ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବିବାଦୀୟ ଜଗନ୍ନାଥପ୍ରସାଦ ସୈରାତରୁ ଗତକାଲି ଅପରାହ୍ନ ଠାରୁ ବାଲି ଉତ୍ତୋଳନ ଆରମ୍ଭ ହୋଇଛି । ପ୍ରୋକଲିନ ମେସିନ ଯୋଗେ ବାଲି ଉତ୍ତୋଳନ କରାଯାଇ ଟ୍ରାକ୍ଟର ଯୋଗେ ନଦୀବନ୍ଧରେ ପରିବହନ କରାଯାଉଛି । ଯାଜପୁର ଅଞ୍ଚଳର ବହୁ ଟ୍ରାକ୍ଟର ସମେତ ସ୍ଥାନୀୟ ଅଞ୍ଚଳର କେତେକ ଟ୍ରାକ୍ଟର ବାଲି ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ଜଣାଯାଇଛି । ଶନିବାର ଗୋଟିଏ ବାଲି ପରିବହନକାରୀ ଟ୍ରାକ୍ଟର ଜଗନ୍ନାଥପ୍ରସାଦ ଗ୍ରାମର ସନାତନ ଦାସଙ୍କ ଗାଈକୁ ଧକ୍କା ଦେବା ଫଳରେ ଗାଈ ଆହତ ହୋଇଥିଲା । ଏଥିଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଟ୍ରାକ୍ଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ହସ୍ତକ୍ଷେପ କରିବା ଦ୍ୱାରା ପୁନର୍ବାର ବାଲି ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରିବହନ କରାଯାଉଥିବା ବାଲିକୁ ଜଳସମ୍ପଦ ବିଭାଗ ସ୍ଥାନୀୟ କାର୍ଯ୍ୟାଳୟ ନିକଟ ଜମିରେ ରଖାଯାଉଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏହାର ପ୍ରତିକାର ପାଇଁ ପଞ୍ଚାୟତରେ ତନାଘନା ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।