– “ଛାତ” ଯୋଜନା ଅନ୍ତର୍ଗତ ଓ୍ୱେବ୍ ପୋର୍ଟାଲର ଶୁଭାରମ୍ଭ
ଭୁବନେଶ୍ୱର ୧୬.୦୧ (ଓଡ଼ିଆ ପୁଅ) ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଟୁକନି ସାହୁ ଆଜି ଜଳ ସଂପଦ ବିଭାଗରେ ବିଭିନ୍ନ ପ୍ରକଳ୍ପ ପାଇଁ ଥିବା ବ୍ୟୟ ବରାଦ ଓ ଅଦ୍ୟାବଧି ପ୍ରକଳ୍ପର ଅଗ୍ରଗତି ଏବଂ ହୋଇଥିବା ଖର୍ଚ୍ଚ ସଂପର୍କରେ ସମୀକ୍ଷା କରିଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ ଓ୍ୱାରୀ କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ବିଭିନ୍ନ କାର୍ଯ୍ୟ ପାଇଁ ଯେଉଁ ଧାର୍ୟ୍ୟ ଲକ୍ଷ୍ୟ ରହିଛି, ତାହାକୁ ସମୟ ଅନୁସାରେ ଶେଷ କରି ଖର୍ଚ୍ଚ ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଅଧିକାରୀ ତଥା ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଥିଲେ ଯେ, ଜଳହିଁ ଜୀବନ। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟ ଜଳ ସଂପଦ ବିଭାଗରେ ଛାତ( କମ୍ୟୁନିଟି ହାରନେସିଂ ଆଣ୍ଡ ହାରଭେଷ୍ଟିଂ ରେନ୍ ଓ୍ୱାଟର ଆର୍ଟିଫିସିଆଲି ପ୍ରମ୍ ଟେରାକ୍ ଟୁ ଆକ୍ୱୁଇଫର) ଯୋଜନା ଅନ୍ତର୍ଗତ ଏକ ଓ୍ୱେବ୍ ପୋର୍ଟାଲ ଙ୍ଗଙ୍ଗଙ୍ଗ.ରମଷଷବଗ୍ଧବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ କୁ ଉନ୍ମୋଚନ କରିଥିଲେ। ରାଜ୍ୟର ଚିହ୍ନଟ ହୋଇଥିବା ୨୭ଟି ସହର ଓ ୫୨ଟି ଜଳ ଉପଲବ୍ଧତା ନେଇ ଚାପରେ ରହୁଥିବା ବ୍ଲକମାନଙ୍କରେ କାର୍ଯ୍ୟକାରୀ ହେଉଥିବା “ଛାତ” ଯୋଜନା କାର୍ଯ୍ୟକାରୀ ହେବା ପାଇଁ ଏହା ହିତାଧିକାରୀଙ୍କୁ ସହାୟକ ହେବ। ଆଗରୁ ଇଚ୍ଛୁକ ଘର ମାଲିକମାନେ ଛାତ ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପାଇଁ ନିର୍ମାଣର ବିଭିନ୍ନ ପର୍ୟ୍ୟାୟରେ କାଗଜାତ ଦର୍ଶାଇବାକୁ ପଡୁଥିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ବିଳମ୍ବିତ ହେଉଥିଲା। ଏହି ୱେବ୍ ପୋର୍ଟାଲ ହେବା ଫଳରେ ଏଣିକି ପ୍ରକଳ୍ପର କାର୍ଯ୍ୟକାରିତା ସହଜ ହୋଇପାରିବ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଏହି ୱେବ୍ ପୋର୍ଟାଲର ଆରମ୍ଭ ବିଭାଗର ଅନ୍ୟତମ ସଫଳ ପ୍ରୟାସ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି। ଭୂତଳ ଜଳର ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥାରେ ଛାତ ଉପର ବର୍ଷା ଜଳ ଅମଳ ପ୍ରକଳ୍ପର ପ୍ରତ୍ୟେକ ଉପାଦାନରେ ହୋଇଥିବା ପ୍ରକୃତ ଖର୍ଚ୍ଚକୁ ହିସାବକୁ ନିଆଯାଇ ମୋଟ ଖର୍ଚ୍ଚର ମୂଲ୍ୟାୟନ କରାଯିବା ଓ ଏହାର ଶତକଡା ୫୦ଭାଗ ବା ସର୍ବାଧିକ ୫୫, ୦୦୦ ଟଙ୍କା ପର୍ୟ୍ୟନ୍ତ ସରକାରୀ ରିହାତି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା ରହିଛି। ବିଭାଗର ଖର୍ଚ୍ଚ ସମୀକ୍ଷା ବୈଠକ ଏବଂ “ଛାତ” ଯୋଜନା ଓ୍ୱେବ୍ ପୋର୍ଟାଲ ଉନ୍ମୋଚନ ସମୟରେ ବିଭାଗର ସଂପୃକ୍ତ ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।








