Home ଜିଲ୍ଲା ପରିକ୍ରମା ଜନ୍ମ ମାଟିରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ , ପୁଣି ମାପଚୁପ ଆରମ୍ଭ, ସନ୍ଦିହାନରେ ଅଞ୍ଚଳବାସୀ

ଜନ୍ମ ମାଟିରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ , ପୁଣି ମାପଚୁପ ଆରମ୍ଭ, ସନ୍ଦିହାନରେ ଅଞ୍ଚଳବାସୀ

84

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବହୁ ବାଦାନୁବାଦ ହେବା ପରେ, ପୂଜ୍ୟପୂଜାକୁ ସମ୍ମାନ ଜଣାଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂତ୍ତି ସ୍ଥାପନ ନିମନ୍ତେ ଭଦ୍ରକ ଜିଲ୍ଲା ଆଗରପଡ଼ା ଲକ୍ଷ୍ମୀବଜାରଛକ ଠାରେ ସ୍ଥାନ ନିରୂପଣ କରାଯାଇଥିବାର ଜଣାଯାଇଛି । ମାତ୍ର ଏକାଧିକ ସ୍ଥାନରେ ମାପଚୁପ ହୋଇ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରୁ ନଥିବାରୁ ଅଞ୍ଚଳବାସି ସନ୍ଦିହାନରେ ଅଛନ୍ତି । ଏଥି ସହିତ ଦୀର୍ଘ ୪ ବର୍ଷ ଧରି ଭଦ୍ରକ ମହତାବ ସ୍ମାରକୀ ପରିଷଦ ଓ ଆଗରପଡ଼ା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିର୍ମିତ ହୋଇଥିବା ବ୍ରୋଞ୍ଚ ପ୍ରତିମୂର୍ତ୍ତି କୁ ଆଗରପଡ଼ାର ମୁଖ୍ୟବଜାର କଲେଜଛକ ଠାରେ ସ୍ଥାପନ କରିବାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ନାପସନ୍ଦ କରାଯାଇଛି । ପ୍ରକାଶ ଥାଉକି, ମହତାବଜୀଙ୍କ ନିଜ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର କଲେଜଛକ ଠାରେ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରଥମେ କିଛି ମହତାବପ୍ରେମୀ ଆଗରପଡ଼ା କ୍ରିୟାନୁଷ୍ଠାନ କମିଟି ଗଠନ କରି ଉଦ୍ୟମ ଆରମ୍ଭ କରିଥିଲେ । ପରେ ଭଦ୍ରକ ମହତାବ ସ୍ୱାରକୀ ପରିଷଦ ସହଯୋଗର ହାତ ବଢାଇଥିଲା । ଉଭୟ କମିଟି ମିଳିମିଶି ଏହି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକୁ ଆଗେଇ ନେଇଥିଲେ । ସେମାନଙ୍କ ଉଦ୍ୟମରେ ଜିଲ୍ଲା ପ୍ରଶାସନର ଅନୁମତି ପାଇ ୮ ଲକ୍ଷ ଟଙ୍କା ବ୍ୟୟରେ ୯ଫୁଟ ୬ଇଂଞ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ କଲେଜଛକରେ ବସାଯିବାକୁ ଗତ ନଭେମ୍ବର ୨୦୧୮ ମସିହାରେ ଉଦ୍ୟମ କରାଯାଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପରମୁହୂର୍ତ୍ତରେ ଅନୁମତି ପ୍ରତ୍ୟାହାର କରିବାରୁ ବିବାଦ ଦେଖାଦେଇଥିଲା । ଏହି ଘଟଣା ନେଇ ସ୍ମାରକୀ ପରିଷଦ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିବା ପରେ କଲେଜଛକରେ ପ୍ରତିମୂର୍ତ୍ତି ସ୍ଥାପନ ବନ୍ଦ ରହିଥିଲା ।

ଇତି ମଧ୍ୟରେ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆଗରପଡ଼ା ଠାରେ ମହତାବ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ନିର୍ଦ୍ଦେଶ ଆସିଥିଲା । କଲେଜଛକ ଠାରେ ସ୍ଥଗିତାଦେଶ ଥିବାରୁ ପ୍ରଶାସନ ଆଗରପଡ଼ାର ପ୍ରବେଶ ଦ୍ୱାର କୁଆଁଶମଢିଆ ଠାରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସ୍ଥାନ ନିରୂପଣ କରିବା ସହିତ ଓ ସ୍ଥାନୀୟ ବିଧାୟକ ପ୍ୟାଡ଼ଲଷ୍ଟାଣ୍ଡ ନିମନ୍ତେ ଅର୍ଥ ଯୋଗାଇଦେଇଥିଲେ । ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସ୍ଥାପନ କାର୍ଯ୍ୟ ହୋଇପାରି ନାହିଁ । ଅନ୍ୟପକ୍ଷରେ ପ୍ରଶାସନର ହସ୍ତକ୍ଷେପ ପରେ ହାଇକୋର୍ଟର ସ୍ଥଗିତାଦେଶକୁ ସ୍ମାରକୀ ପରିଷଦ ଉଠାଇ ନେଇଥିଲା । ଏବେ ସ୍ଥାନୀୟ ଲକ୍ଷ୍ମୀବଜାରଛକ ଠାରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ମଙ୍ଗଳବାର ବନ୍ତ ତହସିଲଦାର ଓ ଆଗରପଡ଼ା ଆର.ଆଇ ମାପଚୁପ ଆରମ୍ଭ କରିଛନ୍ତି । ତେବେ ସ୍ମାରକୀ ପରିଷଦକୁ ପୂର୍ବରୁ ଅନୁମତି ଦେଇ ଅନୁମତି ପ୍ରତ୍ୟାହାର କରିଥିବା ପ୍ରଶାସନ, କଲେଜଛକ ଠାରେ ସ୍ମାରକୀ ପରିଷଦ ଦ୍ୱାରା ନିର୍ମିତ ପ୍ରତିମୂତ୍ତିକୁ ସ୍ଥାପନ କରିବାକୁ ଆଦେଶ ଦେବାରେ ଅସୁବିଧା କେଉଁଠି ରହିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତେଣୁ ଏଥିପ୍ରତି ଦୃଷ୍ଟିଦେବାକୁ କ୍ରିୟାନୁଷ୍ଠାନ କମିଟିର ଇଂ ମଧୁସୂଦନ ସାହୁ, ଆଇନଜୀବି ମନୋଜ ରାୟ, କୈଳାସ ଧଳ, ସୁବାଶ ଦାଶଙ୍କ ସମେତ ଇଲେଭେନଷ୍ଟାର କ୍ଲବ, ଆଇଡ଼ିୟାଲ ୟୁଥକ୍ଲବ, ସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.