Home ଜିଲ୍ଲା ପରିକ୍ରମା ଜାଫରାବାଦରେ ଷଣ୍ଢ ଚାଲାଣ ଉଦ୍ୟମ ପଣ୍ଡ, ୫ଟି ଷଣ୍ଢ ଉଦ୍ଧାର ଓ ୨ ଅଭିଯୁକ୍ତ ଗିରଫ

ଜାଫରାବାଦରେ ଷଣ୍ଢ ଚାଲାଣ ଉଦ୍ୟମ ପଣ୍ଡ, ୫ଟି ଷଣ୍ଢ ଉଦ୍ଧାର ଓ ୨ ଅଭିଯୁକ୍ତ ଗିରଫ

0

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଶାର୍ଦ୍ଧରେ ଷଣ୍ଢ ଚାଲାଣ ଉଦ୍ୟମ ପଣ୍ଡ । ୫ଟି ଷଣ୍ଢ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଗିରଫ୍ କରିଛି ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ । ଏଥିସହ ଅନ୍ୟଜଣେ ଅଭିଯୁକ୍ତ ଏକ ଡାଲା ଅଟୋ ନେଇ ଫେରାର୍ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଉକ୍ତ ଚାଲାଣରେ ସ୍ଥାନୀୟ କେତେକଙ୍କ ସଂପୃକ୍ତି ଥିବାନେଇ ପୋଲିସ ସନ୍ଦେହ କରି ଅଧିକ ଖୋଳତାଡ ଆରମ୍ଭ କରିଥିବା ସୂଚନା ମିଳିଛି । ଏଭଳି ଅମାନବୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଂଚାୟତ ଅଧିନ ଆନନ୍ଦବଜାର ନିକଟସ୍ଥ ଫକିରପୁର-କବିରପୁର ଗାଁ ମଧ୍ୟରେ । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଷଣ୍ଢ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ସଜାଗ ରହିଥିଲା । ରାତି ପ୍ରାୟ ୨ ଘଟିକା ସମୟରେ ରାସ୍ତା ପାଶ୍ୱର୍ ଓ ପଡିଆରେ ୫ଟି ଷଣ୍ଢକୁ ଦଉଡିରେ ବନ୍ଧା ଯାଇଥିବା ଏବଂ ଅଭିଯୁକ୍ତମାନେ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବାର ଦେଖିବାକୁ ପାଇଥିଲା ପୋଲିସ । ୨ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣେ କୌଶଳକ୍ରମେ ଏକ ଡାଲା ଅଟୋ ନେଇ ଖସି ପଳେଇ ଯାଇଥିବା ପୋଲିସ ଜାଣିବାକୁ ପାଇଛି । ପଚରା ଉଚୁରା ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ଅଭିଯୁକ୍ତ ଅଲ୍ଲୀ ହୁସେନ୍ ସାହା ଓ ସେର ଖାଁ ଏବଂ ସେମାନଙ୍କ ଘର ମତୋ ଫାଣ୍ଡି ଅଧିନ ପରମାନନ୍ଦ ପୁର ଗାଁର ବୋଲି ଜଣାଯାଇଛି । ତେବେ ସ୍ଥାନୀୟ କେତେକଙ୍କ ସହଯୋଗ ବଳରେ ସେମାନେ ମତୋରୁ ଆସି ଏହି ଗାଁରେ ଡେରା ପକାଇଥିବା ନିସନ୍ଦେହ । ସେମାନଙ୍କୁ ଚିହ୍ନଟ କରିବା ସହିତ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ସାଧାରଣରେ ଦାବୀ ଜୋର ଧରିଛି । ଅନ୍ୟପଟେ ଘଟଣା ତଦନ୍ତାଧିନ ରହିଛି ଏବଂ ଯେଉଁମାନଙ୍କ ସଂପୃକ୍ତି ଥିବ ସେମାନଙ୍କ ବିରୋଧରେ କଡ୍ଡା ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଅଜୟ କୁମାର ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି, କିଛିଦିନ ହେବ ଏହି ଥାନାଞ୍ଚଳରେ ଷଣ୍ଢ ଚାଲାଣ ଘଟଣା ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାସ ହେବାରେ ଲାଗିଛି । ମଣିଷ ପଣିଆ ନଥିବା କେତେକ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗକ୍ରମେ ଗୋଚାଲାଣକାରୀ ଗାଁ ଗଣ୍ଡା ଏପରିକି ବିଚ୍ ବଜାର ଓ ରାଜରାସ୍ତାରୁ ଷଣ୍ଢ ଉଠାଇ ନେଇ ବାହାରକୁ ଚାଲାଣ କରୁଛନ୍ତି । ଗତ ତା ୧୯.୧୦.୨୪ ରିଖ ରାତିରେ ସ୍ଥାନୀୟ ଦରପୁର ରାସ୍ତାରେ ୬ଟି ଷଣ୍ଢକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଘଟଣା ସ୍ଥଳରୁ ୩ ଜଣଙ୍କୁ ଗିରଫ୍ କରିବା ସହିତ ବ୍ୟବହୃତ ପିକ୍‌ଅପ ଭ୍ୟାନ୍ ସମେତ ଏସକର୍ଟ ଯୋଗାଉଥିବା ଏକ ଜାଇଲୋ କାର୍ ଓ ଏକ ବାଇକ୍‌?କୁ ଜବତ୍ କରିଥିଲା । ସେହିପରି ଗତ ୧୧.୧୨.୨୪ ରିଖ ବିଳମ୍ବିତ ରାତିରେ ସ୍ଥାନୀୟ ପୁରୁଣା ବଜାରସ୍ଥିତ ମୁସଲମାନ ବସ୍ତିରୁ ଏକ ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନକୁ ଜବତ୍ କରିଥିଲା ପୋଲିସ । ଗାଡିରେ ଅତି ଶୋଚନୀୟ ଓ ମୁମୂର୍ଷ ଅବସ୍ଥାରେ ୩ଟି ଷଣ୍ଢ ସମେତ ୧୯ଟି ଗୋମାତାକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଚାଲାଣରେ କାହାରି ସଂପୃକ୍ତି ଥିବାନେଇ ଏଯାଏଁ ପୋଲିସ ସଫଳ ହୋଇ ପାରିନଥିବା ବଡ ପରିତାପର ବିଷୟ ସାଜିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.