Home ଜିଲ୍ଲା ପରିକ୍ରମା ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ

ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ

130

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କୁ ଏହି ଚେତାବନୀ ଦିଆଯିବା ସହିତ କୁହାଯାଇଛି ଯେ ଏହି ବ୍ୟବସ୍ଥାରେ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ପୂର୍ବ ନିଷ୍ପତି ପ୍ରକାରେ ୧୦୦ ଟଙ୍କା ପ୍ରୋତ୍ସାହନ ଭତ୍ତା ପ୍ରଦାନ, ୱାର୍କଚାର୍ଜ କର୍ମଚାରୀମାନଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ସହ ସ୍ଥିରିକୃତ ପେନ୍‌ସନ ପ୍ରଦାନ, ଠିକା ଓ ଏସ୍‌ଇଏମ୍ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ଇ ମାଷ୍ଟର ରୋଲ ମାଧ୍ୟମରେ ବେତନ ପ୍ରଦାନ, କୋବିଡ଼ ୧୯ ମହାମାରୀରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, କ୍ୟାଡର ରୁଲ ସଂଶୋଧନ କରାଯାଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ପ୍ରଦାନ, ଆଉଟସୋର୍ସିଂ କର୍ମଚାରୀମାନଙ୍କ ସର୍ବନିମ୍ନ ଉଚ୍ଚ କୁଶଳୀ ମଜୁରୀ ସହ ଇପିଏଫ୍ ଓ ଇଏସ୍‌ଆଇ ବ୍ୟବସ୍ଥା ପ୍ରଦାନ, ୱାଟ୍‌କୋ ସଂସ୍ଥାରେ କାର୍ଯ୍ୟ କରାଯାଇ ଜନସ୍ୱାସ୍ଥ୍ୟ ବିଭାଗରୁ ବେତନ ପରିବର୍ତ୍ତେ ୱାଟ୍‌କୋ ସଂସ୍ଥାରୁ ବେତନ ପ୍ରଦାନ ଆଦି ଦାବୀ ପୂରଣ ପାଇଁ ଅନୁରୋଧ କରାଯାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଉପରୋକ୍ତ ଦାବୀ ସମ୍ପର୍କରେ ଦୀର୍ଘ ବର୍ଷ ଧରି ଅବଗତ ଥିଲେ ମଧ୍ୟ ଦାବୀ ପୂରଣ କ୍ଷେତ୍ରରେ କୌଣସି ପଦକ୍ଷେପ ନେଉନାହିଁ । କୋବିଡ଼ ମହାମାରୀ ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସଂଘ ଗତ ମାର୍ଚ୍ଚ ମାସ ଠାରୁ ନିରବଚ୍ଛିନ୍ନ ଭାବରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକୁ ଜଳଯୋଗାଣ କରିବା ସହିତ ବିଭିନ୍ନ ଚିକିତ୍ସାଳୟକୁ ମଧ୍ୟ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପନ୍ନ କରାଯାଉଛି ।

ସରକାର ଜଳ ଯୋଗାଣ ବ୍ୟବସ୍ଥାକୁ ଅତ୍ୟାବଶ୍ୟକ କାର୍ଯ୍ୟ ଭାବେ ବିଚାର କରୁଥିବା ବେଳେ ଏହି ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଫଳରେ ଏହି ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ଭଦ୍ରକ ଶାଖା ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆସନ୍ତା ୧୬ ତାରିଖରେ ରାଜ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ୨୦ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣଧାରଣା ସହ ସ୍ମାରକପତ୍ର ପ୍ରଦାନ କରାଯିବ । ପରେ ୨୩ ତାରିଖରୁ ୨୬ ତାରିଖ ପୂଜା ଛୁଟିରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, ଉପଦେଷ୍ଟା ନାରାୟଣ ଚନ୍ଦ୍ର ସାମଲ,ମନୋଜ କୁମାର ରାଉତ, ବିଷ୍ଣୁ ଜେନା, ଅମର ସିଂ, ଶରତ କୁମାର ଜେନା, ସନ୍ଦିପ ବିନ୍ଧାଣୀ, ରାଜେନ୍ଦ୍ର କୁମାର ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.