Home ଜିଲ୍ଲା ପରିକ୍ରମା ଜଗତ୍‌ଜନନୀଙ୍କ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ଭଦ୍ରକ ସହର, ସୁନ୍ଦର ତୋରଣ ଓ ରଂଗବେରଂଗ ଆଲୋକମାଳା ଲୋକଙ୍କ...

ଜଗତ୍‌ଜନନୀଙ୍କ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ଭଦ୍ରକ ସହର, ସୁନ୍ଦର ତୋରଣ ଓ ରଂଗବେରଂଗ ଆଲୋକମାଳା ଲୋକଙ୍କ ମନ ମୋହୁଛି

15

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଦୁର୍ଗାଙ୍କ ଆଗମନୀରେ ଉତ୍ସବମୁଖର ହୋଇଉଠିଛି ଭଦ୍ରକ ଜିଲା । ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ପୂଜା ମଣ୍ଡପଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଛି । ଜଗତ୍‌ଜନନୀଙ୍କର ଗତକାଲି ସପ୍ତମୀ ପୂଜା ଧୁମ୍‌ଧାମରେ ଅନୁଷ୍ଠିତ ହୋଇଥିବାବେଳେ ଆଜି ମା’ ଦୁର୍ଗାଙ୍କର ଅଷ୍ଟମୀ ପୂଜା ପାଳିତ ହୋଇଛି । ଏବଂ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳ ରକ୍ଷାପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁର୍ଗତିନାଶିନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବାର ସମସ୍ତ ରୀତିନୀତି ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଭଦ୍ରକ ସହରର ୨୭ ଟି ପୂଜା ବେଦୀରେ ମା’ ସମସ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୂଜା ମଣ୍ଡପ ଗୁଡିକର ତୋରଣ ଗୁଡିକ ଚଳିତବର୍ଷ ରାସ୍ତାର ଉଭୟପାଶ୍ୱର୍କୁ କରାନଯାଇ ଗୋଟିଏ ପାଶ୍ୱର୍ରେ କେବଳ ପୂଜା ମଣ୍ଡପ ନିକଟରେ ନିର୍ମାଣ କରାଯାଇଛି । ତେବେ ସହର ତମାମ ରାସ୍ତାପାଖର ଆଲୋକ ସଜା ରାତିର ଅନ୍ଧକାରକୁ ରଂଗ ବେରଂଗୀ ଆଲୋକରେ ମନ ମୋହୁଛି । ଭଦ୍ରକ ସହରର ମା’ ବଙ୍କବାସୁଳୀ, ବାଇପାସ, ଜାନୁଗଂଜ, ଗାନ୍ଧିପଡିଆ, ଚରମ୍ପା ସ୍କୁଲରୋଡ୍‌, ଓଏସ୍‌ଆରଟିସି, ଏରେଇଁ ବିଶାଣିଖରିଦା, ପଥରକାଳୀ, ପି.ଡବ୍ଲ୍ୟୁଡି, ସାମରାଇପୁର-ପ୍ରାଚୀନଗର, ଏଲଖା, ନୀଳକଣ୍ଠପୁର, ସନ୍ଥିଆ, ଲାହାପଟି, ଗବସାହି, ସଂଗତ, ଦତ୍ତସାହି ବାଙ୍କାବଜାର, ଚନ୍ଦନବଜାର ଭଳି ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ ଦର୍ଶକଙ୍କର ମନକୁ ବେଶ୍ ଛୁଇଁଛି । ଜାନୁଗଂଜ ଦୁର୍ଗା ମଣ୍ଡପରେ ୪ଦିନ ଧରି ନାଚ ଗୀତ ଆଦି ପରିବେଷଣ କରାଯିବା ସହ ଦଶହରା ଦିନ ମହାଆଡମ୍ବର ସହକାରେ ରାବଣପୋଡି କାର୍ଯ୍ୟକ୍ରମ କରାଯିବ । ଚଳିତବର୍ଷ ଗାନ୍ଧିପଡିଆ ଦୁର୍ଗା ମେଢକୁ ୭୬ ବର୍ଷ ପୂର୍ତ୍ତି ଅବସରରେ ସେଠାରେ ବେଶ୍ ଧୁମ୍‌ଧାମରେ ପୂଜା ପାଳିତ ହେଉଥିବାର ଜଣାପଡିଛି । ପୌରପାଳିକା ପକ୍ଷରୁ ଏଥିପାଇଁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯିବା ସହ ପୂଜା ମଣ୍ଡପ ଗୁଡିକରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଷୟ କହିଛନ୍ତି ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି । ଏଠାରେ ସୂଚନାଯୋଗ୍ୟ ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଐତିହ୍ୟ ଅତି ପ୍ରାଚୀନ । ଭାରତର ବିଭିନ୍ନ ସ୍ଥାନରେ ଶରତକାଳୀନ ନବରାତ୍ର ଅବସରରେ ମହାସମାରୋହରେ ଭଗବତୀ ଦୁର୍ଗାଙ୍କର ପୂଜା କରାଯାଇଥାଏ । ଅନ୍ୟାନ୍ୟ ଅନେକ ପର୍ବପର୍ବାଣୀ ଭଳି ଦୁର୍ଗାପୂଜା ହେଉଛି ପୂଣ୍ୟର ଜୟ ଓ ପାପ କ୍ଷୟର ପ୍ରତୀକ । ସାରା ଦେଶରେ ଏହି ଦୁର୍ଗାପୂଜା ଦଶଦିନ ଓ ଦଶରାତି ପର୍ଯ୍ୟନ୍ତ କରାଯାଏ । ଦା ହାତରେ ଦଶଟି ଅସ୍ତ୍ର ଧରିଥିବା ସିଂହବାହିନୀ ଦେବୀ ଦୁର୍ଗାଙ୍କୁ ଗୋଟିଏ ଶକ୍ତିମୟୀ ସୁନ୍ଦରୀ ଠାକୁରାଣୀ ଭାବରେ ବର୍ଣ୍ଣନା କରାଯାଇଥାଏ । ଗୋଟିଏ ଭୟଙ୍କର ମଇଁଷି ଦେହରେ ତାଙ୍କର ତ୍ରିଶୁଳ ବିଦ୍ଧ ହୋଇଥାଏ ଏବଂ ସେ ମଇଁଷି ହେଉଛି ଦୁଷ୍ଟ ରାକ୍ଷସ ମହିଷାସୁର । ପୁରାଣରେ ଦୁର୍ଗା ଓ ମହିଷାସୁର କାହାଣୀର ବର୍ଣ୍ଣନା କରାଯାଇଛି । ଗୋଟିଏ ଅସୁର ଥିଲା । ସେ ଗୋଟିଏ ଭୟଙ୍କର ମଇଁଷି ରୂପ ଧରି ଦେବତାମାନଙ୍କ ଉପରେ ଅତ୍ୟାଚାର କରୁଥିଲା । ଶହେ ବର୍ଷ ଲଢେଇ ଚାଲିବା ପରେ ଶେଷରେ ମହିଷାସୁର ଜୟଜଯୁକ୍ତ ହେଲା ଏବଂ ସ୍ୱର୍ଗରୁ ଦେବତାମାନଙ୍କୁ ତଡି ଇନ୍ଦ୍ରଙ୍କର ସିଂହାସନ ଦଖଲ କରିନେଲା । ଏକଥା ଦେଖି ବ୍ରହ୍ମାଙ୍କ ସହିତ ସବୁ ଦେବତା ଶିବ ଓ ବିଷ୍ଣୁଙ୍କ ପାଖକୁ ଯାଇ ତାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଶିବ ଓ ବିଷ୍ଣୁ ରାକ୍ଷସର ଅତ୍ୟାଚାର ଶୁଣି ଏତେ ରାଗିଗଲେ ଯେ ସେମାନଙ୍କ ଦେହରୁ ଏକ ଅପୂର୍ବ ଜ୍ୟୋତି ବାହାରିଲା ।

ସେଇ ଜ୍ୟୋତି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ସବୁଆଡେ ବ୍ୟାପିଗଲା । ଶେଷରେ ଗୋଟିଏ ଠାକୁରାଣୀ ରୂପ ଧାରଣ କଲା । ତାଙ୍କର ନାମ ହେଲା ଦୁର୍ଗା । ସବୁ ଦେବତା ତାଙ୍କୁ ବେଶ ପୋଷାକ ଓ ଲଢେଇ ପାଇଁ ଭୟଙ୍କର ଅସ୍ତ୍ରଶସ୍ତ୍ର ଦେଲେ । ଦେବୀଙ୍କର ବାହନ ପାଇଁ ହିମାଳୟ ତାଙ୍କୁ ଗୋଟିଏ ଅପାରଜେୟ ସିଂହ ଦାନ କଲେ । ତାପରେ ଦେବୀ ଦୁର୍ଗା ଦଶଦିଗକୁ ତାଙ୍କ ହଜାର ହଜାର ହାତ ମେଲାଇ ଅସୁର ସହିତ ଯୁଦ୍ଧ କରିବାକୁ ଗର୍ଜନ କରି ଉଠିଲେ । ଏକଥା ଦେଖି ମହିଷାସୁର ତାର ସୈନ୍ୟସାମନ୍ତ ଧରି ବାହାରି ଆସିଲା । ଘମାଘୋଟ ଲଢେଇ ଆରମ୍ଭ ହେଲା । ସମୁଦ୍ର ମନ୍ଥି ହୋଇଗଲା । ପାହାଡ ପର୍ବତ ଉପୁଡି ପଡିଲା । ମହିଷାସୁର ଖୁବ ବଳବାନ ଓ ଦୁର୍ଦ୍ଦାନ୍ତ ଥିଲା । ଦେବୀ ଏକ ଅସ୍ତ୍ର ପ୍ରୟୋଗ କରି ମହିଷାସୁରକୁ ବଦ୍ଧ କରିଥିଲେ ଓ ତିନିଲୋକରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ନାରୀ ସହନଶୀଳ ସନ୍ତାନ ପାଇଁ ମମତାର ପ୍ରତିମୂର୍ତ୍ତି । କିନ୍ତୁ ଯେତେବେଳେ ସେହି ନାରୀ ଦେଖେ ସୃଷ୍ଟି ନଷ୍ଟ ହେବାକୁ ଯାଉଛି, ସେତେବେଳେ ସିଏ ଅସ୍ତ୍ର ଧରି ଦଶଭୁଜା ହୋଇ ଅତ୍ୟାଚାରର ଅତ୍ୟାଚାର ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଥାଏ । ଆମର ପୂର୍ବ ପୁରୁଷମାନେ ନାରୀ ଭିତରେ ଥିବା ମହାନତା ଠିକ୍ ବୁଝିପାରିଥିଲେ । ତେଣୁ ନାରୀ ଶକ୍ତିର ସମ୍ମାନରେ ଏହି ପୂଜା ଓ ଆରାଧନାକୁ ନିଜ ଜୀବନରେ ସ୍ଥାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.