Home ଅପରାଧ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, ସାଢେ଼ ୧୩ କିଲୋ ବଦଳରେ ସାଢେ଼ ୧୧ କିଲୋ...

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, ସାଢେ଼ ୧୩ କିଲୋ ବଦଳରେ ସାଢେ଼ ୧୧ କିଲୋ କୁପନ ବଣ୍ଟନ ଅଭିଯୋଗ

285

ହରିଚନ୍ଦନପୁର, ତା ୨୭ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଉଲ୍ଲେଖ ଯୋଗ୍ୟ ମୁତାବକ କରୋନା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩ ମାସ ମଧ୍ୟାହ୍ନ ଭୋଜନର ଚାଉଳ ପ୍ରଦାନ କରାଯିବ ବୋଲି ଗତ ଶନିବାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ଜରିଆରେ ମଧ୍ୟାହ୍ନଭୋଜନର ଚାଉଳ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାସିକ ୩ କିଲୋ ହିସାବରେ ୯୦ ଦିନ ପାଇଁ ୯ କିଲୋ ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାସିକ ୪ କିଲୋ ୫୦୦ଗ୍ରାମ ହିସାବରେ ୧୩ କିଲୋ ୫୦୦ଗ୍ରାମ ଚାଉଳ ଦିଆଯିବାକୁ ନିର୍ଦ୍ଦେଶ ରହିଛି ।

ଏଥିସହ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ କୁପନ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି କୁପନକୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ସାଧାରଣ ବଣ୍ଟନ ସାମଗ୍ରୀ ଦେକାନରେ ଦେଖାଇ ଚାଉଳ ସଂଗ୍ରହ କରିପାରିବେ ବୋଲି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଦର୍ଶାଇ ଥିଲେ । ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଶିକ୍ଷା ବିଭାଗ ଅଧିନସ୍ଥ କଳାପାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ସେଠାରେ ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୧୩ କିଲୋ ୫୦୦ ଗ୍ରାମ ଚାଉଳ ବଦଳରେ ୧୧ କିଲୋ ୫୦୦ ଗ୍ରାମ ଚାଉଳ ବଣ୍ଟନ ନିମନ୍ତେ କୁପନ ପ୍ରଦାନ କରାଯାଇଛି । ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକରେ ୧୩ କିଲୋ ୫୦୦ ଗ୍ରାମର କୁପନ ପ୍ରଦାନ କରାଯାଇଥିବା ବେଳେ ଏଠାରେ ଏହାର ଅନିୟମିତତାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଓ ଅଭିଭାବକଙ୍କ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.