ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଥିବା ସେବାଶ୍ରମ ବିଦ୍ୟାଳୟରେ ଜନଜାତି ଛାତ୍ର ମାନଙ୍କୁ ବିଭାଗୀୟ କର୍ତୁପକ୍ଷ ଅଣଦେଖା କରୁଛନ୍ତି। ଫଳରେ ବର୍ତମାନ ପରିସ୍ଥିତିରେ ଏହି ସେବାଶ୍ରମ ବିଦ୍ୟାଳୟରେ ଯୋଗ ଦେଇଥିବା ୪୦ଜଣ ଛାତ୍ରଙ୍କ ମଧ୍ୟରୁ ୨୨ଜଣଙ୍କୁ ସେମାନଙ୍କର ପିତାମାତା ଆସି ନେଇ ଯାଇଛନ୍ତି। ଏହାର ଏକମାତ୍ର କାରଣ ଅନୁସୂଚିତ ଜନଜାତିର ଛାତ୍ର ମାନଙ୍କୁ ଆଣି ଏଠାରେ ରଖିବା ପରେ ସେମାନଙ୍କୁ ଖାଦ୍ୟ ପେୟ ଠାରୁ ଆରମ୍ଭ କରି ଚିକିତ୍ସା ମଧ୍ୟ ଠିକ ସମୟରେ ବିଭାଗୀୟ କର୍ତୁପକ୍ଷ ଯୋଗାଇ ଦେଉ ନାହାନ୍ତି ଫଳରେ ବାଧ୍ୟ ହୋଇ ତାଙ୍କ ପରିବାର ଆଜି ଭଳି ଦିନରେ ଶିକ୍ଷା ଠାରୁ ଦୂରେଇ ରହିବା ସହ ଆଗାମୀ ଦିନରେ ବିଦ୍ୟାଳୟକୁ ଛାଡିବାକୁ ଚାହୁଁ ନାହାନ୍ତି ଫଳରେ ସରକାରଙ୍କ ସଭିଏ ପଢନ୍ତୁ ସଭିଏ ବଢନ୍ତୁ ଏକ ପ୍ରହସନ ପାଲଟିଛି। ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ସରକାରଙ୍କ ଲକ୍ଷ ପୂରଣ ନହେବା ପାଇଁ ସରକାର ହିଁ ଏକମାତ୍ର ଦାୟୀ ବୋଲି ଚର୍ଚା ଚାଲିଛି। ଏହି ସେବାଶ୍ରମ ବିଦ୍ୟାଳୟରେ ୪୦ଜଣ ଅନୁସୂଚିତ ଜନଜାତି ଏବଂ ଜାତି ଛାତ୍ର ଆସି ପାଠ ପଢିବା ପାଇଁ ରହିଥିବା ବେଳେ ସେମାନେ ଏହି ସେବାଶ୍ରମ ବିଦ୍ୟାଳୟ ପାଇଁ ଉଦିଷ୍ଟ ଛାତ୍ରାବାସ ରେ ରହୁଥିଲେ। ଖରାଦିନରେ ନାହିଁ ନଥିବା ଅସୁବିଧା ସହ ଶୀତ ଦିନରେ ମଧ୍ୟ ଅବ୍ୟବସ୍ଥିତ ବ୍ୟବସ୍ଥା । ଆଜି ଭଳି ଜାଡ ଦିନରେ ଏହି ସେବାଶ୍ରମ ଛାତ୍ରାବାସରେ ଏହି ଜନଜାତି ପିଲା ମାନଙ୍କ ପାଇଁ ଖଟ ନାହିଁକି ବିଛଣା ନାହିଁ ଏଥିସହ ସେମାନଙ୍କ ପାଇଁ ଶୀତଦିନରେ କମଳର ମଧ୍ୟ ବ୍ୟବସ୍ଥା ସରକାରଙ୍କ ପାଖରୁ ଯୋଗାଇ ଦିଆଯାଇ ନାହିଁ। ଆଜି ଭଳି ଜାଡ ଦିନରେ ଏହି ଛାତ୍ରାବାସରେ ରହୁଥିବା ଛାତ୍ର ମାନେ ଶୀତ ରାତିରେ ବିଛଣାରେ ଶୋଇବା ବଦଳରେ ବସି ରହୁଛନ୍ତି। ବିଭାଗୀୟ କର୍ତୁପକ୍ଷଙ୍କ ଦ୍ୱାରା ସ୍ତିରୀକୃତ ହୋଇଥିବା ଖାଦ୍ୟ ମଧ୍ୟ ସଠିକ ଭାବେ ଯୋଗାଇ ଦିଆଯାଉନାହିଁ। ବହୁ ଗରିବ ଛାତ୍ର ଏଠାରେ ରହୁଥିବା ବେଳେ ସମସ୍ତ ଛାତ୍ର ଆଜି ଭଳି ଦିନରେ ଚର୍ମରୋଗରେ ପିଡୀତ । ଏହି ସେବାଶ୍ରମ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ନିଜର ଗୁରୁ ଦାୟିତ୍ୱ ବହନ କରୁ ନଥିବା ନେଇ ଅଭିଯୋଗ ଆସିବା ପରେ ୨୨ଜଣ ଛାତ୍ରଙ୍କ ପରିବାର ଆସି ସେମାନଙ୍କ ପିଲାଙ୍କୁ ଏହି ଛାତ୍ରାବାସରୁ ନିଜ ଘରକୁ ନେଇ ଫେରି ଗଲେଣି। ଏହାର ଏକମାତ୍ର କାରଣ ବିଭାଗୀୟ କର୍ତୁପକ୍ଷଙ୍କ ଉଦାସୀନତା।ଏଥିସହ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଲଗା ପିଇବା ପାଣିର ବ୍ୟବସ୍ଥା ହୋଇ ନଥିବା ବେଳେ ବିଦ୍ୟାଳୟ ଏବଂ ଛାତ୍ରାବାସର ପାଚେରୀ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ। ଫଳରେ ଛାତ୍ର ମାନେ ବାହାର ସ୍ଥାନରୁ ପାଣି ପିଉଥିବା ବେଳେ ସେମାନେ ଚର୍ମରୋଗରେ ପିଡୀତ ହୋଇ କଷ୍ଟ ଭୋଗୁ ଛନ୍ତି। ସରକାରଙ୍କ ଅନୁସୂଚିତ ଜନଜାତିର ୪୦ଜଣ ଛାତ୍ର ଥିବା ବେଳେ ୬୦ଜଣ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟର ଶ୍ରେଣୀ ଗୃହର ଅଭାବ। ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଥମରୁ ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ଗୋଟିଏ ମାତ୍ର ଶ୍ରେଣୀଗୃହ। ଏତିସହ ସଂପୃକ୍ତ ସହକାରୀ ଶିକ୍ଷୟତ୍ରୀ ଏଭଳି ଥଣ୍ଡା ଦିନରେ ସମସ୍ତ ଛାତ୍ରଛାତ୍ରୀଙ୍କ ବିନା ଆସନରେ ବାରଣ୍ଡା ରେ ବସାଇ କିପରି ପଢାଉଛନ୍ତି ତାହ ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ଦାସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିବା ସହ ମୋବାଇଲ ବନ୍ଦ କରି ଦେଇଥିଲେ ଏଥିସହ ସଂପୃକ୍ତ ସହକାରୀ ଶିକ୍ଷୟତ୍ରୀ ସାମ୍ବାଦିକ ମାନଙ୍କ ଉପରେ ନାଲିଆଖି ଦେଖାଇବାକୁ ପଛାଇ ନଥିଲେ। ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ ଏହି ସମସ୍ତ ଅଭିଯୋଗ ବିଷୟରେ ଅବଗତ ଅଛନ୍ତି ଏବଂ ସମାଧାନ ହୋଇଯିବ ମାତ୍ର କେବେ! ତାହାର ଉତରକୁ ଏଡାଇ ଯାଇଥିଲେ।
Home ଜିଲ୍ଲା ପରିକ୍ରମା ଜାଗୁଳା ସେବାଶ୍ରମ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଙ୍କୁ ଅଣଦେଖା, ଚର୍ମରୋଗରେ ପୀଡିତ ଏବଂ ଶୀତ ଦିନରେ...







