Home ଜିଲ୍ଲା ପରିକ୍ରମା ଜିଲାରେ ବୋଲ ମାନୁନି ଡାଇରିଆ, ଡିସ୍‌ଚାର୍ଜ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ୱାସ୍ଥ୍ୟକେନ୍ଦ୍ରରେ ବଢିଚାଲିଛି

ଜିଲାରେ ବୋଲ ମାନୁନି ଡାଇରିଆ, ଡିସ୍‌ଚାର୍ଜ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ୱାସ୍ଥ୍ୟକେନ୍ଦ୍ରରେ ବଢିଚାଲିଛି

12

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ହେଡ୍‌କ୍ୱାର୍ଟର ହସ୍‌ପିଟାଲ ସମେତ ବ୍ଲକ୍ ଅଂଚଳରେ ଡାଇରିଆ ନିୟନ୍ତ୍ରଣାଧୀନ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଜିଲାର ହେଡ୍‌କ୍ୱାର୍ଟର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପ୍ରତିଦିନ ଡାଇରିଆ ଆକ୍ରାନ୍ତଙ୍କ ସୁଅ ଛୁଟି ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଆକ୍ରାନ୍ତଙ୍କ ସୁସ୍ଥ ତୁଳନାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିଷେଧକ ପଦକ୍ଷେପ ସତ୍ୱେ ପ୍ରତିଦିନ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରି ଫେରିଯାଇଥିଲେ ମଧ୍ୟ ସଂକ୍ରମଣର କାରଣ ସଂପର୍କରେ ସବିଶେଷ ତଥ୍ୟ ଅଦ୍ୟାବଧି ଜଣାପଡିନାହିଁ। ସିଡିଏମ୍‌ଓ ସୁଧୀର ରଂଜନ ନାୟକ କୁହନ୍ତି ବର୍ଷାଋତୁରେ ସାଧାରଣତଃ ଝାଡାବାନ୍ତି ହୋଇଥାଏ। ବିଶୁଦ୍ଧ ପାନୀୟ ଜଳର ବ୍ୟବହାର ଓ ରଜରେ ଅତ୍ୟଧିକ ଆମ୍ବ, ପଣସ ଖାଇବା ଯୋଗୁଁ ଝାଡାବାନ୍ତିର ଶୀକାର ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଗତକାଲିର ରିପୋର୍ଟ ଅନୁଯାୟୀ ଜିଲାରେ ସମୁଦାୟ ୩୨ ଜଣ ପୁରୁଷ ରୋଗୀ, ୪୭ ଜଣ ମହିଳା ଓ ୯ ଜଣ ୫ ବର୍ଷ ମଧ୍ୟରେ ଶିଶୁଙ୍କ ସମେତ ସମୁଦାୟ ୮୮ ଜଣ ଚିକିତ୍ସିତ ହେଉଥିବାବେଳେ ନୂତନ ଭାବେ ୬୫ ଜଣ ପୁରୁଷ, ୬୭ଜଣ ମହିଳା ଓ ୮ ଜଣ ୫ ବର୍ଷ ମଧ୍ୟରେ ଶିଶୁଙ୍କ ସମେତ ୧୩୭ ଜଣ ଆଡମିଶନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ, ୨ ଜଣ ମହିଳାଙ୍କୁ ରେଫର କରାଯାଇଛି। ଏବଂ ୬୬ ଜଣ ପୁରୁଷ, ୭୮ ଜଣ ମହିଳା ଓ ୫ଜଣ ୫ ବର୍ଷ ମଧ୍ୟରେ ଶିଶୁଙ୍କ ସମେତ ସମୁଦାୟ ୧୪୯ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଆଗରପଡା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ଜଣେ ମହିଳା ଡାଇରିଆ ଆକ୍ରାନ୍ତରେ ଚିକିତ୍ସାଧୀନ ଥିବାବେଳେ ୧୯ ଜଣ ନୂଆ ଆକ୍ରାନ୍ତ ଆଡମିଶନ ହୋଇଛନ୍ତି, ୧୭ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ସେହିପରି ବରପଦାରେ ନୂଆ ଆଡମିଶନ ହୋଇଛନ୍ତି ୨୯ ଜଣ, ରେଫର ହୋଇଛନ୍ତି ୪ ଜଣ, ଡିସ୍‌ଚାର୍ଜ ହୋଇଛନ୍ତି ୨୪ ଜଣ। ଭଣ୍ଡାରିପୋଖରୀ ମେଡିକାଲରେ ୧୩ ଜଣ ନୂତନ ଆଡମିଶନ ହୋଇଥିବାବେଳେ ୧୦ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ବାସୁଦେବପୁରରେ ୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୫ ଜଣ ନୂଆ ଆଡମିଶନ ହୋଇଛନ୍ତି, ଜଣେ ମହିଳାଙ୍କୁ ରେଫର କରାଯାଇଛି, ୧୭ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ଚାନ୍ଦବାଲିରେ ୩ ଜଣ ଚିକିତ୍ସାଧୀନ ଥିବାବେଳେ ୬ ଜଣ ନୂଆ ଆକ୍ରାନ୍ତ ହୋଇ ଆଡମିଶନ ହୋଇଛନ୍ତି, ଡିସ୍‌ଚାର୍ଜ ହୋଇଛନ୍ତି ୯ ଜଣ। ଧାମନଗରରେ ୨ ଜଣ ଚିକିତ୍ସାଧୀନ ଥିବାବେଳେ ୨୧ ଜଣ ନୂଆ ଆଡମିଶନ ହୋଇଛନ୍ତି, ୨୧ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ତିହିଡିରେ ୧୦ ଜଣ ଚିକିତ୍ସାଧୀନ ଥିବାବେଳେ ନୂଆ ଆଡମିଶନ ହୋଇଛନ୍ତି ୧୨ ଜଣ, ଡିସ୍‌ଚାର୍ଜ ହୋଇଛନ୍ତି ୧୧ ଜଣ। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ୬୪ ଜଣ ଚିକିତ୍ସାଧୀନ ଥିବାବେଳେ ନୂଆ ଆଡମିଶନ ହୋଇଛନ୍ତି ୨୩ ଜଣ, ଡିସ୍‌ଚାର୍ଜ ହୋଇଛନ୍ତି ୫୦ ଜଣ। ତେବେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂକ୍ରମଣକୁ ଆୟତ କରିବା ପାଇଁ ସମୁଦାୟ ୮୩୫୯ ପ୍ୟାକେଟ୍ ଓଆରଏସ୍‌, ୯୫୪୫ ହାଲୋଜିନ୍ ଟ୍ୟାବଲେଟ୍‌, ୪୦୦୦ ଜିଙ୍କ ଟ୍ୟାବଲେଟ୍ ବଂଟନ କରାଯାଇଥିବାବେଳେ ୧୩୫ ଟି ଗୋଷ୍ଠୀଙ୍କୁ ସଚେତନତା କାର୍ଯ୍ୟରେ ନିୟୋଜିତ କରାଯାଇଛି। ୨୧୨୫ ଟି ଟ୍ୟୁୱେଲକୁ ବିଶୋଧନ କରାଯିବା ସହ, ୭ଟି ବ୍ଲକ୍‌ରେ ୧୫୩ ଟି ଗଭୀର ନଳକୂପକୁ ବିଶୋଧନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.