Home ଜିଲ୍ଲା ପରିକ୍ରମା ଜମାକାରୀଙ୍କ ୧୮ ହଜାର ଟଙ୍କା ହଡପ : ଗାନ୍ଧିନଗର ସୋସାଇଟିରେ ଚାଷୀ ଅସନ୍ତୋଷ ମୁଣ୍ଡ ଟେକିଛି

ଜମାକାରୀଙ୍କ ୧୮ ହଜାର ଟଙ୍କା ହଡପ : ଗାନ୍ଧିନଗର ସୋସାଇଟିରେ ଚାଷୀ ଅସନ୍ତୋଷ ମୁଣ୍ଡ ଟେକିଛି

103

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ଗାନ୍ଧିନଗର ସେବା ସମବାୟ ସମିତିରେ ଜନୈକ ଜମାକାରୀଙ୍କ ୧୮ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବତନ ସଂପାଦକ ଏପରି ଜାଲିଆତି କରିଥିବା ନେଇ ଜମାକାରୀ ଓଡ଼ିଶା ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟି ନିକଟରେ ଅଭିଯୋଗ କରିବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ନେବାଲାଗି ଦାବି କରିଛନ୍ତି । ପ୍ରକାଶ ଥାଉକି, ଏହି ସେବା ସମବାୟ ସମିତିରେ କାଁପଡାବିନ୍ଧା ଗାଁର ନିତ୍ୟାନନ୍ଦ ମଳିକ କୃଷିଋଣ ନେବା ସହିତ ଏକ ସଂଚୟ ଖାତା ୧୪୭୪, ଲେଜର ନମ୍ବର ୧୪/୧୪୭ ଜରିଆରେ କାରବାର କରୁଛନ୍ତି । ନିତ୍ୟାନନ୍ଦ ବିଭିନ୍ନ ସମୟରେ ଏହି ସଂଚୟ ଖାତାରେ ଟଙ୍କା ରଖିଥାନ୍ତି । ଜମାଖାତା ମୁତାବକ ତାଙ୍କର ୫ ହଜାର ୭୪୫ ଟଙ୍କା ବାଲାନ୍ସ ରହିଛି । କିଛିଦିନ ତଳେ ଉକ୍ତ ଟଙ୍କା ଉଠାଣ କରିବାକୁ ସମିତିକୁ ଯାଇଥିଲେ । ସେଠାରେ ଭାରପ୍ରାପ୍ତ ସଂପାଦକ ତାଙ୍କ ଜମାଖାତାରେ ଟଙ୍କା ନଥିବା କହିବା ସହିତ ୧୩ ହଜାର ଟଙ୍କା ଓଭର ଡ୍ରାଫ୍ଟ ହୋଇଥିବା କହିଛନ୍ତି । ଯାହାକୁ ନେଇ ନିତ୍ୟାନନ୍ଦ ଖୋଳତାଡ ଆରମ୍ଭ କରିଥିଲେ । ଗତ ତା ୨୨.୦୨.୧୮ ରିଖରେ ସେ ୨୦ ହଜାର ଟଙ୍କା ଜମା କରିଥିବା ଏବଂ ଏନେଇ ତାଙ୍କ ପାଶ୍‌ବୁକ୍‌ରେ ଉଲ୍ଲେଖ ଥିବାବେଳେ ସମିତି ଲେଜରରେ ତାହା ୨ ହଜାର ଟଙ୍କା ଥିବା ଜଣାଯାଇଛି । ପୂର୍ବତନ ସଂପାଦକ ଏପରି ଜାଲିଆତି କରି ୧୮ ହଜାର ଟଙ୍କା ହଡପ କରିଥିବା ସେ ଜାଣିବାକୁ ପାଇଛନ୍ତି । ଏହି ଘଟଣାକୁ ନେଇ ସେ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କର ତିହିଡି ଶାଖା ପରିଚାଳକଙ୍କୁ ଭେଟିଥିଲେ । ତେବେ ତାଙ୍କ ଠାରୁ ନିରାଶ ହେବାପରେ ନିତ୍ୟାନନ୍ଦ ଓଡ଼ିଶା ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟି ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୈନିକ ବିଭିନ୍ନ ଗାଁ ଗଣ୍ଡାର ଚାଷୀମାନେ ସମିତି କାର୍ଯ୍ୟାଳୟକୁ ଯାଇ ନିଜ ନିଜର ଜମାଖାତା ଯାଞ୍ଚ କରୁଥିବା ଜଣାଯାଇଛି । ଏହି ସେବା ସମବାୟ ସମିତି ଉପରେ ଚାଷୀଙ୍କ ଆସ୍ଥା ତୁଟିବାରେ ଲାଗିଛି ଏବଂ ଏଭଳି ଲାଗିରହିଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ବେଳ ଥାଉଁ ଥାଉଁ ସମବାୟ ବିଭାଗ ଏହା ଉପରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.