ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସେମାନଙ୍କୁ ଚାଷ କରିବା ପାଇଁ ବିଭିନ୍ନ ସାମଗ୍ରୀ ପାଖରୁ କୃଷିଋଣ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ସମୁଦ୍ରକୁ ଶଙ୍ଖେ ଭଳି ସାର ଯୋଗାଇ ଦିଆଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ ବିଭିନ୍ନ ସ୍ଥାନରେ ମଧ୍ୟ ଚାଷୀମାନେ ଧାରଣା ଓ ଅନସନରେ ବସିବାକୁ ବାଧ୍ୟ ହେଉଛନ୍ତି । ସାରା ରାଜ୍ୟରେ ସାରର ନିଅଂଟିଆ ଯୋଗାଣ । ଏପରିସ୍ଥଳେ ଚାଷୀଟିଏ ବିଲରେ ସାର ପକାଇବା ପାଇଁ ସମିତିଠୁ ଆରମ୍ଭ କରି ବେସରକାରୀ ବିକ୍ରେତାଙ୍କ ନିକଟରେ ଗୋଡ ଭାଙ୍ଗି ଠିଆ ହେଉଛି । ଖୋଲା ବଜାରରେ ଅସାଧୁ ବ୍ୟବସାୟୀ ମାନେ ସରକାରୀ ମୂଲ୍ୟ ଠାରୁ ମଧ୍ୟ ବସ୍ତା ପ୍ରତି ଅଧିକ ଟଙ୍କା ନେଉଛନ୍ତି । ଆଜି ଏହି ସାରର ନିଅଣ୍ଟିଆ ପାଇଁ ଭଗବାନପୁର ସ୍ଥିତ ଶ୍ରୀଜଗନ୍ନାଥ ସେବାସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ କେତେକ ଚାଷୀ ହୋହାଲ୍ଳା କରିବା ସହିତ ଧାରଣାରେ ମଧ୍ୟ ବସିଥିବାର ଦେଖିବାକୁ ମିଳିଥିଲା । ସୂଚନାଥାଉକି ଉକ୍ତ ସମିତି ଗୋଦାମରେ ୟୁରିଆ ସାର ଥିବାର କିଛି ଚାଷୀ ମିଥ୍ୟାଖବର ଦେବାପରେ ସେଠାରେ କେତେକ ଚାଷୀମାନେ ପହଂଚି ଆମକୁ ସାର ଦିଆଯାଉବୋଲି ହୋ ହାଲ୍ଳା କରିଥିଲେ । ପରେ ଜଣାପଡ଼ିଥିଲା ଯେ ଉକ୍ତ ସାର ଦୋବଲ ସେବା ସମବାୟ ସମିତିର ବୋଲି ଶ୍ରୀ ଜଗନ୍ନାଥ ସମିତିର ସମ୍ପାଦକ ସୂଚନା ଦେଇଥିଲେ ।
ଗୁରୁବାର ମଧ୍ୟାହ୍ନରେ ଏକ ପିକ୍ ଅପ୍ ଯୋଗେ ଶ୍ରୀ ଜଗନ୍ନାଥ ସମିତି ଗୋଦାମ ଘରୁ ଦୋବଲ ସମିତିକୁ ଯିବା ପାଇଁ ସାର ଲୋଡ ହେଉଥିବା ବେଳେ ଖବର ପାଇ କିଛି ଚାଷୀ ସେଠାରେ ପଂହଚି ସାର ଗାଡିକୁ ଅଟକାଇଥିଲେ । ଦୋବଲ ସମିତିର ସାର ବୋଲି ଜାଣିବା ପରେ ଚାଷୀ ମାନଙ୍କ ଅନୁରୋଧରେ ଶ୍ରୀ ଜଗନ୍ନାଥ ସମବାୟ ସମିତିର ସମ୍ପାଦକ ଉପରିସ୍ତ କର୍ମକର୍ତା ଓ ଦୋବଲ ସମିତି ସମ୍ପାଦକଙ୍କ ସହିତ ଆଲୋଚନା ପରେ ପାଖାପାଖି ୧୫୦ ବସ୍ତା ୟୁରିଆ ସାର ଶନିବାର ଦିନ ଦୋବଲ ସମବାୟ ସମିତିର ପରଚେଜ ମେସିନ ଆଣି ଶ୍ରୀ ଜଗନ୍ନାଥ ଅଧିନସ୍ତ ଚାଷୀଙ୍କୁ ଦେବା ପାଇଁ ଏକ ଅନୌପଚାରିକ ଆଲୋଚନା ମାଧ୍ୟମରେ ସ୍ଥିର ହୋଇଥିଲା । ମାତ୍ର ଶୁକ୍ରବାର କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ଚାଷୀ ସମିତି ନିକଟରେ ପଂହଚି ଆମକୁ ସାର ଦିଆଯାଉ ବୋଲି ଦାବି କରିଥିଲେ । ଶୁକ୍ରବାର ସରକାରୀ ଛୁଟି ଥିବାରୁ ସମିତି କର୍ମଚାରୀ କେହି ଆସିନଥିଲେ । ଏ ସର୍ମ୍ପକରେ ସମିତି ପରିଚାଳନା ଅଧିକାରୀ ମୃତ୍ୟୁଞ୍ଜୟ ପରିଡାଙ୍କୁ ପଚାରିବାରେ ସେ ଦୋବଲ ସମିତିର ସାର ଶ୍ରୀ ଜଗନ୍ନାଥ ସମିତି ଗୋଦାମରେ ରଖିବା ପାଇଁ ଗତ ତା ୫/୭/୨୧ରିଖରେ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ । ଗତ ତା ୯/୭/୨୧ରିଖରେ ଏକା ଦିନେ ଶ୍ରୀ ଜଗନ୍ନାଥ ଓ ଦୋବଲ ସେବା ସମବାୟ ସମିତିକୁ ୨୭୦ ବ୍ୟାଗ ଲେଖାଏଁ ୟୁରିଆ ସାର ଯୋଗାଇ ଦିଆଯାଇଛି ବୋଲି କହିବା ସହ ଦୋବଲ ସମବାୟ ସମିତିରେ ସାର ରଖିବା ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ନଥିବାରୁ ତାହା ଶ୍ରୀ ଜଗନ୍ନାଥ ସମବାୟ ସମିତି ଗୋଦାମ ଗୃହରେ ରହିବ ବୋଲି ଫର୍ଟିଲାଇଜର ଏରିଆ ମ୍ୟାନେଜର ସୂଚନା ଦେଇଥିଲା । ସରକାରଙ୍କ ସାର ସବସିଡ୍ ଘୋଷଣା ବିଳମ୍ବ ହେତୁ ସାର ଆମଦାନୀ ଚାହିଦା ମୁତାବକ ହୋଇପାରୁନଥିବାରୁ ନିଅଂଟିଆ ଯୋଗାଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସୂଚନା ଦିଆଯାଇଥିଲା । ଘଟଣା ସ୍ଥଳରେ ଧାମନଗର ପୁଲିସ ପଂହଚି ସତ୍ୟାସତ୍ୟ ଜାଣିବା ପରେ ଯେଉଁ ସମିତିର ସାର ତାକୁ ଦିଆଯିବ ବୋଲି ପ୍ରଶାସନିକ ନିଷ୍ପତି ଶୁଣାଇବା ପରେ ଚାଷୀମାନେ ଫେରିଯାଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟଯେ ଧାମନଗର ବ୍ଲକର ୧୨ଟି ସେବା ସମବାୟ ସମିତି ଥିବାବେଳେ ସେହି ସମିତି ନିକଟରେ ଗୋଦାମଗୃହ ରହିବାର ସରକାରୀ ନିୟମ ରହିଛି । ସେଠାରେ ଆବଶ୍ୟକତଳେ ସାର ଓ ଚାଷୀଙ୍କ ଧାନ ମହଯୁଦ ରହିବ । ହେଲେ ଧାମନଗର ବ୍ଲକର ମାତ୍ର ୪ଟି ଗୋଦାମଗୃହ ରହିଥିବାରୁ ବିଭିନ୍ନ ସମୟରେ ସମିତିର ସମ୍ପାଦକ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଫଳରେ ଦୋବଲ ସମବାୟ ସମିତିର ଆବଶ୍ୟକୀୟ ଅଫିସଘର ଓ ଗୋଦାମ ଗୃହ ନଥିବାରୁ ସେଠାରେ ସରକାରୀ ସାମଗ୍ରୀ ରଖିବାପାଇଁ ଅନ୍ୟ ସମିତିର ଗୋଦାମଗୃହ ଉପରେ ନିର୍ଭର କରାଯାଉଛି । ତେବେ ଦୋବଲ ସମିତିିର ଥିବା ସାର ଶ୍ରୀ ଜଗନ୍ନାଥ ସମିତି ଗୋଦାମଗୃହ ଥିବାରୁ ସମ୍ପାଦକ ଶୁକ୍ରବାର ସଂନ୍ଧ୍ୟାରେ ତାଙ୍କ ସମିତିର ସାରକୁ ଶୃଙ୍ଖଳାର ସହ ବଣ୍ଟାଜିବା ପାଇଁ ଧାମନଗର ଥାନା ଆଇଆଇସିଙ୍କୁ ନିବେଦନ କରିଛନ୍ତି । ତେବେ ପ୍ରଶାସନିକ ନିର୍ଦ୍ଦେଶରେ ସମୟାନୁସାରେ ଚାଷୀ ମାନଙ୍କୁ ସାର ବଣ୍ଟାଯିବ । ପରନ୍ତୁ କିଛ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଏପରି ବିଭ୍ର୍ରାନ୍ତକର ଘଟଣା ଘଟାଉଛନ୍ତି ବୋଲି ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିର ସମ୍ପାଦକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ଜଣାଯାଇଛି ।