Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଜଗନ୍ନାଥ ସଂସ୍କୃତିର ଟେକ ରଖନ୍ତୁ

ଜଗନ୍ନାଥ ସଂସ୍କୃତିର ଟେକ ରଖନ୍ତୁ

254

– ଦେବପ୍ରସାଦ ମିଶ୍ର
ଦେଶ ସ୍ୱାଧୀନ ହେବା ପରେ ଆମ ରାଜ୍ୟ ସରକାର ୧୯୬୦ ମସିହାଠାରୁ ଶ୍ରୀମନ୍ଦିରର ପରିଚାଳନା ଭାର ହାତକୁ ନେବା ପରଠାରୁ କ୍ରମାଗତ ପ୍ରାୟ ୫୮ ବର୍ଷ ଧରି ଏହି ଆଧ୍ୟାତ୍ମକ କେନ୍ଦ୍ର ଶ୍ରୀମନ୍ଦିରରେ ନାନା ସମସ୍ୟା ବିଶୃଙ୍ଖଳା ଲାଗି ରହିଥିବା ଦେଖା ଯାଉଛି। ବିଗତ ଦଶନ୍ଧିରେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିରେ ବିଳମ୍ବ, ବିଳମ୍ବରେ ଦର୍ଶନ, ଅହେତୁକ ବିଳମ୍ବରେ ଅବଢା ବାହାରିବା, ପୂଜା ପର୍ବପର୍ବାଣୀରେ ଦର୍ଶନ ବିଳମ୍ବ, ପୁଣି ଯାନିଯାତ୍ରା ରଥଯାତ୍ରା ଆଦିରେ ରଥ ଉପରେ ଚଢି ବିଗ୍ରହଙ୍କୁ ଛୁଇଁବା, ନବକଳେବରରେ ଦାରୁ ଚିହ୍ନଟରେ ଦୁର୍ନୀତି ଘଟ ପରିବର୍ତ୍ତନରେ ବିଳମ୍ବ ଆଦି ଦୀର୍ଘ ୫୮ ବର୍ଷ ହେଲାଣି ଶ୍ରୀମନ୍ଦିର ନାନା ସମସ୍ୟାରେ ଗତି କରୁଥିଲା, ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ଏହା ଉପରେ ଆଲୋଚନା ସମାଲୋଚନା ଲାଗିରହି ଥିଲା ଶ୍ରୀ ମନ୍ଦିରର ସେବକ ସେବାୟତମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ଜାଣିଶୁଣି ଅଣଦେଖା କରି ଆସୁଥିବାରୁ ଭକ୍ତମାନେ ଏଥିରେ ଧନ୍ଦି ହୋଇ ମନରେ ବିଭ୍ରାନ୍ତି, ଆଶା ବିଶ୍ୱାସରେ ଚରମ ଆଘାତ ଦେଉଥିଲା ଏ ସମ୍ବନ୍ଧରେ ଏହାର ପ୍ରତିକାର ଓ ନିରାକରଣ ପାଇଁ ଗଣମାଧ୍ୟମରେ ଅନେକ ଆଲୋଚନା ସମାଲୋଚନା ହୋଇ ଘଟଣା କ୍ରମେ ବିଶୃଙ୍ଖଳା ଓ ସମସ୍ୟା କିଛିଦିନ ପାଇଁ ଥଣ୍ଡା ପଡିଯାଉଥିଲେ ମଧ୍ୟ ପୁଣି କିଛିଦିନ ପରେ ଯେଉଁ କଥାକୁ ସେଇ କଥା କିନ୍ତୁ ରାଜ୍ୟ ସରକାର କେବେହେଲେ ଆମ ସଂସ୍କୃତି, ଧର୍ମଗୁରୁ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ କିମ୍ବା ଏହାର ଅନ୍ୟତମ ନାୟକ ଗଜପତି ମହାରାଜଙ୍କ ଠାରୁ କୌଣସି ବିଚାର ବିମର୍ଶ କରୁନଥିଲେ, ଏ ଘଟଣା ଏପରି କୁହୁଳି କୁହୁଳି ଶେଷରେ ନ୍ୟାୟଳୟକୁ ଯିବାପରେ ଏ ଘଟଣା ଏକ ଭିନ୍ନ ମୋଡ ନେଇଛି ଜନସାଧାରଣ, ଭକ୍ତ, ସମାଜ ଧର୍ମଗୁରୁ ଗୋବର୍ଦ୍ଧନପୀଠର ଗୁରୁଜୀ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏ ଘଟଣାରେ ହସ୍ତକ୍ଷେପ କରି ଜଗନ୍ନାଥ ସଂସ୍କୃତିର ଟେକକୁ ବଜାୟ ରଖିବା ପାଇଁ ବାରମ୍ବାର ଗଣମାଧ୍ୟମରେ ଦାବି ହୋଇ ଆସୁଥିଲେ ମଧ୍ୟ ବହୁ ବିଳମ୍ବରେ ସ୍ୱୟଂ ଶଙ୍କରାଚାର୍ଯ୍ୟ ମହାପ୍ରଭୁ ନିଜ ଆଡୁ ଏବେ ଏଥିରେ ଚିନ୍ତା ପ୍ରକଟ କରି ଧୀରେ ଧୀରେ ଓ ବିଶୃଙ୍ଖଳା ଜଗନ୍ନାଥ ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରିବ ଅନୁଭବ କରି ଶ୍ରୀ ମନ୍ଦିରରେ କିପରି ଓ କେଉଁ ଭିତ୍ତିରେ ସଂସ୍କାର ଅଣାଯାଇ ପାରିବ ଏଥି ନେଇ ନିଜେ ଏ ଦିଗରେ ଚିନ୍ତା କରି ବର୍ତ୍ତମାନ ଅଣ୍ଟାଭିଡିଛନ୍ତି। ଗୁରୁଜୀ ଶଙ୍କରାଚାର୍ଯ୍ୟ ନିଜଆଡୁ ପୁରୀ ଗୋବର୍ଦ୍ଧନପୀଠରେ ତା ୧୪.୦୨.୧୯ ତାରିଖ ଦିନ ନିଜ ଉପସ୍ଥିତିରେ ଏକ ବୈଠକ ଡକାଇଥିଲେ ଏଥିରେ ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ହାଇକୋର୍ଟ ଓ ଜିଲ୍ଲାକୋର୍ଟଙ୍କ ପ୍ରତିନିଧି, ଛତିଶାନିଯୋଗର କର୍ମକର୍ତ୍ତା ଓ ଅନ୍ୟ ବରିଷ୍ଠ ସେବାୟତ ଓ ସେବକମାନଙ୍କୁ ନେଇ ଏକ ମିଳିତ ସମନ୍ୱୟ ସମିତିର ଅନୁଷ୍ଠିତ କରାଇଥିଲେ। ଏହି ମିଳିତ ବୈଠକ ପ୍ରାୟ ୪ ଘଣ୍ଟା ଧରି ଗୋବର୍ଦ୍ଧନପୀଠରେ ଗୁରୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟତଃ ଗୁରୁଜୀ ମତବ୍ୟକ୍ତ କରିଥିଲେ ଯେ, ରୋଗକୁ ଚିହ୍ନି ପାରିଲେ ହିଁ ଏହାର ନିରାକରଣ ସହଜ ଶ୍ରୀ ମନ୍ଦିରରେ ଆଜି ଯେଉଁ ଚରମ ବିଶୃଙ୍ଖଳା ଦେଖା ଦେଇଛି ସମନ୍ୱୟର ଅଭାବ, ଧାର୍ମିକ ବ୍ୟବସ୍ଥା, ପ୍ରଶାସନିକ ବ୍ୟବସ୍ଥା, ସେବକ ଓ ସେବାୟତମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ମହାପ୍ରଭୁ ଦୀର୍ଘ ୧୪ ଘଣ୍ଟା ଧରି ମହାପ୍ରଭୁ ଅଖିଆ, ଅପିଆ, ଖାଡାଉପାସ ରହିଲେ ସିଂହଦ୍ୱାର ନଖୋଲିବା, କେହି କାହା କଥା ନମାନିବା, ସମସ୍ତେ ନିଜେ ନିଜକୁ ଏକହାତ ଚଉଦ ପା ମନେକରିବା ଯେଉଁଥିପାଇଁ ଶ୍ରୀମନ୍ଦିର ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟିଛି।

ଗୁରୁଜୀ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏ ବିଶାଳ ଦେବ ମନ୍ଦିରକୁ ଶୃଙ୍ଖଳାର ସହ ପରସ୍ପର ମଧ୍ୟରେ ସମନ୍ୱୟ ସହଯୋଗ ରଖି ଚଳାଇବା, ପରସ୍ପର ମଧ୍ୟରେ ସମନ୍ୱୟ ରହିଲେ ଆପେ ଆପେ ସଂସ୍କାର କଥା ଉଠିବ ଗୋଟିଏ ଗୋଟିଏ କ୍ଷେତ୍ରରେ ସମନ୍ୱୟ ଓ ସଂସ୍କାର ଆଣିବାକୁ ହେଲେ ଏହିପରି ମିଳିତ ବୈଠକ ଡକାଇ ପରସ୍ପର ମଧ୍ୟରେ ଉପୁଜୁଥିବା ସମସ୍ୟାର ତଜର୍ମା କରି ଧୀରେ ଧୀରେ ତାର ସମାଧାନ ପନ୍ଥା ବାହାର କରି ତାକୁ କାର୍ଯ୍ୟକାରୀ କରିବା, ପ୍ରତି ୩/୪ ମାସ ବ୍ୟବଧାନରେ ବୈଠକ ବସାଇ ସମାଧାନ ପନ୍ଥା ବାହାର କରିବା ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ, ପୂର୍ବରୁ ଧାର୍ମିକ କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ସମନ୍ୱୟରେ ହିଁ ସମସ୍ତ କାମ ହେଉଥିଲା। ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଗୁରୁଜୀ ଧର୍ମଗୁରୁ ଓ ଧର୍ମ ନିର୍ଣ୍ଣାୟକ ଭାବେ କ୍ଷମାତାସୀନ ଥିଲେ ଏହିଠାରୁ ଅନ୍ୟମାନେ ଅନୁଶାସିତ ହେଉଥିଲେ, ୧୯୬୦ ପରଠାରୁ ରାଜ୍ୟସରକାର ଶ୍ରୀମନ୍ଦିର ପରିଚାଳନା ଭାର ହାତକୁ ନେବା ପରେ ଏଥିରେ ନାନା ସମସ୍ୟା ଦେଖାଯାଉଛି। ଶ୍ରୀ ମନ୍ଦିରରେ ଧାର୍ମିକ ବ୍ୟବସ୍ଥା ସର୍ବୋଚ୍ଚରେ ଭକ୍ତମାନଙ୍କ ଧାର୍ମିକ ମନୋଭାବ ଉପରେ ଗୁରୁତ୍ୱ ଆରୋପ କରି ତଦନୁଯାୟୀ ସବୁପ୍ରକାର ବ୍ୟବସ୍ଥା କରାଯାଇଥାଏ।

ସେ ଯାହାହେଉ ଗୁରୁଜୀ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ବହୁ ବିଳମ୍ବରେ ହେଲେ ସୁଦ୍ଧା ଏ ଯେଉଁ ଉଦ୍ୟମ ହାତକୁ ନେଇ ଜଗନ୍ନାଥ ସଂସ୍କୃତିର ଟେକ ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ଏଥିପାଇଁ ପ୍ରଂଶସନୀୟ ଓ ଧନ୍ୟବାଦର ପାତ୍ର ହୋଇ ରହିବେ ସମଗ୍ର ଭକ୍ତ ସମାଜ ଏଥିରେ ଆନନ୍ଦିତ, ମାନ୍ୟବର ଉଚ୍ଚନ୍ୟାୟାଳୟର ପରାମର୍ଶ ହେଉ ବା ଚେତାବନୀ ହେଉ କି ଅନ୍ୟ କୌଣସି ସଂସ୍କାର ମୂଳକ ପଦକ୍ଷେପ ହେଉ ସବୁକଥା ପରସ୍ପର ମଧ୍ୟରେ ଆପୋକ୍ଷ ମିଳାମିଶାରେ ହୋଇପାରିବ। ମାନ୍ୟବର ଉଚ୍ଚନ୍ୟାୟାଳୟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରୀ ପୁରୀ ଆସିବା ପୂର୍ବରୁ ଗୁରୁଜୀ ନେଇଥିବା ଉଦ୍ୟମ ର ଫଳ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବୋଲି ଚାରିଆଡେ ଆଲୋଚନା। ଉଚ୍ଚତମ ନ୍ୟାୟାଳୟର ପ୍ରତିନିଧି ଆମିକସକ୍ୟୁରୀ ଶ୍ରୀମନ୍ଦିର ଗସ୍ତରେ ଆସି ସମସ୍ତ ବିଷୟ ଅନୁଧ୍ୟାନ କରି ସେ ମଧ୍ୟ ଯିବା ବେଳକୁ ଗୁରୁଜୀ ଯେଉଁ ମନ୍ତ୍ର ଶୁଣାଇଥିଲେ ତାକୁ ହିଁ ଦୋହରାଇଛନ୍ତି, ଜଗନ୍ନାଥ ସଂସ୍କୃତିର ଟେକ ରଖିବା ପାଇଁ ଭବିଷ୍ୟତକୁ ଆଖି ଆଗରେ ରଖି ଭକ୍ତ ସମାଜ, ସେବକ ସେବାୟତ, ପ୍ରଶାସନ ସମସ୍ତେ ଗୁରୁଜୀଙ୍କ ପ୍ରଦତ୍ତ ବାଣୀରେ କାର୍ଯ୍ୟ କରିବା ଉଚିତ ଏହା ହିଁ ପ୍ରକୃଷ୍ଟ ସମୟ ଏହା ହିଁ ସମୟର ଆହ୍ୱାନ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.