Home ଜିଲ୍ଲା ପରିକ୍ରମା ଜରାଜୀର୍ଣ୍ଣ କେନ୍ଦ୍ରୀୟ ଜଳ ଆୟୋଗ କେନ୍ଦ୍ର, ସଠିକ୍ ସମୟରେ ମିଳୁନାହିଁ ବର୍ଷା ଓ ବନ୍ୟା ସଂପର୍କିତ...

ଜରାଜୀର୍ଣ୍ଣ କେନ୍ଦ୍ରୀୟ ଜଳ ଆୟୋଗ କେନ୍ଦ୍ର, ସଠିକ୍ ସମୟରେ ମିଳୁନାହିଁ ବର୍ଷା ଓ ବନ୍ୟା ସଂପର୍କିତ ସୂଚନା

13

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବୈତରଣୀ ଆଖୁଆପଦା ଆନିକଟ ଠାରେ ଥିବା ଜଳଶକ୍ତି ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ପରିଚାଳିତ ବନ୍ୟା, ବାତ୍ୟା ଓ ବିପର୍ଯ୍ୟୟ ସୂଚନା କେନ୍ଦ୍ରଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଂଚିଛି । ଏହାଛଡା ନିକଟରେ ଥିବା ରାଜ୍ୟ ସରକାରଙ୍କ ଅଧୀନ ବନ୍ୟା ଅନୁଧ୍ୟାନ କାର୍ଯ୍ୟାଳୟଟି ମଧ୍ୟ ଭୂତକୋଠୀର ପରିଣତ ହୋଇଛି । ବୈତରଣୀ ନଦୀର ଜଳ ପରିଚାଳନା ଓ ବନ୍ୟା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ଏଠାରେ ଦୀର୍ଘ ୫୦/୬୦ ବର୍ଷ ପୂର୍ବରୁ ଉକ୍ତ କାର୍ଯ୍ୟାଳୟ ଦ୍ୱୟ ପ୍ରତିଷ୍ଠା ହୋଇଥିଲା । ବିଶେଷକରି ବର୍ଷା ତମାମ ବର୍ଷା ଜଳ ପରିମାଣ ମାପିବା ଓ ନଦୀର ଜଳ ପ୍ରବାହ ସଂପର୍କିତ ଖବର ସଂଗ୍ରହ କରି ସୂଚନା ଦେବା କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହାଦ୍ୱାରା ସ୍ଥାନୀୟ ପ୍ରଶାସନ ସଠିକ୍ ସୂଚନା ପାଉଥିବା ବେଳେ ଜନସାଧାରଣ ମାନେ ମଧ୍ୟ ବନ୍ୟା ବାତ୍ୟା ପୂର୍ବରୁ ସଚେତନ ରହୁଥିଲେ । ପରିତାପର ବିଷୟ ଦୀର୍ଘବର୍ଷ ହେବ ଏଠାରେ କୌଣସି କର୍ମଚାରୀ ରହୁନଥିବାବେଳେ ଗୋଟିଏ ଯୋଡିଏ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଉକ୍ତ କାର୍ଯ୍ୟାଳୟଟି କିଛିଦିନ କାର୍ଯ୍ୟ କରୁଥିଲା । ସେତକ ବି ଦୁଇ ବର୍ଷ ହେବ ଆଉ ହୋଇପାରୁନାହିଁ । ଉକ୍ତ କାର୍ଯ୍ୟାଳୟଟି ପାଇଁ ସର୍ବନିମ୍ନ ପାଂଚରୁ ଛଅ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ମାତ୍ର ଜଣିଏ କର୍ମଚାରୀରେ ମଧ୍ୟ ଏହା କିଛିିଦିନ ଚାଲିଥିଲା । ଏବେ ଏଠାରେ କେହି କର୍ମଚାରୀ ରହୁନଥିବାବେଳେ ବନ୍ୟା ଅନୁଧ୍ୟାନ କାର୍ଯ୍ୟାଳୟ ସମେତ ବର୍ଷା ନିରୀକ୍ଷଣ କାର୍ଯ୍ୟାଳୟ ମଧ୍ୟ ଅଚଳ ହୋଇଗଲାଣି । ତେଣୁ ସଠିକ୍ ସମୟରେ ବୃଷ୍ଟିପାତ ଓ ନଦୀ ଅବବାହିକାରେ ବନ୍ୟା ସଂପର୍କିତ କୌଣସି ସୂଚନା ମିଳିପାରୁନାହିଁ । ଏପରିକି ଜଳସଂପଦ ବିଭାଗକୁ ତଥ୍ୟ ମାଗିଲେ ସେମାନେ କେବଳ ପ୍ରବାହିତ ଜଳସ୍ତରର ଗେଜ୍ ହିସାବ ଦେଉଥିବାବେଳେ ସଂପୂର୍ଣ୍ଣ ବର୍ଷା ପରିମାଣର ତଥ୍ୟ ଦେଇପାରୁନାହାଁନ୍ତି । ବନ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପରମୁଣ୍ଡ ବର୍ଷା ହିସାବ ଆସିପାରୁନାହିଁ । କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ଓ ବନ୍ୟା ଅନୁଧ୍ୟାନକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଜଳସଂପଦ ବିଭାଗ କୌଣସି ତଥ୍ୟ ପାଉନଥିବା ଜଣାପଡିଛି । ଏହା ସଂପୂର୍ଣ୍ଣ ଅକ୍ଷମ ଅବସ୍ଥାରେ ପଡିରହିଛି । ତେଣୁ ଏହା ଉପରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.