Home ଜିଲ୍ଲା ପରିକ୍ରମା ଜିଲାର ପ୍ରସ୍ତାବିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଜିଲାପାଳଙ୍କ ସମୀକ୍ଷା

ଜିଲାର ପ୍ରସ୍ତାବିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଜିଲାପାଳଙ୍କ ସମୀକ୍ଷା

33

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ସଚିବଙ୍କ ଗସ୍ତ ପରେ ଜିଲାର ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଜି ସମୀକ୍ଷା କରିଛନ୍ତି । ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳଙ୍କ ସମେତ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକ ସହ ସଂପୃକ୍ତି ଥିବା ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଆସନ୍ତା ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟତଃ ନଳାଙ୍ଗ ଛକ ପୂର୍ବରୁ ଏସ୍‌ବିଡି ସ୍କୁଲର ବିପରୀତ ପାଶ୍ୱର୍ ରାଜପଥ ନିକଟରୁ ଲ’ କଲେଜ ଦେଇ ଆରଡି ରାସ୍ତାକୁ କ୍ରସ୍ କରି ମା’ ଭଦ୍ରକାଳୀ ମନ୍ଦିର ସହ ସଂଯୋଗ ସ୍ଥାପନା କରି ଇଚ୍ଛାପୁର ଛକରେ ସାମିଲ ହେବାକୁ ଥିବା ଏକ ରିଙ୍ଗ ରୋଡର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା । ପୂର୍ତ୍ତ ବିଭାଗ ଓ ଭଦ୍ରକ ତହସିଲର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପର ସର୍ଭେ କାମ ସରିଛି । ଏଥିପାଇଁ ଏହାର ପ୍ରୋଜେକ୍ଟ ରିପୋର୍ଟ ସହ ଏଷ୍ଟିମେଟ୍ ରିପୋର୍ଟ ଶୀଘ୍ର ପ୍ରସ୍ତୁତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ଭଦ୍ରକାଳୀ ରାସ୍ତା ଓ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ସହଯୋଗରେ ବାରିକ ଛକ ଠାରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ପ୍ରସ୍ତାବିତ ଏକ ସ୍ୱତନ୍ତ୍ର ସଡକପଥ ନିର୍ମାଣ ହେବ । ଏହାର ଜମି ଅଧିଗ୍ରହଣ କାର୍ଯ୍ୟ, ପ୍ରୋଜେକ୍ଟ ରିପୋର୍ଟ, ଏଷ୍ଟିମେଟ୍ ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଧାମରା ଠାରେ ଜିଲା ମତ୍ସ୍ୟ ବିଭାଗ ତରଫରୁ ଜେଟି ନିର୍ମାଣ ହେବା ସହ ଚୂଡାମଣିରେ ଏକ ଫିସରୀ ହାର୍ବର ଓ କସିଆ ଠାରେ ଫିସ୍ ଲେଣ୍ଡିଂ ସେଣ୍ଟର କରାଯାଇ ଜିଲାରୁ ମାଛ ରପ୍ତାନୀ କରାଯିବାର ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଅପରପକ୍ଷରେ ବାସୁଦେବପୁର ମନ୍ତେଇ ନଦୀର ବ୍ୟାରେଜ, ସେହିପରି ରେବ ନଦୀରେ ସୁଦୃଢ ନଦୀବନ୍ଧ, ମେଗା ପାଇପ୍ ୱାଟର ପ୍ରକଳ୍ପକୁ ନେଇ ବୈଠରେ ସମୀକ୍ଷା କରାଯାଇଥିଲା । ନେହେରୁ ଷ୍ଟାଡିୟମ୍‌ରେ ଗ୍ୟାଲେରୀ ସଂପ୍ରସାରଣ କାର୍ଯ୍ୟ, ଭଲିବଲ୍ ଓ ବାସ୍କେଟବଲ୍ ଗ୍ରାଉଣ୍ଡର କାର୍ଯ୍ୟ ଶୀଘ୍ର ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଗରପଡା ସିଟି ଟ୍ରେନିଂ ସ୍କୁଲରେ ବିଇଡି ପାଠ୍ୟକ୍ରମ ସାମିଲ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ରିପୋର୍ଟ ଦେବାପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତାଳପଦା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ତିହିଡି ବିଡିଓଙ୍କୁ ଆନୁସଙ୍ଗିକ ପଦକ୍ଷେପମାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍କରା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କ ସହ ନିକଟସ୍ଥ ପୋଖରୀର ସୌନ୍ଦର୍ଯୀକରଣ ଓ ପାର୍କ ନିର୍ମାଣ ପାଇଁ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ରକ୍ତତୀର୍ଥ ଇରମ ପରିସର ସୌନ୍ଦର୍ଯ୍ୟୀକରଣ ଓ ଲେଜର ଲାଇଟର ବ୍ୟବସ୍ଥା ସଂପାଦନ କରିବାକୁ କୁହାଯାଇଥିଲା । ସେହିଭଳି ବୈତରଣୀ ନଦୀର ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ ସିଷ୍ଟମରେ ନଈର ପାଣିକୁ ଗଚ୍ଛିତ ରଖିବା ପାଇଁ ୪ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକୁ ଯାଜପୁର ଜଳସେଚନ ବିଭାଗର କର୍ତ୍ତୃପକ୍ଷଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଭଦ୍ରକ ପୌରାଞ୍ଚଳରେ ଥିବା ନାଜର ନାଳର ଟେଣ୍ଡର ପ୍ରକ୍ରିୟା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଏକମାସ ମଧ୍ୟରେ ସାରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନୁଷ୍ଠିତ ବୈଠକରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଡ୍ରେନେଜ୍ ବିଭାଗ, ସାଳନ୍ଦୀ କେନାଲ ଡିଭିଜନ, ଯାଜପୁର ଜଳସେଚନ ବିଭାଗ, ଜିଲା ମତ୍ସ୍ୟ ବିଭାଗ, ଜିଲା ଶିକ୍ଷା ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.