ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଡିଏଲ୍ପିସି (ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ) ଅନୁଷ୍ଠିତ ହୋଇଯାଇଛି। ମିଲର ସଂଘ, ଚାଷୀ ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ଧାନମଣ୍ଡି ଖୋଲିବା ସମେତ ଧାନ କିଣାବେଳେ ଉପୁଜୁଥିବା ସମସ୍ୟା ଓ ତାର ସମାଧାନ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ସାଂସଦ ଅଭିମନ୍ୟୁ ସେଠୀ ଚାଷୀଙ୍କ ସମସ୍ୟା ସଂପର୍କରେ ଦାବି ରଖିଥିବାବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ମଡେଲ ମଣ୍ଡି ବାବଦରେ ପ୍ରଶ୍ନ କରିଥିଲେ। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଚାଷୀଙ୍କ ଠାରୁ ଧାନକିଣାରେ ସୁବ୍ୟବସ୍ଥା କରିବାକୁ ଦାବି ରଖିଥିବାବେଳେ ବାସୁଦେବପୁର ବିଧାୟକ ଅଶୋକ ଦାସ ଉନ୍ନତମାନର ଧାନ କ୍ରୟର ତାଗିଦ କରି ଯେଭଳି ମଣ୍ଡିରେ ଗଳାବାଟର ବ୍ୟବସ୍ଥା ନହୁଏ, ସେଥିପ୍ରତି ସଜାଗ ରହିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନୁରୂପ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଉତରାଏ ମଣ୍ଡିରୁ ଧାନ ଉଠିନପାରିବା ସଂପର୍କରେ ଆପତି କରି ଏହାର ସମାଧାନ କରିବାକୁ କହିଥିଲେ। ତେବେ ଜିଲାପାଳ ଶ୍ରୀ ରାଉତରାଏ ଚଳିତବର୍ଷ ମଣ୍ଡିରେ ସୁବ୍ୟବସ୍ଥା ଦ୍ୱାରା ପରିଚାଳନା କରାଯାଇ ଜାନୁଆରୀ ୫ ରୁ ଧାନକିଣାଯିବ ବୋଲି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିନିଧି ଅଶୋକ ପୁହାଣ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।








