Home ଜିଲ୍ଲା ପରିକ୍ରମା ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, କୋଟପା ଆଇନ୍ କାର୍ଯ୍ୟାନ୍ୱୟନ ପାଇଁ ପ୍ରଶିକ୍ଷଣ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, କୋଟପା ଆଇନ୍ କାର୍ଯ୍ୟାନ୍ୱୟନ ପାଇଁ ପ୍ରଶିକ୍ଷଣ

38

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୂମପାନ ଓ ଅନ୍ୟ ତମାଖୁ ସେବନ ନିଷେଦ୍ଧ ଜନିତ ଆଇନ୍ କାନୁନ୍‌କୁ ନମାନିବା ଯୋଗୁଁ ଲଗାତାର ତମାଖୁ ସହ ଜଡ଼ିତ ବିଭିନ୍ନ ରୋଗ ବିଶେଷ କରି ମୁଖ ଗହ୍ୱର ଜନିତ କ୍ୟାନସର ବଡ଼ିବାରେ ଲାଗିଛି। ଯଦି ଖୁବ୍ ଶୀଘ୍ର ଏହା ଉପରେ ଲଗାମ ନ ଲଗାଯାଏ ତେବେ ଚାରିଆଡ଼େ ଏହି ଧୂମପାନ ଓ ତମାଖୁ ସେବନ ପ୍ରସାରିତ ହୋଇ କୋଟି କୋଟି ଲୋକ ଏହାର ପ୍ରଭାବରେ ଆସିପାରନ୍ତି। ଏବେ ବି ଆମ ରାଜ୍ୟରେ ପ୍ରତି ବର୍ଷ ୫୨, ୦୦୦ ଲୋକ ମୁଖଗହ୍ୱର କ୍ୟାନସର୍‌ରେ ପ୍ରାଣ ହରାଉଛନ୍ତି। ତେଣୁ ତମାଖୁ ପ୍ରତି ଲୋକଙ୍କ ମଧ୍ୟରେ ଜାଗରୂକତା ଉତ୍ପନ୍ନ କରିବା ସହିତ ସିଗାରେଟ୍ ତଥା ଅନ୍ୟ ତମାଖୁ ଉତ୍ପାଦକ ବ୍ୟବହାର, ବାଣିଜ୍ୟ, ଉତ୍ପାଦନ ଆଦି ନିଷେଦ୍ଧ ଜନିତ କୋଟପା ଆଇନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଜି ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ତମାଖୁ ନିୟନ୍ତ୍ରଣ ଆଇନ୍ କାର୍ଯ୍ୟକାରୀତା ପାଇଁ ଧରପଗଡ଼ ଅଧିକାରୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସାଧାରଣ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭାରତୀ ରାଉତଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌.ପି ଯତୀନ୍ଦ୍ର କୁମାର ପଣ୍ଡା, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଡ଼ା ଗିରିଜା ଶଙ୍କର ମିଶ୍ର, ଏପିଡ଼େମିଲୋଜିଷ୍ଟ ଡ଼ା. କାଶୀନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ। ଶ୍ରୀଯୁକ୍ତ ମିଶ୍ର ରିସୋର୍ସ ପର୍ସନ ଭାବେ କର୍ମଶାଳାରେ ଉପସ୍ଥିତ ୧୯ଟି ଥାନାର ପୋଲିସ ସବ୍‌ଇନିସ୍‌ପେକ୍ଟର ଓ ସଂପୃକ୍ତ ଅନ୍ୟ କେତେକ ବିଭାଗୀୟ ଅଧିକାରୀମାନଙ୍କୁ ଆଇନ୍‌ର କାର୍ଯ୍ୟକାରୀତା ନେଇ ଦୀର୍ଘ ସମୟ ଧରି ଆମୂଳଚୂଳ ଆଲୋଚନା କରିବା ସହିତ ତଥ୍ୟ ଭିତ୍ତିକ ଜ୍ଞାନ ପ୍ରଦାନ କରିଥିଲେ। ୨୦୦୩ରେ ପ୍ରଣୀତ କୋଟପା ଆଇନ୍ ଅନୁଯାୟୀ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦର ବିଜ୍ଞାପନ ନିଷେଧ, ବାଣିଜ୍ୟ, ବ୍ୟବସାୟ, ଉତ୍ପାଦନ, ଯୋଗାଣ, ବଣ୍ଟନକୁ ନିୟନ୍ତ୍ରଣ କରାଯିବା, ସର୍ବସାଧାରଣ ଜାଗାରେ ଧୂମପାନ ନିଷେଧ ଓ ଆଇନ୍ ଉଲଘନକାରୀଙ୍କ ପ୍ରତି ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟାବସ୍ଥା, ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସିଗାରେଟ୍ ବା ଅନ୍ୟ ତମାଖୁ ଉତ୍ପାଦ ବିକ୍ରି ନକରିବା, ଶିକ୍ଷାନୁଷ୍ଠାନ ପ୍ରାଚୀର ରୁ ୧୦୦ ଗଜ ବା ୯୩ ମିଟର ଦୂରତା ମଧ୍ୟରେ ସିଗାରେଟ ବା ତମାଖୁ ବିକ୍ରୟ ନିଷେଧ କରାଯିବା, ତମାଖୁ ଉତ୍ପାଦ ପ୍ୟାକେଟ୍ ଉପରେ ସ୍ୱାସ୍ଥ୍ୟ ସତର୍କତା ଉଭୟ ଚିତ୍ର ଓ ବାର୍ତ୍ତାକୁ ସ୍ଥାନ ଦେବା, ସମସ୍ତ ପ୍ରକାର ତମାଖୁ ଉତ୍ପାଦ ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସମସ୍ତ ବିଜ୍ଞାପନ, ପ୍ରୋତ୍ସାହନ, ପୃଷ୍ଠପୋଷକତାକୁ ନିଷେଧ କରାଯିବା ନେଇ ସେକସନ୍ ୪ ରୁ ୭ ପର୍ଯ୍ୟନ୍ତ ଆଇନ୍‌ର ପ୍ରତିଟି ଦିଗକୁ ବ୍ୟାଖ୍ୟା କରିବା ସହିତ ସେ ନେଇ ଧରପଗଡ଼ ପ୍ରଣାଳୀ, ଜରିମାନା ପରିମାଣ ଓ ଜେଲଦଣ୍ଡ ବ୍ୟବସ୍ଥା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ତାଲିମ୍ ପ୍ରଦାନ କରିଥିଲେ। ଓଡ଼ିଶାରେ ୪୫% ଲୋକ ତମାଖୁ ସେବନ କରୁଥିବାରୁ ଏହାକୁ ହଠାତ୍ ବନ୍ଦ କରାଯିବା ନେଇ ଅସହଜ ମନେ ହେଉଥିଲେ ବି ଏହାର ଯୋଗାଣ ଓ ଉତ୍ପାଦନରେ ହ୍ରାସ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ୧୫% କିମ୍ବା ୨୦%କୁ ହ୍ରାସ ପାଇଲେ ସମ୍ପୁର୍ଣ୍ଣ ବନ୍ଦ କରାଯିବା କଥା ଚିନ୍ତା କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ତମାଖୁ ସେବନ ହ୍ରାସ ଜନିତ ଲକ୍ଷ୍ୟ ହାସଲ ହୋଇ ପାରିବା ଆଧାରରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭଦ୍ରକ ଜିଲ୍ଲାରେ ୪୨ଟି ସ୍କୁଲ ର ନିର୍ଦ୍ଧାରିତ ଦୂରତାକୁ ହଳଦିଆ ରଙ୍ଗରେ ଚିହ୍ନିତ କରି ୟେଲୋ ଜୋନ୍ ମଧ୍ୟରେ ତମାଖୁ ମୁକ୍ତ କରାଯାଇଥିବା କୁହାଯାଇଥିଲା।

ବିଶେଷ କରି ୧୫ ରୁ ୧୭ ବର୍ଷ ବୟସ ମଧ୍ୟରେ କିଶୋରମାନେ ଅଧିକ ଏହି ତମାଖୁ ସେବନ ପ୍ରତି ଆକର୍ଷିତ ହୋଇଥାନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଗୁଡ଼ିକୁ ଏହି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ ବି ଏଥିରେ ଅନ୍ତର୍ଭୁକ୍ତ କରାଯିବ। ପ୍ୟାକେଟ୍ ବିନା ଗୋଟିକିଆ ସିଗାରେଟ୍ ବିକ୍ରୟ କରାନଯିବା, ଠେଲା ଗାଡ଼ିରେ ତମାଖୁ ନବିକିବା, ଦୋକାନ ସମ୍ମୁଖରେ ଗୁଟଖା ମାଳ ନଝୁଲାଇବା, ପ୍ଲାଷ୍ଟିକ୍‌ରେ ତମାଖୁ ନବିକିବା, ଆଇନ୍ ଉଲ୍ଲଘନ କାରୀମାନଙ୍କ ବିରୁଦ୍ଧରେ ଜରିମାନା ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଥିବା ୨୧ଟି ବର୍ଗର ପ୍ରାଧୀକୃତ ଅଧିକାରୀ, ଧରପଗଡ଼ କରିବା ପାଇଁ ପୋଲିସ୍ ସବ୍‌ଇନିସ୍‌ପେକ୍ଟର ସ୍ତରରୁ ଉର୍ଦ୍ଧ୍ୱ ସମସ୍ତ ପୋଲିସ ଏବଂ ଅନ୍ୟ ସଂପୃକ୍ତ ପ୍ରାଧୀକୃତ ବିଭାଗୀୟ ଅଧିକାରୀମାନଙ୍କ ସମ୍ବନ୍ଦରେ ମଧ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା। ପୋଲିସ ଅଧିକାରୀମାନଙ୍କ ବ୍ୟତୀତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି, ଖାଦ୍ୟ ନିରକ୍ଷକ, ଅବକାରୀ ଅଧୀକ୍ଷକ, ଡ଼୍ରଗସ୍ ଇନସ୍‌ପେକ୍ଟର ପ୍ରମୁଖ ମଧ୍ୟ ଏହି ପ୍ରଶିକ୍ଷଣରେ ଉପସ୍ଥିତ ଥିଲେ। ସିଗାରେଟ୍‌, ତମାଖୁ, ନିକୋଟିନ୍ ଯୁକ୍ତ ଗୁଟ୍‌ଖା, ପାନ ମସଲା ବିକ୍ରି, ମହଜୁଦ୍‌, ପ୍ରସ୍ତୁତ ଆଦିକୁ ଯାଞ୍ଚ, ଧରପଗଡ଼ ଓ ଚଢ଼ାଓ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏ.ଏସ୍‌.ପି ଶ୍ରୀଯୁକ୍ତ ପଣ୍ଡା ଶେଷରେ ଉପସ୍ଥିତ ସମସ୍ତ ପୋଲିସ୍ ସବ୍‌ଇନିସ୍‌ପେକ୍ଟରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପୋଗ୍ରାମ ଅଧିକାରୀ ଦୀପକ କୁମାର ରାଉତ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଂଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.