Home ଜିଲ୍ଲା ପରିକ୍ରମା ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାଳୟ

ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାଳୟ

15

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦେଓପଦାଠାରେ ଥିବା କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ କାରଣରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।୧୯୮୭ ମସିହାରୁ ପ୍ରତିଷ୍ଠା ହୋଇ ଅତୀତରେ ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରି ଆସୁଥିବା ଏହି ବିଦ୍ୟାଳୟ ଏବେ ଜଣେ ମାତ୍ର ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି।ଏହି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ୨୧ ଜଣ ଓ ଦଶମ ଶ୍ରେଣୀରେ ୨୦ ଜଣ ସର୍ବମୋଟ ୪୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ମାତ୍ର ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତ ଦୂରର କଥା ହିନ୍ଦୀ ଶିକ୍ଷକଙ୍କୁ ଛାଡ଼ି ଅନ୍ୟ କୌଣସି ଶିକ୍ଷକ ନାହାନ୍ତି।ଫଳରେ ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ସଂସ୍କୃତ ଆଦି ବିଷୟରେ ଶିକ୍ଷାଦାନ ପାଇଁ କୌଣସି ଶିକ୍ଷକ ନଥିବାରୁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ଉଦବେଗ ପ୍ରକାଶ ପାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ କାର୍ଯ୍ୟାଳୟର ବିଭିନ୍ନ କାମ ତୁଲାଇବାକୁ ପଡୁଛି।ବିଦ୍ୟାଳୟରେ କିରାଣୀଙ୍କୁ ବାଦ ଦେଇ ଜଣେ ରାତ୍ର ଜଗୁଆଳି ରହିଛନ୍ତି।ମାତ୍ର ଅନ୍ୟ ଦୁଇ ପିଅନ ପଦବୀ ମଧ୍ୟ ଶୁନ୍ୟ ପଡ଼ିଛି।ଶିକ୍ଷା ବର୍ଷର ଚାରିମାସ ବିତି ଯାଇଥିଲେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇ ଥିବାରୁ ଚଳିତ ବର୍ଷର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କିପରି ଉପଯୁକ୍ତ ଭାବେ ପାଠ ପଢି ପରୀକ୍ଷାର ସମ୍ମୁଖୀନ ହେବେ ସେଥିନେଇ ଉଭୟ ପିଲା ଓ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି।ଶିକ୍ଷା ବିଭାଗର ଅଧିକାରୀ ମାନେ ଏଥିପାଇଁ ଦୃଷ୍ଟି ଦେଇ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.