Home ଜିଲ୍ଲା ପରିକ୍ରମା ଜିଲାରେ ଧାନ ସଂଗ୍ରହ ପ୍ରସଙ୍ଗ, ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲା- ପେକ୍ସ କର୍ମଚାରୀ ସଂଘ

ଜିଲାରେ ଧାନ ସଂଗ୍ରହ ପ୍ରସଙ୍ଗ, ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲା- ପେକ୍ସ କର୍ମଚାରୀ ସଂଘ

16

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିସେମ୍ବର ୨୭ ରୁ ଜିଲାରେ ଧାନ ସଂଗ୍ରହ କାର୍ଯ୍ୟ ଶୁଭାରମ୍ଭ ହେବ। ଧାନକିଣାରେ ଯେଭଳି ସ୍ୱଚ୍ଛତା ରହିବ, ଚାଷୀ ଯେଭଳି ହଇରାଣ ହରକତ ନହେବେ, ଉପଯୁକ୍ତ ମୂଲ୍ୟରେ ପ୍ରାପ୍ୟ ପାଇବେ, କଟନୀ ଛଟନୀ ନହେବ ଏନେଇ ଜିଲା ପ୍ରଶାସନ ପକ୍ଷରୁ ଯୋଗାଣ ବିଭାଗ, ସମବାୟ ବିଭାଗ, ଆରଏମ୍‌ସି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ମିଳିତ ସମନ୍ୱୟ ବୈଠକ ଡକାଇ ବାରମ୍ବାର ସମୀକ୍ଷା ଚାଲିଛି। ଚଳିତବର୍ଷ ଧାନ ସଂଗ୍ରହ କ୍ଷେତ୍ରରେ କଟନୀ ଛଟନୀ ନହେବା ପାଇଁ ନୂଆ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ପ୍ରତି ମଣ୍ଡିରେ ଏନାଲାଇଜର ଯନ୍ତ୍ର ସହ ଏକ୍ସପାର୍ଟଙ୍କୁ ନିୟୋଜିତ କରାଯାଇଛି। ମିଳିତ ସମନ୍ୱୟ ବୈଠକରେ ମିଲରମାନେ କଟନୀ ଛଟନୀ ନକରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ତେବେ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହେବା ପରେ ସଫଳତାର ବାସ୍ତବ ଚିତ୍ର ଜଣାପଡିବ। ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁସାରେ ଏଥର ମଣ୍ଡିରେ ପୂର୍ବଭଳି ଧାନ ଗଦାକରି ଶୀତ କାକରରେ ରାତି କଟାଇ ଜଗିବାକୁ ପଡିବ ନାହିଁ ବୋଲି ଚାଷୀ ମନରେ ଆଶା ବାନ୍ଧି ବସିଛି। ଦୁଇଦିନ ମଧ୍ୟରେ ଧାନର ପ୍ରାପ୍ୟ ଚାଷୀଙ୍କୁ ମିଳିବା ସହ ମିଲରମାନେ ଭଲ ଗନି ବ୍ୟାଗ୍ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ପୂର୍ବଭଳି ଚିରା ଗନି ବ୍ୟାଗ୍ ଯୋଗାଇ ନୂଆ ଗନି ବ୍ୟାଗ୍‌ର ବିଲ୍ କରିପାରିବେ ନାହିଁ। କ୍ୱାଲିଟି ଏନାଲାଇଜର ଦ୍ୱାରା ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ ହେବ। ମିଲରମାନେ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ଧାନ ଅମଳ ହେବାର ୭ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ମିଳିବାର ଏଥର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ମଣ୍ଡିରେ ପ୍ରଥମେ ଚାଷୀଙ୍କ ଧାନ ଓଜନ ହେବ, ଭେଣ୍ଡାରି ରିସିଟ୍ ଚାଷୀ ନେବେ। ସେହି ଅନୁସାରେ ଟ୍ରାଂଜିଟ୍ ପାସ୍ କିମ୍ବା ଏକ୍ସସ୍ପେଟାନ୍ସ ନୋଟ୍ ଅନଲାଇନ୍‌ରେ ମିଲରଙ୍କୁ ଦିଆଯିବ। ମିଲର ପୂର୍ବଭଳି ଧାନ ଓଜନରେ କମ୍ ଥିବା ଅଭିଯୋଗ କରି ଚାଷୀଙ୍କୁ ଅସୁବିଧାରେ ପକାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ତେବେ ସରକାର ଚଳିତବର୍ଷର ନିର୍ଦ୍ଦେଶନାମା ବାସ୍ତବରେ ଯଦି କାର୍ଯ୍ୟକାରୀ ହେବ, ତେବେ ପୂର୍ବ ବର୍ଷମାନଙ୍କ ଭଳି ଧାନ ବିକ୍ରିରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରମୁଖ ତ୍ରିଲୋଚନା ପଣ୍ଡା କହିଛନ୍ତି। ତେବେ ଧାନ ଅମଳ ହେବା ପୂର୍ବରୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଧାନକିଣାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପ୍ରାଥମିକ ସେବା ସମିତି କର୍ମଚାରୀ ସଂଘ ପକ୍ଷରୁ ଚଳିତବର୍ଷର ଧାନ ସଂଗ୍ରହ କ୍ଷେତ୍ରରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ ୬ ଦଫା ଦାବିନେଇ ଜିଲାପାଳଙ୍କୁ ଗତକାଲି ଏକ ଦାବିପତ୍ର ଦିଆଯାଇଛି। ଏମାନଙ୍କ ଅଭିଯୋଗ ହେଲା ମିଲରମାନେ ପର୍ଯ୍ୟାପ୍ତ ପରିମାଣରେ ପୂର୍ବଭଳି ଚିରା ଗନି ବ୍ୟାଗ୍ ନଦେଇ ଭଲ ଗନି ବ୍ୟାଗ୍ ଦେବେ। ପୂର୍ବଭଳି ଚାଷୀମାନେ ଚିରା ବ୍ୟାଗ୍‌ରେ ଧାନ ଆଣି ମଣ୍ଡିରେ ହୀନସ୍ତା ହେବେନାହିଁ। ଏହାବ୍ୟତୀତ ଆରଏମ୍‌ସି ପକ୍ଷରୁ କ୍ୱାଲିଟି ଏନାଲିଷ୍ଟ ପ୍ରତି ମଣ୍ଡିରେ ଧାନକିଣା ଦିନ ଉପସ୍ଥିତ ରହିବେ। ମିଲରମାନେ ଧାନର ଗୁଣାତ୍ମକ ମାନ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ। ଧାନ ଡେଲିଭରି ସମୟରେ ମିଲର ଦ୍ୱାରା ନିଯୁକ୍ତ ପ୍ରତିନିଧି ପେକ୍ସରେ ରହି ଧାନର ସଠିକ୍ ଓଜନ କରିବା ସହ ଟ୍ରାଂଜିଟ୍ ପାସ କମ୍ ଏସ୍‌ପଟାନସ୍ ନୋଟ୍ ସହ ଜିପିଏସ୍ ଫଟୋଗ୍ରାଫି ଦସ୍ତଖତ କରିବେ। ଯାହାଫଳରେ ଚାଷୀମାନେ ଉପଯୁକ୍ତ ସମୟରେ ଏମ୍‌ଏସ୍‌ପି ଖୁବଶୀଘ୍ର ପାଇପାରିବେ। ମଣ୍ଡି ଲେବର ଚାର୍ଜ ଗାଡି ଲୋଡିଂ ସହ କ୍ୱିଂଟାଲ ପିଛା ୧୩.୧୪ ପଇସା ପରିବର୍ତେ ୩୦ ଟଙ୍କା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ମିଲର, ଯୋଗାଣ ବିଭାଗ, ପର୍ଚେଜର ଅଫିସରମାନଙ୍କ ଏକ ବୈଠକ ଡକାଯାଇ ତୃଣମୂଳ ସ୍ତରରେ ଧାନ ସଂଗ୍ରହ କ୍ଷେତ୍ରରେ ଯେଉଁ ଯେଉଁ ସବୁ ଅସୁବିଧା ଉପୁଜିବାର ସମ୍ଭାବନା ଅଛି, ତାହା ଆଲୋଚନା କରାଯାଇ ସମାଧାନ କରିବାକୁ ସଂଘ ପକ୍ଷରୁ ସାଧାରଣ ସଂପାଦକ ବାଲେଶ୍ୱର-ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘର ସଂପାଦକ ଅରୁଣ ଉଦୟ ପାତ୍ର ଜିଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.