Home ଜିଲ୍ଲା ପରିକ୍ରମା ଜରିପାଲ ତଳେ ବିତୁଛି ୪ ଜୀବନ, ଆବାସ ଯୋଜନା ସାତ ସପନ

ଜରିପାଲ ତଳେ ବିତୁଛି ୪ ଜୀବନ, ଆବାସ ଯୋଜନା ସାତ ସପନ

9

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୂଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ । ସେଥିପାଇଁ ତଦନ୍ତ କରାଯାଇ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଗଲା । ହେଲେ ଚିହ୍ନଟ ପ୍ରକ୍ରିୟାରେ ବଳି ପଡିଲେ ବହୁ ଯୋଗ୍ୟ ହିତାଧିକାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ତୋଟାପଡା ପଂଚାୟତ ଗଂଗାଧରପୁର ପାଟଣା ଗ୍ରାମରେ । ଏହି ଗ୍ରାମର ନିରଞ୍ଜନ ନାୟକ ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ସେହି ପଂଚାୟତରେ ଥିବା ଥିଲାବାଲାଙ୍କୁ ଯୋଗ୍ୟ ତାଲିକାଭୁକ୍ତ କରାଯାଇ ଘର ମିଳୁଥିବାବେଳେ ଯୋଗ୍ୟମାନଙ୍କୁ ମୋଟା ଅଂକର ଅର୍ଥ ହାତୁଗୁଂଜା ନଦେଲେ ତାଲିକାରେ ସାମିଲ ହେବା କଷ୍ଟସାଧ୍ୟ ବେପାର ହୋଇପଡୁଛି ବୋଲି ଅଭିଯୋଗ ହୋଇଛି । ନିରଞ୍ଜନ ନାୟକ ପରିବାର କହିଲେ ୪ ପ୍ରାଣୀ କୁଟୁମ୍ବ । ପତି-ପତ୍ନୀଙ୍କ ସହ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି ଦୁଇପୁଅ । ନିରଞ୍ଜନ ଜଣେ ଦିନ ମଜୁରିଆ ହୋଇଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅର୍ଥ ବାଧକ ସାଜିଛି । ଚାରିପ୍ରାଣୀ କୁଟୁମ୍ବ ଚଳାଇବା ଅସମ୍ଭବ ଜାଣି ସେ ପ୍ରତ୍ୟେକଦିନ ପରର ମୂଲ ଲାଗି ଯାହା ଆଣନ୍ତି, ସେଥିରେ ଚୂଲି ଜଳେ । ସେଥିରେ ପୁଣି ଏହି ବର୍ଷାଦିନରେ ମୁଣ୍ଡ ଗୁଂଜିବା ପାଇଁ ସରକାରଙ୍କ ଆବାସ ଗୃହ ତାଙ୍କ ପାଇଁ ସାତ ସପନ । ଗୋଟିଏ ଭଂଗା ଦଦରା ଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ । ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଥିବାବେଳେ ସାରା ପରିବାରଙ୍କୁ ରାତି ଅନିଦ୍ରା ରହିବାକୁ ପଡୁଛି । ଘର ଭିତରେ ଦିନରେ ଖରା ରାତିରେ ତରା ଲୁଚକାଳି ଖେଳନ୍ତି । ସରକାରଙ୍କ ସୁବିଧା କହିଲେ କେବଳ ୫ କେଜି ଚାଉଳରେ ସୀମିତ । ବହୁ ଆଶା କରିଥିଲେ ଏଥର ଘରଟିଏ ମିଳିବ । ହେଲେ ପରିତାପର ବିଷୟ କିଛି ବର୍ଷ ତଳେ ନିରଞ୍ଜନଙ୍କର ଆବାସ ଗୃହରେ ନାମ ଥିବାବେଳେ ଏବେ ସେଥିରୁ ତାଙ୍କ ନାମକୁ କାଟି ଦିଆଯାଇଛି । ଏହା ଦେଖି ଭାଙ୍ଗି ପଡିଛନ୍ତି ନିରଞ୍ଜନ । ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ବି କେହି କର୍ଣ୍ଣପାତ କରୁନଥିବା ବିଷୟ କହିଛନ୍ତି ନିରଞ୍ଜନ । ଅଂଚଳବାସୀଙ୍କ କହିବା କଥା ସରକାର ତଦନ୍ତ କରି ଏଭଳି ପରିବାରକୁ ଘର ଯୋଗାଇଦେବା କଥା । କିନ୍ତୁ ତାହା ନିରଞ୍ଜନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ପାଲଟିଛି । ଏ ବାବଦରେ ଚାନ୍ଦବାଲି ବିଡିଓ ଅସିତ୍ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ସେ ଏଭଳି ଅଭିଯୋଗ ଆଗରୁ ଜାଣିନଥିବାର କହି ଏ ବିଷୟରେ ତୁରନ୍ତ ତଦନ୍ତ କରି ସଂପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.