଳ ମହିଳା ସଂଗଠନର ସଦସ୍ୟାମାନେ। ଏ ସଂପର୍କରେ ଏହି ମହିଳା ଗ୍ରୁପ୍ ସମେତ ଗ୍ରାମବାସୀମାନେ ତିହିଡି ଥାନା ଠାରୁ ଆରମ୍ଭ କରି ଜିଲା ଅବକାରୀ ବିଭାଗ, ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ସତ୍ୱେ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ତେଣୁ ଏହି ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ପକ୍ଷରୁ ଦେଶୀ ମଦ ଭାଟି ଓ ଦେଶୀ ମଦ ବିକ୍ରିକୁ ବନ୍ଦ କରିବା ଦାବିରେ ଜିଲା ଅବକାରୀ ଆରକ୍ଷୀ ଅଧୀକ୍ଷକ ନରୋତମ ମିଶ୍ର ଓ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମହିଳା ସଂଗଠନ ବାଧ୍ୟହୋଇ ରାଜରାସ୍ତା ଅବରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି।