Home ଜିଲ୍ଲା ପରିକ୍ରମା ଜାନୁୟାରୀ ୨୫ ରୁ ୨୯, ନେହେରୁ ଷ୍ଟାଡ଼ିୟମ୍‌ରେ ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ପଲ୍ଲିଶ୍ରୀ ମେଳା, କୃଷିଯନ୍ତ୍ରପାତି...

ଜାନୁୟାରୀ ୨୫ ରୁ ୨୯, ନେହେରୁ ଷ୍ଟାଡ଼ିୟମ୍‌ରେ ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ପଲ୍ଲିଶ୍ରୀ ମେଳା, କୃଷିଯନ୍ତ୍ରପାତି ମେଳା ପାଇଁ ୨୨୦ ଷ୍ଟଲ

61

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯିବା ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଏସ୍‌.ପି. ବାମଦେବ ସିଂ ପ୍ରମୁଖଙ୍କ ସହ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ମହୋତ୍ସବ ଆୟୋଜନ ଓ ପରିଚାଳନା ଦିଗରେ ଗତବର୍ଷ ଦେଖାଯାଇଥିବା ଅଭାବ, ଅସୁବିଧା ବିଶେଷ କରି ବୃହତ୍ ଜନସମାବେଶ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସୁଧାର ପାଇଁ ଉଚିତ୍ ପଦକ୍ଷେପ ନିଆଯିବା ନେଇ ବିଚାର ବିମର୍ଷ କରାଯାଇଥିଲା । ବୈଠକରେ ଉପସ୍ଥିତ ସିଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡି.ଏସ୍‌.ପି.ଡ଼ି.ଆଇ.ବି କମଳ ଲୋଚନ ଭୂୟାଁ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଡି.ପି.ଏମ୍‌.ଓ.ଏଲ.ଏମ୍ ସଞ୍ଜୟ କୁମାର ବାରିକ୍ ମତାମତ ପ୍ରଦାନ କରିଥିଲେ । ସୁଦୃଢ଼ ବ୍ୟାରିକେଡ଼୍ ବ୍ୟବସ୍ଥା, ଦିନକୁ ୨ ଥର ସକାଳେ ଓ ସନ୍ଧ୍ୟାରେ ସଫେଇ, ଖାଦ୍ୟମେଳା ପାଇଁ ସ୍ୱତନ୍ତ୍ର ଜୋନ୍‌, ଅଗ୍ନି ନିରାପତ୍ତା, ଷ୍ଟଲ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ଯୋଗାଣ, ଅତିଥି ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଚାରିଚକିଆ ଯାନ ପ୍ରବେଶ ଓ ପାର୍କିଂ ପାଇଁ ସୀମିତ ପାସ୍ ବ୍ୟବସ୍ଥା, ଅପରାହ୍ନ ୩ ଘଟିକାରୁ ପୂର୍ବରୁ ନିର୍ଦ୍ଧାରିତ ଆଞ୍ଚଳିକ ସାଂସ୍କୃତିକ ଦଳ, ସ୍କୁଲ କଲେଜର ସାଂସ୍କୃତିକ ଦଳର ଦଳଗତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ଆଦି ବିଷୟ ସମ୍ବନ୍ଧରେ ସବିଶେଷ ସମୀକ୍ଷା କରାଯାଇଥିଲା । ପ୍ରକାଶ ଥାଉକି ସରକାରୀ ଯୋଜନାରେ ସବ୍‌ସିଡ଼ି ଯୁକ୍ତ ବିଭିନ୍ନ କୃଷି ଯନ୍ତ୍ରପାତି ବିକ୍ରୟ ଓ ଋଣ ଜରିଆରେ ପ୍ରଦାନ ଉପଲକ୍ଷେ ସ୍ୱତନ୍ତ୍ର ଭାବେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ତରଫରୁ ୪୦ଟି ଷ୍ଟଲରେ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ ।

ସେହିପରି ସ୍ୱୟଂ ସହାୟକ ମହିଳା ମାନଙ୍କ ଦ୍ୱାରା ଉତ୍ପାଦ ବସ୍ତୁର ବିପଣି ଓ ପ୍ରୋତ୍ସାହନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅଂଶ ଗ୍ରହଣ କରିବାକୁ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ୧୨୦ଟି ଷ୍ଟଲ ପ୍ରସ୍ତୁତ କରାଯିବ । ତେବେ ଭଦ୍ରାୟଣୀ ୨୦୨୪ ରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ଅନ୍ୟାନ୍ୟ ମିଶି ସମୁଦାୟ ୨୨୦ ଟି ଷ୍ଟଲ ପ୍ରଦର୍ଶନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି । ଆଞ୍ଚଳିକ ପ୍ରତିଭା ମାନଙ୍କ କାର୍ଯ୍ୟକ୍ରମ ସହ ଓଲିଉଡ଼୍‌, ବଲିଉଡ଼୍ ର ନାମୀଦାମୀ କଳାକାର ମାନଙ୍କୁ ନେଇ ପ୍ରତିଦିନ ଆକର୍ଷଣୀୟ ରଙ୍ଗାରଙ୍ଗ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୫ ଦିନ ଧରି ଚାଲିବାକୁ ଥିବା ଏହି ଜିଲ୍ଲା ମହୋତ୍ସବର ବିଭିନ୍ନ ସନ୍ଧ୍ୟାରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଜନପ୍ରତିନିଧି ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ନେଇ ମଧ୍ୟ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଉଛି । ଜିଲ୍ଲାପାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଥିବା ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହେବା ସହ ବିରାଟ ସଫଳତା ଲାଭ କରିବା ଦିଗରେ ଅଧିକରୁ ଅଧିକ ଜନ ସାଧାରଣ ସାମିଲ ହୋଇ ସହଯୋଗ କରିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.