Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଢାଳି ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ , ମିଲରଙ୍କ ଉପରେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଢାଳି ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ , ମିଲରଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ – ଅକ୍ଷୟ କୁମାର

7

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ସରକାରୀ ଧାନ ସଂଗ୍ରହର ବିକଳ ଚିତ୍ର ଆଜି ଦେଖିବାକୁ ମିଳିଛି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ନବନିର୍ମାଣ କୃଷକ ସଂଗଠନ ଓ ଚାଷୀମାନେ ଟ୍ରାକ୍ଟରରେ ଧାନବସ୍ତା ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧାନକିଣାରେ ବ୍ୟାପକ କଟନୀ ଛଟନୀ, ମଣ୍ଡିରୁ ଧାନ ଉଠାଇବାର ବିଳମ୍ବ, ଅନେକ ଚାଷୀଙ୍କୁ ଟୋକନ ନମିଳିବା ଆଦି ବିଭିନ୍ନ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ଓ ଚାଷୀମାନେ ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ଜିଲା ମିଲର ସଂଘ ଆଜି ଶୁକ୍ରବାର ଠାରୁ ଆଉ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ନିଷ୍ପତି ନେବା ପରେ ଚାଷୀଙ୍କୁ ଏହା ପ୍ରଭାବିତ କରିଛି। ଧାନବିକ୍ରି ସମୟରେ କ୍ୱିଂଟାଲ ପିଛା ୭/୮ କେଜି କାଟିବା ସହ ମିଲର ରାଜ ଓ ପ୍ରଶାସନର ନୀରବଦ୍ରଷ୍ଟା ସାଜିବା ଘଟଣା ଚାଷୀମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି ବୋଲି ନବନିର୍ମାଣ କୃଷକ ସଂଗଠନର କର୍ମକର୍ତା ଓ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନରେ ନବନିର୍ମାଣ କୃଷକ ସଂଗଠନର ପ୍ରମୁଖ ସାମିଲ ହୋଇଥିଲେ। ସଂଗଠନର ପ୍ରମୁଖ କହିଲେ ଯେ ଚଳିତବର୍ଷ ରାଜ୍ୟରେ ଧାନ ସଂଗ୍ରହ କ୍ଷେତ୍ରରେ ମିଲର ରାଜ ଚାଲିଛି। ଯାହାଫଳରେ ଚାଷୀମାନେ ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁନାହାଁନ୍ତି। କ୍ୱିଂଟାଲ ପିଛା ୧୨/୧୩ କେଜି ଲେଖାଏଁ କଟାଯାଉଛି। ଏଫଏକ୍ୟୁ ମାନର ଆଳ ଦେଖାଇ ମିଲର ମାନେ ଚାଷୀଙ୍କ ଧାନକୁ କଟନୀ ଛଟନୀ କରିବାକୁ ବାଧ୍ୟ କରୁଛନ୍ତି। ଯଦି ସେମାନେ ଧାନ ନଉଠାଇବେ ତେବେ ଏଗ୍ରିମେଂଟରୁ ଓହରିଯାଆନ୍ତୁ। ଧାନମଣ୍ଡିରୁ ଉଠାଇବା ସରକାରଙ୍କର କାମ। ଏ କ୍ଷେତ୍ରରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଓ ଚାଷୀଙ୍କ ସମସ୍ୟା ସମାଧାନ ନକରିବା ସନ୍ଦେହ ଘେରକୁ ଟାଣିଆଣିଛି। ପ୍ରଶାସନ ତୁରନ୍ତ ଏହାର ସମାଧାନ ନକଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଓଡ଼ିଶା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହ ସଂପାଦକ ସତ୍ୟରଂଜନ ନାୟକ, ସୀତାକାନ୍ତ ସାହୁ, ପିତବାସ ଲେଙ୍କା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଜାହିଲ ଖାନ୍‌, ଇଂ ପ୍ରଭାତ ମହାଳିକ ପ୍ରମୁଖ ସାମିଲ ଥିଲେ। ଅପରପକ୍ଷରେ ଗତକାଲି ସନ୍ଧ୍ୟାରେଜିଲା ମିଲର ସଂଘ ପକ୍ଷରୁ ଶୁକ୍ରବାର ଠାରୁ ଧାନ ଉଠାଇବେ ନାହିଁ ବୋଲି ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଏମାନଙ୍କର ଅଭିଯୋଗ ହେଲା ପ୍ରତିବର୍ଷ ମଣ୍ଡିରୁ ଧାନ ଉଠାଇବା ପରେ ମିଲିଂ ପାଇଁ ପ୍ରଶାସନ ଅନୁମତି ଦେଇଥାନ୍ତି। କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି। କେବେ ଅନୁମତି ମିଳିବ ଏ ନେଇ ମିଲର ମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗତବର୍ଷର ୧ ଲକ୍ଷ କ୍ୱିଂଟାଲ ଚାଉଳ ଗୋଦାମ ଘରେ ପଡିରହିଥିବାବେଳେ ଯୋଗାଣ ନିଗମ ଉଠାଉନାହାଁନ୍ତି। ଆଜିସୁଦ୍ଧା ଜିଲାରେ ୧୧ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଛି। ଜାଗା ଅଭାବରୁ ଏହି ଧାନକୁ ରଖିବା ପାଇଁ ମିଲରମାନଙ୍କ ନିକଟରେ ସ୍ଥାନ ନାହିଁ ବୋଲି ଅଭିଯୋଗ କରାଯାଇଛି। ପୁଣି ନିର୍ଦ୍ଧାରିତ ସମୟରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇଦେବା ମିଲରମାନଙ୍କ ପକ୍ଷେ ଅସମ୍ଭବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଣୁ ସଂଘ ପକ୍ଷରୁ ଏଭଳି ଚରମ ନିଷ୍ପତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.