Home ଜିଲ୍ଲା ପରିକ୍ରମା ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି – ଜିଲାପାଳ, ସର୍ପାଘାତରେ ମୃତକଙ୍କ ପରିବାରକୁ ୪...

ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି – ଜିଲାପାଳ, ସର୍ପାଘାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ସହ ତଳଗୋପବିନ୍ଧା ପଂଚାୟତକୁ ସବୁଦିନିଆ ରାସ୍ତା

17

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ତଳଗୋପବିନ୍ଧା ପଂଚାୟତ ନିବାସୀ ସତ୍ୟଭାମା ବେହେରାଙ୍କର ସର୍ପାଘାତରେ ଅକାଳ ମୃତ୍ୟୁ ହେବା ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଭଦ୍ରକ ଜିଲାପାଳ ଜାତୀୟ ମାନବାଧିକାର ଆୟୋଗଙ୍କୁ ଅବଗତ କରାଇଛନ୍ତି । ବିଶିଷ୍ଟ ମାନବାଧିକାର କର୍ମୀ ତଥା ସମାଜସେବୀ ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଏହି ସଂକ୍ରାନ୍ତରେ ପିଟିସନ୍ କେଶ୍ ନଂ ୧୯୫୭/୧୮/୧୮/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିଲା । ଶ୍ରୀ ତିପ୍ରାଠୀଙ୍କ ପିଟିସନ୍ ଅନୁଯାୟୀ ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନସ୍ଥ ତଳଗୋପବିନ୍ଧା ପଂଚାୟତ ପାଇକସାହି ବାସିନ୍ଦା ସତ୍ୟଭାମା ବେହେରାଙ୍କୁ ୨୦୨୩ ମସିହା ଜୁଲାଇ ୨୩ ତାରିଖ ଦିନ ଏକ ବିଷଧର ସର୍ପ ଦଂଶନ କରିଥିଲା । ତେବେ ସମୟୋଚିତ ଚିକିତ୍ସା ସୁବିଧା ଅଭାବରୁ ତାଙ୍କର ଅକାଳ ବିୟୋଗ ଘଟିଥିଲା । ସତ୍ୟଭାମାଙ୍କ ମୃତ୍ୟୁ ପରେ ତାଙ୍କର ଛୋଟ ପିଲାଟି ଅନାଥ ହୋଇଯିବା ପରେ ତାଙ୍କୁ ସବୁ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉ ବୋଲି ମାନ୍ୟବର ଆୟୋଗଙ୍କୁ ଶ୍ରୀ ତିପ୍ରାଠୀ ନିବେଦନ କରିଥିଲେ । ଏତଦ୍‌ବ୍ୟତୀତ ତଳଗୋପବିନ୍ଧା ପଂଚାୟତ ବାସିନ୍ଦାଙ୍କୁ ଗମନାଗମନ ଓ ରାସ୍ତାଘାଟ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ମଧ୍ୟ ସେ ନିଜ ପିଟିସନରେ ଉଲ୍ଲେଖ କରିଥିଲେ । ଯାହାର ଉତରରେ ମାନ୍ୟବର ଜିଲାପାଳ ୨୦୨୪-୨୫ ଆର୍ଥିକ ବର୍ଷରେ ବେଲମା ଛକ-ନରସିଂହପୁର-ଐଶ୍ୟାନ୍ୟଚଣ୍ଡି ଏବଂ ବେଲମା ଛକ-ଗୁହାଳିମାଳ-ଐଶ୍ୟାନ୍ୟଚଣ୍ଡି ରାସ୍ତାର ଉନ୍ନତିକରଣ ହେବ ବୋଲି ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏତଦ୍‌ବ୍ୟତୀତ ସ୍ଲୁଇସ୍ ଗେଟ୍‌-ବେଲଗଛ ଘାଇ-ଐଶ୍ୟାନୀଚଣ୍ଡି ରାସ୍ତାଟି ଜଳସଂପଦ ବିଭାଗ ଅଧୀନରେ ଆସୁଥିବାରୁ ଏହା ସାଳନ୍ଦୀ ଜଳସେଚନ ବିଭାଗ ଦ୍ୱାରା ମରାମତି ହେବ ବୋଲି ମଧ୍ୟ ଜିଲାପାଳ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ତ୍ରିପାଠୀ ଦୁଇ ଦଶନ୍ଧି ଧରି ପଂଚାୟତବାସିନ୍ଦାଙ୍କ ବିଭିନ୍ନ ମୌଳିକ ଅସୁବିଧାକୁ ନେଇ ଜିଲାପାଳ ତଥା ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରି ସେଥିମଧ୍ୟରୁ କିଛିମାତ୍ରାରେ ପୂରଣ କରାଇ ପାରିଥିବାବେଳେ ଅନେକ କିଛି ଅଧୁରା ରହିଯାଇଛି । ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ଦୁଇ ପୂର୍ବତନ ଜିଲାପାଳଙ୍କୁ ଭେଟି ଏହି ପଂଚାୟତକୁ ‘ସ୍ମାର୍ଟ ଭିଲେଜ୍‌’ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ତତ୍‌କାଳୀନ ଜିଲାପାଳ ତ୍ରିଲୋଚନ ମାଝୀଙ୍କ କ୍ଷେତ୍ର ପରିଦର୍ଶନ ପରେ ତିଆଡିସାହିରେ ଥିବା ଦଦରା ପୋଲ ସ୍ଥାନରେ ଏକ ନୂତନ ପୋଲ ନିର୍ମାଣ ପାଇଁ ଦୁଇବର୍ଷ ତଳୁ ରାଜ୍ୟ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି । ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଏହି ପଂଚାୟତକୁ ଭଲ ରାସ୍ତାଟିଏ ହୋଇନପାରିବା ବିକାଶର ପରିପନ୍ଥୀ ବୋଲି ଶ୍ରୀ ତ୍ରିପାଠୀ କ୍ଷୋଭ ପ୍ରକାଶ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.