Home ଜିଲ୍ଲା ପରିକ୍ରମା ଜମିଥାଇ ଭୂମିହୀନ ଯୋଜନାରେ ପାଇଥିବା ପଟ୍ଟା ଖାରଜ ପାଇଁ ଦାବି

ଜମିଥାଇ ଭୂମିହୀନ ଯୋଜନାରେ ପାଇଥିବା ପଟ୍ଟା ଖାରଜ ପାଇଁ ଦାବି

22

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ କୋହ୍ଲ ରାଜସ୍ୱ ନିରୀକ୍ଷକଙ୍କ ଅଧୀନ ସଦରବଳିଆ ମୌଜାର ଜମିଥିବା ପରିବାରଙ୍କୁ ଭୂମିହୀନ ଯୋଜନାରେ ଜମି ପଟ୍ଟା ମିଳିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପ୍ରଦୀପ ଦାସ, ଗଗନ ମହାଳିକ, ମମତା ମହାଳିକ, ଜୟଦେବ ପାଣ୍ଡବ, ପାର୍ବତୀ ବିଶ୍ୱାଳ, ଉପେନ୍ଦ୍ର ପରିଡ଼ା, ବିଦ୍ୟାବତୀ ଦାସ, ଗୋବିନ୍ଦ ଚନ୍ଦ୍ର ଦାସ, ଦୀପକ ଦାସ, ରତନ ଦାସ, ଗିରିଧାରୀ ଦାସ ପ୍ରମୁଖ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ସହିତ ଭୂମିହୀନ ଯୋଜନାରେ ଜମି ଥିବା ପରିବାର ପାଇଥିବା ପଟ୍ଟାକୁ ଖାରଜ କରିବାକୁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ସଦରବଳିଆ ଗ୍ରାମର ଗୋଟିଏ ପରିବାରର ଅମରପୁର ମୌଜାରେ ୨୦୧୭ ମସିହାରେ ସରକାରୀ ଜମିକୁ ଦଖଲ କରି ନିଜ ନାମରେ ଚଞ୍ଚକତା କରି କରିନେଇଛନ୍ତି । ଏମାନେ ଗୋଟିଏ ପରିବାରରେ ହୋଇଥିଲେ ମଧ୍ୟ ଏମାନଙ୍କ ଦୁଇ ପୁଅଙ୍କ ନାମରେ ସଦରବଳିଆ ମୌଜାରେ ୧ ଏକର ୭୦ ଡିସ୍ମିଲ ଜମି ରହିଛି । ସେହି ପୁଅମାନଙ୍କ ମଧ୍ୟରୁ ଜଣେ ତହସିଲ ଅଫିସ ଗାଡ଼ି ଡ୍ରାଇଭର ହୋଇଥିବାରୁ ସେତେବେଳେ ତତ୍କାଳୀନ ତହସିଲଦାର ଓ କର୍ମଚାରୀଙ୍କୁ ପ୍ରିୟାପ୍ରୀତି ତୋଷଣ କରି ଭୂମିହୀନ ଯୋଜନାରେ ୮ଡିସ୍ମିଲ ଜମି ନିଜ ବାପା ମା’ଙ୍କ ନାମରେ ପଟ୍ଟା କରିନେଇଛନ୍ତି । ପରେ ସେହି ଜମି ପାଖରେ ଥିବା ସରକାରୀ ଜମିରେ ଜବରଦଖଲ କରି ମନ୍ଦିର, ପାଇଖାନା କରିବା ପାଇଁ ମାଟି ପକାଇ ପୋତୁଛନ୍ତି । ଯାହାଫଳରେ ଗ୍ରାମଲୋକମାନେ ଗାଈଗୋରୁ ନେଇ ଯାତାୟତ କରୁଥିବା ରାସ୍ତାକୁ ନିଜ ଦଖଲକୁ ନେଇ ଯାଇଛନ୍ତି । ଖରାଦିନେ ଗୋରୁ ଗାଈ ପାଣି ପିଉଥିବା ପୋଖରୀକୁ ମାଟି ପକାଇ ପୋତି ଦେଉଛନ୍ତି । ଏନେଇ ତହସିଲଦାର ଓ ଆରଆଇଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ତେବେ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ପଦକ୍ଷେପ ନେବା ସହିତ ପାଇଥିବା ଘରଡିହ ପଟାକୁ ଖାରଜ କରିବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ତହସିଲଦାର ପ୍ରତୀକ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ପରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.