Home ଅପରାଧ ଛାତ୍ର ଅଭିଭାବକ ଓ ଶିକ୍ଷକ ମୁହାଁମୁହିଁ, ପୁଲିସ ଓ ବିଇଓଙ୍କ ହସ୍ତକ୍ଷେପ ଫଳରେ ହେଲା ପରୀକ୍ଷା

ଛାତ୍ର ଅଭିଭାବକ ଓ ଶିକ୍ଷକ ମୁହାଁମୁହିଁ, ପୁଲିସ ଓ ବିଇଓଙ୍କ ହସ୍ତକ୍ଷେପ ଫଳରେ ହେଲା ପରୀକ୍ଷା

103

ଯାଜପୁର ୨ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ହାଇସ୍କୁଲରେ ଆଜି ପରୀକ୍ଷା ଥିବା ବେଳେ ବିଦ୍ୟାଳୟକୁ ୮.୧୫ ସମୟ ପର୍ଯ୍ୟନ୍ତ କୌଣସି ଶିକ୍ଷକ ନଆସିବା ଓ ବିଦ୍ୟାଳୟ ଗେଟ୍‌ରେ ତାଲା ଝୁଲିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟକୁ ଆସିଥିବା ଛାତ୍ର/ଛାତ୍ରୀ ରାସ୍ତା ଉପରେ ଛିଡା ହୋଇ ରହିବା ଦେଖି ଅଭିଭାବକ ମାନେ ସେଠାରେ ପହଞ୍ଚିଥିଲେ। ଶନିବାର ସକାଳ ୬.୩୦ରେ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ୮.୧୫ ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କ ଦେଖା ନମିଳିବା ଯୋଗୁ ଉତ୍ତେଜନା ଦେଖାଦେଇଥିଲା। ପରେ ଶିକ୍ଷକ ମାନେ ପହଞ୍ଚିବାରୁ ଅଭିଭାବକମାନେ ସେମାନଙ୍କୁ ଛାଡିନଥିଲେ। ମୁହାଁ ମୁହିଁ ପରିସ୍ଥିତି ଉପୁଜିବାରୁ ଖବରପାଇ କୋରାଇ ଥାନାଧିକାରୀ ରଣଜିତ ମହାନ୍ତି ଓ ବିଇଓ ସୁଶାନ୍ତ ଶତପଥି ଘଟଣାସ୍ଥଳେ ପହଞ୍ଚି ପରିଚାଳନା କମିଟିର ସଦସ୍ୟ ଓ ଛାତ୍ର ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ବିଦ୍ୟାଳୟର ଗେଟ୍ ଖୋଲାହେବା ସହ ପରୀକ୍ଷା କରାଯାଇଥିଲା। ପରୀକ୍ଷା ସରିବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ପ୍ରତିଶୃତି ଦେଇଥିଲେ। ତଦନୁଯାୟୀ ବିଇଓ ପରିଚାଳନା କିମିଟି ଓ ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପରେ ଡିଇଓଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ। ସନ୍ଧ୍ୟାରେ ସବୁ ଶିକ୍ଷକ କାରଣ ଦର୍ଶାଇବା ପାଇଁ ଡିଇଓଙ୍କ ଅଫିସରେ ପହଁଚିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ପ୍ରକାଶଯେ, ଆଜି ୬.୩୦ରେ ବିଦ୍ୟାଳୟ ଖୋଲାଯିବା ପରିବର୍ତ୍ତେ ବନ୍ଦ ରହିଥିଲା। କେବଳ ବିଦ୍ୟାଳୟର ପିଅନ ଅଭିନ୍ନ ସେଠୀ ଉପସ୍ଥିତ ଥିଲେ। ମାତ୍ର ତାଙ୍କ ପାଖରେ ବିଦ୍ୟାଳୟର ଚାବି କାଠି ନଥିଲା। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ବଳ ସମସ୍ତ ଚାବି କାଠି ନେଇଯାଇଥିବା ଶ୍ରୀ ସେଠୀ ପ୍ରକାଶ କରିଥିଲେ। ହେଲେ ପ୍ରଧାନ ଶିକ୍ଷକ ବା ଅନ୍ୟ ୮ ଜଣ ଶିକ୍ଷକ କେହି ଆସିନଥିଲେ। ଶିକ୍ଷକମାନେ ଆସିବା ପରେ ସେମାନଙ୍କୁ ପ୍ରଧାନ ଶିକ୍ଷକ ଗୋଟିଏ ମିଟିଙ୍ଗ ଥିବାରୁ ଡେରିରେ ଯିବାକୁ ହେବ ବୋଲି ୮ଟା ପରେ ଆସିବାକୁ କହିଥିବା ପ୍ରକାଶ କରିଥିଲେ। ହେଲେ କାହାରି କଥାରେ ତାଳମେଳ ରହିନଥିଲା। ପୁଲିସ ଓ ବିଇଓଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ଖୋଲାଯାଇ ପରୀକ୍ଷା ହୋଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଚଞ୍ଚକତା କରି ସମସ୍ତ ଶିକ୍ଷକ ଠିକ ସମୟରେ ବିଦ୍ୟାଳୟ ଆସିଥିବା ଉପସ୍ଥାନ ଖାତାରେ ଦସ୍ତଖତ କରାଇନେବା ଯୋଗୁ ପୁନଃ ଉତ୍ତେଜନା ଦେଖାଦେଇଥିଲା। ଏହାର ବିଦ୍ଧିବଦ୍ଧ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଚାଳନା କମିଟିର ଚେୟାରପର୍ସନ ରିଜୁଆନ ଖାଁ, ପୂର୍ବତନ ଚେୟାରପର୍ସନ କଲ୍ଲିମୁଦ୍ଦିନ ଖାଁ, ସଭ୍ୟ ମୁଜବିର ରହେମାନଙ୍କ ସମେତ ସମସ୍ତ ଅଭିଭାବକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.