Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

9

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଆଜି ସଂସ୍କୃତି ଭବନ ଠାରେ ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଭାରପ୍ରାପ୍ତ ଲୋକ ସଂପର୍କ ଅଧିକାରୀ ତଥା ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀରଂଜନ ନାୟକଙ୍କ ସମେତ ପୂର୍ତ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ପରିମଳ, ଜିଲା ଶିକ୍ଷାଧିକାରୀ ମାନଙ୍କ ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ପୂର୍ବବର୍ଷ ଭଳି ଏଥର ବି ଭଦ୍ରକ କଲେଜ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଏଥିପାଇଁ ଆସନ୍ତା ୪ ରୁ ୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବ୍ଲକ୍‌ସ୍ତରରୁ ଜୁନିୟର ଓ ସିନିୟର ୪ ଜଣଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି। ଏହାବ୍ୟତୀତ ରୋଟାରୀ କ୍ଲବ୍ ପକ୍ଷରୁ ବକୃତା ପ୍ରତିଯୋଗିତା, ସାଳନ୍ଦୀ ହସ୍‌ପିଟାଲ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରଶାସନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚୟନ ପ୍ରଶାସନ ତରଫରୁ ନିର୍ଦ୍ଧାରଣ କରାଯିବ। ଚଳିତବର୍ଷ ପ୍ରଥମଥର ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରାଯିବାର ନିଷ୍ପତି ନିଆଯାଇଛି। ଏହାବ୍ୟତୀତ ୨୦୧୮ ମସିହାରୁ ବନ୍ଦହୋଇ ରହିଥିବା ସ୍ୱାଧୀନତା ଦିବସ ପାଳନ ଅବସରରେ ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଚଳିତବର୍ଷ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହେବା ନେଇ ବୈଠକରେ ମତପ୍ରକାଶ ପାଇଛି। ଏହି ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରତିଭାଧାରୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରାତଃ ୪.୩୦ ମିନିଟ୍‌ରେ ପୌରାଂଚଳରେ ରାମଧ୍ୱନି ଗାନ କରାଯିବ, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଭାତ ଫେରି ପରେ ସକାଳ ୮.୩୦ ରେ କଲେଜ ପଡିଆରେ ସାମିଲ ହେଲେ। ଅପରପକ୍ଷରେ ପୂର୍ବବର୍ଷ ଚିତ୍ରାଙ୍କନ ପ୍ରତିଯୋଗିତା ସମୟରେ ପ୍ରତିଯୋଗୀମାନଙ୍କୁ ତଳେ ବସିବାକୁ ପଡୁଥିବାରୁ ତାଙ୍କୁ ଅସୁବିଧା ହେଉଥିବାର ସୂଚନା ପାଇ ଜିଲାପାଳ ଶ୍ରୀ ରାଉତରାଏ ଏଥର ଭଦ୍ରକ ଜିଲାସ୍କୁଲରେ ଡେସ୍କରେ ବସି ଚିତ୍ରାଙ୍କନ ଆଙ୍କିବେ ବୋଲି କହିଛନ୍ତି। ପ୍ୟରେଡ୍ ସମୟରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିୟନ୍ତ୍ରଣରେ ଆଣିବାକୁ କୁହାଯାଇଛି। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସାନ୍ଧ୍ୟ ଅଧିବେଶନରେ ଯାତ୍ରା ସମ୍ରାଟ ସ୍ୱର୍ଗତଃ ଶ୍ୟାମପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ସବୁବର୍ଷ ପରି ଏଥର ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.